କାମ ଦେଲାନି ୨୬-ସୂତ୍ରୀ ଯୋଜନା, ଧୂସର ତାଲିକା ଭୁକ୍ତ ହେଲା ପାକିସ୍ତାନ

0

ଇସ୍‍ଲାମାବାଦ : ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନକୁ ବଡ଼ଧରଣର ଝଟକା ଲାଗିଛି। ଆତଙ୍କବାଦୀ ନିରୋଧୀ ଅଭିଯାନ ପାଇଁ ୨୬-ସୂତ୍ରୀ ଯୋଜନା ପୈଠ କରିବା ସତ୍ତ୍ବେ ଅର୍ଥନୈତିକ କ୍ରିୟାନୁଷ୍ଠାନ ବାହିନୀ (ଏଫ୍‍ଏଟିଏଫ୍‍) ପାକିସ୍ତାନକୁ ଧୂସର ରଙ୍ଗ (ଗ୍ରେ-ଲିଷ୍ଟ) ତାଲିକା ଭୁକ୍ତ କରିଛି। ତେବେ ପାକିସ୍ତାନ କଳା ତାଲିକା ଭୁକ୍ତ ହେବାରୁ ବର୍ତ୍ତିଯାଇଛି। ୩୭ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ଏଫ୍‍ଏଟିଏଫ୍‍ରେ ନିଜ ସ୍ଥିତିକୁ ଦୃଢ କରିବା ପାଇଁ ପାକିସ୍ତାନର କୂଟନୀତିଜ୍ଞ ପ୍ରୟାସ ବିଫଳ ହୋଇଛି ଓ ପାକିସ୍ତାନ ପୁଣିଥରେ ଧୂସର ତାଲିକା ଭୁକ୍ତ ହୋଇଛି। ପ୍ୟାରିସଠାରେ ବୁଧବାର ବିଳମ୍ବିତ ରାତିରେ ଏଫ୍‍ଏଟିଏଫ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପାକିସ୍ତାନ ପ୍ରତିନିଧି ଭାବେ ତାର ଅର୍ଥ ମନ୍ତ୍ରୀ ସାମସାଦ ଅଖତର ପକ୍ଷ ରଖିଥିଲେ। ଉଲ୍ଲେଖ ଯେ ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‍ ସୟିଦ ନେତୃତ୍ୱାଧୀନ ଜମାତ୍‍-ଉଦ୍‍-ଦାୱା ସମେତ ଅନ୍ୟ ସମସ୍ତ ଆତଙ୍କବାଦୀ ସଂଗଠନଗୁଡିକୁ ଆର୍ଥିକ ସହାୟତା ରୋକିବା ଲାଗି ପାକିସ୍ତାନ ୨୬-ସୂତ୍ରୀ ଯୋଜନା ପ୍ରସ୍ତୁତ କରି ଏଫ୍‍ଏଟିଏଫ୍‍କୁ ପ୍ରଦାନ କରିଥିଲା। ଆଲୋଚନା ପରେ ପାକିସ୍ତାନ ପକ୍ଷ ଦୁର୍ବଳ ଥିବା ଦର୍ଶାଇ ତାକୁ ଧୂସର ତାଲିକା ଭୁକ୍ତ କରିବାକୁ ଅନ୍ୟ ସଦସ୍ୟ ରାଷ୍ଟ୍ର ନିଷ୍ପତ୍ତି ନେଇଥିଲେ।
ପ୍ରକାଶ ଯେ ବେଆଇନ ଅର୍ଥକାରବାର, ଅର୍ଥନୈତିକ ଆତଙ୍କବାଦ ତଥା ଦେଶର ଅର୍ଥନୈତିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ରୋକିବା ଲାଗି ୧୯୮୯ରେ ଅନ୍ତଃ-ସରକାରୀ ସଂଗଠନ ଏଫ୍‍ଏଟିଏଫ୍‍ର ପ୍ରତିଷ୍ଠା କରାଯାଇଥିଲା। ଏଫ୍‍ଏଟିଏଫ୍‍ ଧୂସର ତାଲିକା ଭୁକ୍ତ ରାଷ୍ଟ୍ରକୁ ଅନ୍ତର୍ଜାତୀୟ ସଂସ୍ଥାରୁ ଋଣ ମିଳିବା ଅତି କଷ୍ଟକର ହୋଇଥାଏ। ପାକିସ୍ତାନ ପକ୍ଷରୁ ପ୍ରସ୍ତୁତ ୧୫ ମାସିଆ ୨୬-ସୂତ୍ରୀ ଯୋଜନାରେ ପାକିସ୍ତାନ ଆଇଏସ୍‍ଆଇଏସ୍‍, ଅଲ୍‍ କାଏଦା, ଜମାତ୍‍-ଉଦ୍‍-ଦାୱା, ଲସ୍କର-ଇ-ତୋଏବା, ଜୈଶ-ଇ-ମହମ୍ମଦ, ହକ୍କାନୀ ନେଟୱର୍କ ଏବଂ ତାଲିବାନ ସହିତ ସଂମ୍ପୃକ୍ତ ବ୍ୟକ୍ତିଙ୍କୁ ପାଣ୍ଠି ଯୋଗାଣ ବନ୍ଦ ଓ କଟକଣା ଜାରି କରିବାକୁ ଉଲ୍ଲେଖ କରିଥିଲା। ମଙ୍ଗଳବାର ଏନେଇ ଏଫ୍‍ଏଟିଏଫ୍‍ରେ ଆଲୋଚନା ହୋଇଥିଲା ଓ ବୁଧବାର ବିଳମ୍ବିତ ରାତିରେ ଚୂଡ଼ାନ୍ତ ନିଷ୍ପତ୍ତି ଅନୁସାରେ ପାକିସ୍ତାନକୁ ଧୂସର ତାଲିକା ଭୁକ୍ତ କରାଯାଇଛି। ଏହାଦ୍ୱାରା ପାକିସ୍ତାନରେ ବହୁ ରାଷ୍ଟ୍ରୀୟ କମ୍ପାନୀର ନିବେସ ଉପରେ ନକରାତ୍ମକ ପ୍ରଭାବ ପଡ଼ିବ।
ଅପରପକ୍ଷରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏହାକୁ ଏକ କୂଟନୈତିକ ନିଷ୍ପତ୍ତି ଓ ଏହି ନିଷ୍ପତ୍ତି ସହ ଆତଙ୍କବାଦ ବିରୋଧରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନର କୌଣସି ନେଣଦେଣ ନାହିଁ ବୋଲି କହିଛି। ଏଫ୍‍ଏଟିଏଫ୍‍ ନିଷ୍ପତ୍ତି ଅନୁସାରେ ପାକିସ୍ତାନ ଏବେ ବର୍ଷେ କିମ୍ବା ତାଠାରୁ ଅଧିକ ସମୟ ଧୂସର ତାଲିକା ଭୁକ୍ତ ରହିବ। ଏଠାରେ ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ପାକିସ୍ତାନ ୨୦୧୨, ୨୦୧୫ ଧୂସର ତାଲିକା ଭୁକ୍ତ ହୋଇସାରିଛି। ୨୦୧୮ ଫେବୃଆରୀରେ ପାକିସ୍ତାନ ବିପକ୍ଷରେ ଏହି ପକ୍ରିୟା ଆରମ୍ଭ ହୋଇଥିଲା ଓ ଏବେ ତାକୁ ଧୂସର ତାଲିକା ଭୁକ୍ତ କରାଯାଇଛି।

Leave A Reply