ଏମିତି ବି ଆସେ ଦୁଃଖ : ଝିଅକୁ ଡାକ୍ତରଖାନା ନେବା ପୂର୍ବରୁ ଚାଲିଗଲା ବାପାର ଜୀବନ

ଭଦ୍ରକ : ରାତି ପାହିଥିଲେ ଝିଅକୁ ନେଇ ଯାଇଥାନ୍ତେ କଟକ ବଡ ଡାକ୍ତରଖାନା। ହେଲେ ବାପା ପାଇଁ ସେହି ରାତି ଥିଲା କାଳ ରାତି। ଦୁର୍ଘଟଣାରେ ଲିଭିଗଲା ବାପାର ଜୀବନ ଦୀପ। ଉଜୁଡ଼ିଗଲା ସଂସାରର ସୁଖ। ଏବେ ଘରେ ବାହୁନି କାନ୍ଦୁଛି ପତ୍ନୀ। ଯନ୍ତ୍ରଣାରେ ଥିବା କୁନି ଝିଅ ଚାହିଁ ବସିଛି ବାପାର ଅଫେରା ବାଟକୁ। ଗତ ୧୪ ତାରିଖ ବିଳମ୍ବିତ ରାତ୍ରିରେ ସାବରଙ୍ଗ ଉଚ୍ଚବିଦ୍ୟାଳୟ ଛକରେ ଘଟିଥିବା ଦୁର୍ଘଟଣା ଆଣିଛି ଏମିତିକା ଦୁଃଖ। ଦୁର୍ଘଟଣାରେ ଜୀବନ ହାରିଥିଲେ ୩ ଜଣ। ତାଙ୍କ ମଧ୍ୟରୁ ଜଣେ
ହେଉଛନ୍ତି ଦୁଃଶାସନ ମହାପାତ୍ର। ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଣ୍ଡୀଗାଁ ଅଞ୍ଚଳରେ। ଦୁଃଶାସନ ଉପରେ ପୂରା ପରିବାର ନିର୍ଭରଶୀଳ। ୫ ବର୍ଷର ଝିଅ ବୃକକ୍‌ ରୋଗାକ୍ରାନ୍ତ। ଝିଅର ଦେହ ହାତ ଫୁଲିଯାଉଛି। ୩ ବର୍ଷ ହେଲା ଝିଅକୁ ଚିକିତ୍ସା କରି ଚାଲିଛନ୍ତି ଦୁଃଶାସନ। ପ୍ରତିମାସ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। ଏଥିପାଇଁ କେଉଁଠି ମୂଲ ଲାଗନ୍ତି ତ’ କେଉଁଠି ରୋଷେୟା ତ’ କେଉଁଠି ରାଜମିସ୍ତ୍ରି କାମ ବି କରନ୍ତି। ଘର ଠାରୁ ୮୦ କିଲୋମିଟର ଦୂର ଧାମରାରେ କାମ କରୁଥିଲେ ଦୁଃଶାସନ। ଝିଅର ଦେହହାତ ବେଶି ଫୁଲି ଗଲାଣି ବୋଲି ଖବର ପାଇବା ପରେ ଦୁଃଶାସନ ‘ଆଜି ରାତିରେ ଘରକୁ ଯିବି, ଟଙ୍କା ଯୋଗାଡ କରି ଝିଅକୁ କଟକ ବଡ ଡାକ୍ତରଖାନା ନେବି’ ବୋଲି ପତ୍ନୀ ପଦ୍ମାବତୀଙ୍କୁ କହିଥିଲେ। ଧାମରାରୁ ଦୁଇଜଣ ସାଙ୍ଗଙ୍କ ସହ ମଟରସାଇକଲ ଯୋଗେ ଆସୁଥିଲେ। ହେଲେ ବିଧିର ବିଧାନ ଥିଲା ଭିନ୍ନ। ତାଙ୍କ ମଟରସାଇକଲକୁ କୌଣସି ଏକ ଗାଡ଼ି ଧକ୍କା ଦେଇଥିଲା। ଦୁଇସାଙ୍ଗ ଏଡ଼ତାଳର ଦୈତାରୀ ବେହେରା ଓ ପ୍ରକାଶ ଦଳେଇଙ୍କ ସହ ଦୁଃଶାସନଙ୍କ ଜୀବନ ଚାଲିଗଲା।

Comments are closed.