ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ, ସ୍ବର୍ଣ୍ଣ ଭଣ୍ଡାର ମୂଲ୍ୟ ବି ଖସିଲା

ନୂଆଦିଲ୍ଲୀ: ଚଳିତ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି। ମାର୍ଚ୍ଚ ୫ ତାରିଖରେ ଶେଷ ହେଉଥିବା ସପ୍ତାହ ସୁଦ୍ଧା ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୪.୨୫୫ ଅରବ(୧ ଅରବ=୧୦୦କୋଟି) ଡଲାର ହ୍ରାସ ପାଇ ୫୮୦.୨୯୯ ଅରବ ଡଲାରରେ ପହଞ୍ଚିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ଜାରି ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୬୮.୯ ଅରବ ଡଲାର ବୃଦ୍ଧି ପାଇ ୫୮୪.୫୫୪ ଅରବ ଡଲାରରେ ପହଞ୍ଚିଥିଲା। ଜାନୁୟାରୀ ୨୯ରେ ଶେଷ ହୋଇଥିବା ସପ୍ତାହ ମଧ୍ୟରେ ବିଦେଶ ମୁଦ୍ରା ଭଣ୍ଡାର ପରିମାଣ ୫୯୦.୧୮୫ ଅରବ ଡଲାର ରେକର୍ଡ ସ୍ତରରେ ରହିଥିଲା।

ସେହିପରି ଆରବିଆଇ ତଥ୍ୟ ଅନୁସାରେ, ଦେଶର ସ୍ବର୍ଣ୍ଣ ଭଣ୍ଡାର ମୂଲ୍ୟରେ ବି ହ୍ରାସ ଘଟିଛି। ସ୍ବର୍ଣ୍ଣ ଭଣ୍ଡାର ମୂଲ୍ୟ ୧.୨୦୬ ଅରବ ଡଲାର ହ୍ରାସ ପାଇ ୩୪.୨୧୫ ଅରବ ଡଲାରରେ ପହଞ୍ଚିଛି। ଦେଶକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରେ ମିଳୁଥିବା ବିଶେଷ ଆହରଣ ଅଧିକାର ୧.୧ କୋଟି ଡଲାର ହ୍ରାସ ପାଇ ୧.୫୦୬ ଅରବ ଡଲାରରେ ପହଞ୍ଚିଛି। ଆଇଏମଏଫ ନିକଟରେ ସଂରକ୍ଷିତ ମୁଦ୍ରା ଭଣ୍ଡାର ବି ହ୍ରାସ ପାଇ ୪.୯୬୫ ଅରବ ଡଲାରରେ ପହଞ୍ଚିଛି।

Comments are closed.