୪ବର୍ଷର ଝିଅକୁ ଠେଙ୍ଗାରେ ବାଡେଇ ହତ୍ୟା କଲା ନୃଶଂସ ବାପା

ବଣେଇ : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଲାଲ ହାଟିଙ୍ଗ ରେ ନିଜ ନାବାଳିକା ଝିଅକୁ ବହୁ ଜୋରରେ ପିଟିବା ଦ୍ବାରା ଝିଅର ମୃତ୍ୟୁ ହୋଇଛି। ଏମିତି ଏକ ଲୋମଟାଙ୍କୁରା ଘଟଣା କୋଇଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ କୋଇଡାର ଲାଲ ହାଟିଙ୍ଗରେ ଅରୁଣ ଲାଖୁଆ ନିଜର ଦୁଇ ସ୍ତ୍ରୀ ଓ ପିଲାଙ୍କ ସହ ରହି ସ୍ଥାନୀୟ କୋଇଡା ଅଞ୍ଚଳରୁ ପ୍ଲାଷ୍ଟିକ ବୋତଲ , କାଚ ବୋତଲ ଓ ଭଙ୍ଗା ଟିଣ ଲୁହା ଆଦି ଗୋଟାଇ ନିଜର ପରିବାର ପତିପୋଷଣ କରୁଥିଲେ। ଗତ ସୋମବାର ଦିନ ଦୁଇ ସ୍ତ୍ରୀଙ୍କ ଅନୁପସ୍ଥିତିରେ ଅରୁଣ ନିଜର ୪ବର୍ଷର ଝିଅକୁ କୌଣସି କାରଣରୁ ପିଟି ପିଟି ଝିଅର ହାତ ଭାଙ୍ଗି ଦେଇଥିଲା। ଦୁଇ ସ୍ତ୍ରୀ ଘରକୁ ଫେରିବା ପରେ ଝିଅର ଏଭଳି ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଝିଅକୁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଓ ପରେ ପରେ ବଡବିଲ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ବଡବିଲ ରେ ଝିଅର ଚିକିତ୍ସା କରାଯିବା ପରେ ସେମାନେ ଘରକୁ ଫେରିଥିଲେ। ହେଲେ ଘରକୁ ଫେରିବା ପରେ ଝିଅର ମୃତ୍ୟୁ ହୋଇଥିଲା।

ଝିଅର ମୃତ୍ୟୁ ଖବର ଜାଣିବା ପରେ ବାପା ଅରୁଣ ଓ ଦ୍ବିତୀୟ ସ୍ତ୍ରୀ ଝିଅକୁ ନେଇ ରାଉରକେଲା ୬ ନମ୍ବର ବସ୍ତିରେ ପୋତିବାକୁ ନେଇଥିବା ବେଳେ ସ୍ଥାନୀୟ ଲୋକ ଜାଣି ପାରି ରାଉରକେଲା ୭ନମ୍ବର ଥାନାକୁ ଖବର ଦେଇଥିଲେ ଓ ସ୍ବାମୀ ସ୍ତ୍ରୀ ସେଠାରୁ ଫେରାର ହୋଇ ଯାଇଥିଲେ। ଆଜି ଅରୁଣର ପ୍ରଥମ ସ୍ତ୍ରୀ ଗୀତା ଲାଖୁଆ ଏ ନେଇ କୋଇଡା ଥାନାରେ ଅଭିଯୋଗ କରିବା ପରେ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଏକ ହତ୍ୟା ମାମଲା ରୁଜୁ କରି ରାଉରକେଲା ୭ନମ୍ବର ଥାନା ଅଧିକାରୀ ସହିତ କଥା ହୋଇ ଶବ ବ୍ୟବଚ୍ଛେଦ କରିଥିଲେ।

Comments are closed.