କରୋନାରୁ କରୁଣ ସ୍ଥିତି : ସପ୍ତାହେ ମଧ୍ୟରେ ଜୀବନ ହାରିଲେ ବାପ-ପୁଅ

ସାହାଯ୍ୟର ହାତ ବଢାଇଲା ସଂକଳ୍ପ ପରିବାର

ବରଗଡ଼ : ବରଗଡ଼ ସଂକଳ୍ପ ପରିବାର ତରଫରୁ ବୁଧବାର ଜଣେ କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି। ମୃତକ ଜଣକ ହେଲେ ସହେଲା ବ୍ଲକ ଚିଛିଣ୍ଡା ଗ୍ରାମର ପ୍ରଦୀପ ନାଏକ(୪୨)। ସେ ସହେଲା ପଶୁ ଡାକ୍ତରଖାନାରେ ଗୋମିତ୍ର ଭାବରେ କାର୍ଯ୍ୟ କରୁଥିଲେ। ମୃତ ପ୍ରଦୀପ ଗତ ଅକ୍ଟୋବର  ୩୦ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନିଜ ଘରେ ହୋମ କ୍ୱାରାଣ୍ଟାଇନରେ ରହି ଚିକିତ୍ସିତ ହେଉଥିଲେ । ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଥିଲା। ହୋମ କ୍ୱାରାଣ୍ଟାଇନରେ ଥିବା ଯୋଗୁଁ ପରିବାର ଲୋକେ ସଂକଳ୍ପ ପରିବାରକୁ ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ। ସଂକଳ୍ପ ପରିବାରର ପକ୍ଷରୁ ପିପଳମୁଣ୍ଡାରେ ଥିବା କୋଭିଡ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର କରାଯାଇଥିଲା।

ସୂଚନାଯୋଗ୍ୟ ଗତ ୨୯ତାରିଖ ଗୁରୁବାର ଦିନ ତାଙ୍କର ବାପା ଚନ୍ଦ୍ରଶେଖର ନାଏକ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ତେଣୁ ଗୋଟିଏ ସପ୍ତାହ ମଧ୍ୟରେ ଉଭୟ ବାପ ପୁଅଙ୍କ ଜୀବନ ଚାଲିଯାଇଥିବାରୁ ତାଙ୍କ ପରିବାର ହତାଶ ହୋଇ ପଡିଛନ୍ତି । ସଂକଳ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲଙ୍କ ନେତୃତ୍ୱରେ ନିଧାନ ଦନ୍ତା, ନିଲେଶ ପଧାନ,ବିକାଶ ଭୋଇ,ସୁମନ୍ତ ଭୋଇ ପ୍ରମୁଖ ଶବ ସତ୍କାରରେ ସହଯୋଗ କରିଥିବା ବେଳେ ମୃତକଙ୍କ ପୁଅ ପ୍ରେମାନନ୍ଦ ନାଏକ ପିପିଇ କିଟ ପିନ୍ଧି ମୁଖାଗ୍ନି ଦେଇଥିଲେ ।

Comments are closed.