୬୦ ଲକ୍ଷ ଟନ୍‍ ଖାଦ୍ୟ ଶସ୍ୟ ଯୋଗାଇଛି ଖାଦ୍ୟ ନିଗମ

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ଖାଦ୍ୟ ନିଗମ – ଏଫ୍‍.ସି.ଆଇ. ଚଳିତ ବର୍ଷ ଏପ୍ରିଲ୍‍ ସୁଦ୍ଧା ୬୦ ଲକ୍ଷ ଟନ୍‍ ଖାଦ୍ୟ ଶସ୍ୟ ଯୋଗାଇଛି ଯାହା ମାସିକ ହାରାହାରି ୩୦ ଲକ୍ଷ ଟନ୍‍ର ଦୁଇଗୁଣରୁ ଅଧିକ। କାଶ୍ମୀର ଉପତ୍ୟକା, ଲେହ, ଲଦାଖ୍‍କୁ ପ୍ରାୟ ୧ ଲକ୍ଷ ଟନ୍‍ ଏବଂ ଅରୁଣାଚଳପ୍ରଦେଶ ଓ ମେଘାଳୟ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ୮୧ ହଜାର ଟନ୍‍ ଖାଦ୍ୟଶସ୍ୟ ସଡ଼କ ପରିବହନ ମାଧ୍ୟମରେ ଯୋଗାଇ ଦିଆଯାଇଛି। ଖାଉଟି ବ୍ୟାପାର ମନ୍ତ୍ରୀ କହିଛନ୍ତି, କୋଭିଡ୍‍-ନାଇଣ୍ଟିନ୍‍ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ସତ୍ତ୍ବେ ଏପ୍ରିଲ୍‍ ମାସରେ ଏପ୍‍.ସି.ଆଇ. ପକ୍ଷରୁ ବିଭିନ୍ନ ରାଜ୍ୟକୁ ୫୮ ଲକ୍ଷ ଟନ୍‍ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି। ବିହାରକୁ ସର୍ବାଧିକ ୭ ଲକ୍ଷ ଟନ୍‍ରୁ ଅଧିକ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଥିବାବେଳେ କର୍ଣ୍ଣାଟକକୁ ୭ ଲକ୍ଷ ଟନ୍‍ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କେନ୍ଦ୍ରୀୟ ଆବଣ୍ଟିତ ୧୨୦ ଲକ୍ଷ ଟନ୍‍ ମଧ୍ୟରୁ ଏଫ୍‍.ସି.ଆଇ. ୫୦ ପ୍ରତିଶତ ଖାଦ୍ୟଶସ୍ୟ ଯୋଗାଇ ଦେଇଛି। କୋଭିଡ୍‍-ନାଇଣ୍ଟିନ୍‍ ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବା ଏବଂ ରାଜ୍ୟଗୁଡ଼ିକର ଚାହିଦା ମେଣ୍ଟାଇବା ନିମନ୍ତେ ଦେଶର ବିଭିନ୍ନ ଏଫ୍‍.ସିଆଇ. ଗୋଦାମରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ମହଜୁଦ୍‍ ରଖାଯାଇଛି।

Comments are closed.