କରୋନା ପରେ ମାନସିକ ଭାରସାମ୍ୟ ହରାଇ ୪ଝିଅଙ୍କ ବାପା ନିଖୋଜ

ଚୌଦ୍ୱାର : କରୋନାରୁ ଆରୋଗ୍ୟଲାଭ କରିବା ପରେ ମାନସିକ ଭାରସାମ୍ୟ ହରାଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ ବାଣିପଦା ପଞ୍ଚାୟତ ଗୋଖା ସାହିର ରାମଚନ୍ଦ୍ର ମଲ୍ଲିକ ଆଜକୁ ୧୨ ଦିନ ନିଖୋଜ ହୋଇ ଯାଇଥିବା ଚୌଦ୍ୱାର ଥାନାରେ ଅଭିଯାଗ ହୋଇଛି।ପ୍ରକାଶଯେ ରାମଚନ୍ଦ୍ର ପେଷାରେ ଜଣେ ଡ୍ରାଇଭର ଏବଂ ତାଙ୍କର ୪ଟି ଝିଅ। ସେ କରୋନା ପୀଡ଼ିତ ହୋଇ ଘରେ ରହି ଔଷଧ ଖାଇ ଭଲ ହେବା ପରେ ତାଙ୍କର ମାନସିକ ବିକୃତି ଆରମ୍ଭ ହୋଇଥିଲା। ଗତ କିଛିଦିନ ତଳେ ତାଙ୍କର ମୁଣ୍ଡ ଦୋଷ ବାହାରିବାରୁ ସେ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହିତ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଫଳରେ ତାଙ୍କ ସ୍ତ୍ରୀ ଓ ୪ ଝିଅ ତାଙ୍କ ଭୟରେ ପଡ଼ିଶା ଘରେ ଆଶ୍ରୟ ନେଇଥିଲେ। ଏସମ୍ପର୍କରେ ଟିପିଏମ ଫାଣ୍ଡିକୁ ମଧ୍ୟ ଜଣାଇଥିଲେ। ଫାଣ୍ଡି ଅଧିକାରୀ ମାନସ କୁମାର ମହାରଣା ତାଙ୍କ ଘରେ ପହଞ୍ଚି ରାମଚନ୍ଦ୍ରକୁ ବୁଝେଇବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ୧୫ତାରିଖରୁ ମଧ୍ୟ ରାତ୍ରିରୁ ରାମଚନ୍ଦ୍ର ଏକ ହିରୋହୋଣ୍ଡା ମଟର ସାଇକେଲ ନେଇ କେଉଁ ଆଡେ ପଳାଇ ଯାଇ ଆଜି ପର୍ଯ୍ୟନ୍ତ ଆଉ ଘରକୁ ଫେରି ନାହାନ୍ତି। ଏନେଇ ପତ୍ନୀ ପାର୍ବତୀ ଚୌଦ୍ୱାର ଥାନାରେ ୧୬ତାରିଖ ଦିନ ଏକ ଲିଖିତ ଅଭିଯୋଗ କରିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ୪ଝିଅଙ୍କୁ ଛାଡି କେଉଁ ଆଡେ ପଳାଇ ଯାଇଥିବାରୁ ପତ୍ନୀ ଓ ପରିବାର ସଦସ୍ୟ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ପୁଲିସ ରାମଚନ୍ଦ୍ରଙ୍କୁ ଠାବ କରିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି।

Comments are closed.