କରୋନା ଭୟ: ଗୋଟିଏ କେନ୍ଦ୍ରରେ ଭୋଟ ଦେବେ ସର୍ବାଧିକ ହଜାରେ

କରୋନା ସଂକ୍ରମଣ ଦୃଷ୍ଟିରୁ ଗୋଟିଏ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ସର୍ବାଧିକ ୧ ହଜାର ଭୋଟରଙ୍କୁ ମତଦାନ କରିବା ପାଇଁ ଅନୁମତି ଦେବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛି। ପୂର୍ବରୁ ଗୋଟିଏ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ୧୫ଶହ ଭୋଟରଙ୍କୁ ମତଦାନ କରିବା ପାଇଁ ଅନୁମତି ଦିଆଯାଉଥିଲା। ଏହାଦ୍ୱାରା ବର୍ତ୍ତମାନ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି।

ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆସାମରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୩୩ ହଜାର ୫୩୦ଟି ଭୋଟ୍‍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ। ୨୦୧୬ ନିର୍ବାଚନ ତୁଳନାରେ ଏହା ୩୪.୭୧ ପ୍ରତିଶତ ଅଧିକ। ସେହିଭଳି ତାମିଲନାଡୁରେ ୮୮ ହଜାର ୯୩୬ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ, ଯାହା ୨୦୧୬ ନିର୍ବାଚନ ତୁଳନାରେ ଶତକଡ଼ା ୩୪.୭୩ ପ୍ରତିଶତ ଅଧିକ। ପଶ୍ଚିମବଙ୍ଗରେ ୧ ଲକ୍ଷ ୧ ହଜାର ୯୧୬ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ, ଯାହା ପୂର୍ବ ନିର୍ବାଚନ ତୁଳନାରେ ଶତକଡ଼ା ୩୧.୬୫ ପ୍ରତିଶତ ଅଧିକ।

କେରଳରେ ମଧ୍ୟ ୪୦ ହଜାର ୭୭୧ଟି ଭୋଟ ଗ୍ରହଣ କେନ୍ଦ୍ରସ୍ଥାପନ କରାଯିବ, ଯାହା ପୂର୍ବ ନିର୍ବାଚନ ତୁଳନାରେ ୮୯.୬୫ ପ୍ରତିଶତ ଅଧିକ। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମଧ୍ୟ ୧ ହଜାର ୫୫୯ଟି ଭୋଟ୍‍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ, ଯାହା ପୂର୍ବ ନିର୍ବାଚନ ତୁଳନାରେ ଶତକଡ଼ା ୬୭.୬୩ ପ୍ରତିଶତ ଅଧିକ।

ଅନ୍ୟ ପକ୍ଷରେ କରୋନା ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ଡାକ ଯୋଗେ ମତଦାନ କରିବାର ସୁବିଧା ପ୍ରଦାନ କରାଯିବ। ଏଥିପାଇଁ ଜଣେ ଉଚ୍ଚପଦସ୍ଥ ଅଫିସରଙ୍କଠାରୁ ସାର୍ଟିଫିକେଟ ଆଣିବାକୁ ହେବ। ଏହା ବ୍ୟତୀତ ଦିବ୍ୟାଙ୍ଗ ଜନ ଓ ୮୦ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଡାକ ଯୋଗେ ମତଦାନ କରିପାରିବେ।

ପ୍ରତ୍ୟେକ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ପାନୀୟ ଜଳ, ଭୋଟରମାନଙ୍କ ବସିବା ପାଇଁ ସ୍ଥାନ, ଶୌଚାଳୟ ଓ ଜଳର ସୁବିଧା ଉପଲବ୍ଧ କରାଯିବାକୁ ନିର୍ବାଚନ କମିଶନ ସଂପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରିଛି। ଏହା ବ୍ୟତୀତ ଦିବ୍ୟାଙ୍ଗଜନମାନଙ୍କ ପାଇଁ ସମସ୍ତ ସୁବିଧା କରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛି। ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ସାନିଟାଇଜର ରଖାଯିବାକୁ ବାଧ୍ୟତାମୂଳକ କରାଯାଇଛି। ଭୋଟରମାନଙ୍କର ଥର୍ମାଲ୍‍ ଯାଞ୍ଚ କରାଯିବ। ଶାରୀରିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଭୋଟରମାନଙ୍କୁ ହାତରେ ପିନ୍ଧିବା ପାଇଁ ଗ୍ଲୋବ୍‍ସ ଯୋଗାଇ ଦିଆଯିବ। କୋଭିଡ ସଂକ୍ରମଣ ପାଇଁ ମତଦାନର ସମୟସୀମାକୁ ଆଉ ଏକଘଣ୍ଟା ବୃଦ୍ଧି କରାଯିବ। କିନ୍ତୁ ମାଓବାଦୀ ଉପଦ୍ରୁତ ଅଞ୍ଚଳଗୁଡ଼ିକରେ ଏହା ଲାଗୁ ହେବ ନାହିଁ। କରୋନା ସଂକ୍ରମିତ ବ୍ୟକ୍ତିମାନେ ଭୋଟ ଗ୍ରହଣ ଶେଷ ହେବାର ଘଣ୍ଟାଏ ପୂର୍ବରୁ ଭୋଟ୍‍ ଗ୍ରହଣ କେନ୍ଦ୍ରକୁ ଯାଇ ମତଦାନ କରି।ରିବେ। ଏହା ସ୍ୱାସ୍ଥ୍ୟକର୍ମୀମାନଙ୍କ ତତ୍ତ୍ୱାବଧାନରେ କରାଯିବ।

Comments are closed.