ନକଲି ଔଷଧ, ତଦନ୍ତ ଦାୟିତ୍ୱ ନେଲା ସ୍ୱତନ୍ତ୍ର କାର୍ଯ୍ୟବଳ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟର ନକଲି ଔଷଧ କାରବାର ଘଟଣା ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଦାୟିତ୍ୱ ଅପରାଧ ନିୟନ୍ତ୍ରଣ ଶାଖା (କ୍ରାଇମ୍‌ ବ୍ରାଞ୍ଚ)କୁ ହସ୍ତାନ୍ତର କରିଛନ୍ତି। ଶାଖାର ସ୍ୱତନ୍ତ୍ର କାର୍ଯ୍ୟବଳ(ଏସ୍‍ଟିଏଫ୍‍) ଏହାର ତଦନ୍ତ କରିବ ବୋଲି ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି।

ସ୍ୱତନ୍ତ୍ର କାର୍ଯ୍ୟବଳ ପ୍ରଥମ ଦିନରେ ତଦନ୍ତ ଆରମ୍ଭ କରିଛି। ଔଷଧ ବଜାର ସମ୍ପର୍କରେ ତଥ୍ୟ ସଂଗ୍ରହ ଲାଗି ପ୍ରଥମ ପର୍ଯ୍ୟାୟରେ ଭେଷଜ ନିୟନ୍ତ୍ରକ ଅନ୍ନଦା ଶଙ୍କର ଦାସଙ୍କ ସହିତ ସ୍ୱତନ୍ତ୍ର କାର୍ଯ୍ୟବଳର ଉପ ମହାନିରୀକ୍ଷକ ଜୟନାରାୟଣ ପଙ୍କଜ ଆଲୋଚନା କରିଛନ୍ତି। ନକଲି ଔଷଧର ଚେର ଖୋଜିବା ଲାଗି ରାଜ୍ୟ ବାହାର ଅର୍ଥାତ ଉତ୍ତରପ୍ରଦେଶକୁ ସ୍ୱତନ୍ତ୍ର କାର୍ଯ୍ୟବଳର ଦଳ ଯିବ। ଅନ୍ୟପକ୍ଷରେ କଟକ କନିକା ଛକର ମହଜୁଦକାରୀ (ଷ୍ଟକିଷ୍ଟ) ମେଡିଲିଓଡ୍‍ ମେଡିକାମେ ପ୍ରାଇଭେଟ୍‍ ଲିମିଟେଡ଼ର ମାଲିକ ଶିବପ୍ରସନ୍ନ ଜେନାଙ୍କୁ ଉପ ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ କାରଣ ଦର୍ଶାଅ ନୋଟିସ୍‍ ଜାରି କରିଛନ୍ତି। ସେ କାହାଠାରୁ ଏବଂ କେଉଁ ଆଧାରରେ ଏହି ନକଲିି ଔଷଧ କ୍ରୟ କରିଥିଲେ ଏବଂ ଏହାପୂର୍ବରୁ ସେ ସେଠାରୁ ଅନ୍ୟ ଔଷଧ କିଣି ଥିଲେ କି ନାହିଁ, ଉତ୍ତରପ୍ରଦେଶ ଗାଜିଆବାଦର ଉକ୍ତ ସଂସ୍ଥାକୁ କେମିତି ଜାଣିଲେ ସେନେଇ ଅନେକ ତଥ୍ୟ ଦେବାକୁ ଉକ୍ତ ଷ୍ଟକିଷ୍ଟଙ୍କୁ ନୋଟିସ୍‍ କରାଯାଇଛି। ତେବେ ଏହି ନକଲି ଔଷଧର ନିର୍ମାତା ହିମାଚଳ ପ୍ରଦେଶର ମ୍ୟାକ୍ସ ରିଲିଫ ହେଲ୍‌ଥ କେୟାର ସଂସ୍ଥା କେଉଁଠାରେ ଏନେଇ ମଧ୍ୟ ତଦନ୍ତ କରାଯିବ। ସ୍ୱତନ୍ତ୍ର କାର୍ଯ୍ୟବଳର ଦୁଇଟି ଦଳ ଦୁଇଟି ସ୍ଥାନକୁ ଯିବ ବୋଲି ଜଣାପଡ଼ିଛି।

ନକଲି ଫାଭିପିରାଭିର୍‍ ଔଷଧ ରାଜ୍ୟକୁ ଆସିଥିଲେ ସୁଦ୍ଧା କୌଣସି ଖୁଚୁରା ଔଷଧ ଦୋକାନରେ ଏହାର ବିକ୍ରି ଆରମ୍ଭ ହୋଇ ନ ଥିବା ଉପ ଔଷଧ ନିୟନ୍ତ୍ରକ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ଅନ୍ୟ ୯ ପ୍ରକାର ନକଲି ଔଷଧ ମିଳିଛି। ସେନେଇ ମଧ୍ୟ ତଦନ୍ତ ଚାଲିଥିବା ଜଣାପଡ଼ିଛି। କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ଫାଭିପିରାଭିର୍‍ ଭଳି ଗୁରୁତ୍ୱପୂର୍ଣ୍ଣ ଔଷଧର ନକଲି ଘଟଣାକୁ ଅଧିକ ଗୁରୁତ୍ୱ ଦିଆଯାଇ ତଦନ୍ତ କରାଯାଉଥିବା ସ୍ୱତନ୍ତ୍ର କାର୍ଯ୍ୟବଳର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.