ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସର ଚେତାବନୀ – ଆତଙ୍କବାଦୀ ଗୋଷ୍ଠୀକୁ ଅର୍ଥ ଦେଉଛି ପାକିସ୍ତାନ

ସମାଜ ପୋର୍ଟାଲ ଡେସ୍କ: ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ବା ଏଫ୍‍.ଏ.ଟି.ଏଫ୍‍. ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ଏବେ ମଧ୍ୟ ବିଶ୍ୱରେ ଥିବା ସେମାନଙ୍କର ସମର୍ଥକମାନଙ୍କଠାରୁ ବେଆଇନ୍‍ ଭାବେ ପାଣ୍ଠି ସଂଗ୍ରହ କରି ନିଜର କାର୍ଯ୍ୟକଳାପ ଚଳାଇଛନ୍ତି। ଏହି ପାଣ୍ଠି ସଂଗ୍ରହକୁ ବନ୍ଦ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ରୋକିବାରେ ତାହା ବିଶେଷ ଫଳପ୍ରଦ ହେଉନାହିଁ। ଭାରତ କହିଆସୁଛି ଯେ ପାକିସ୍ତାନ ନିୟମିତ ଭାବେ ଲସ୍କର-ଇ-ତଏବା, ଜୈସ୍‍-ଇ-ମହମ୍ମଦ ଓ ହିଜ୍‍ବୁଲ୍‍ ମୁଜାହିଦ୍ଦିନ୍‍ ଭଳି ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ ସହଯୋଗ କରିଆସିଛି। ଏହିସବୁ ସଂଗଠନ ଭାରତରେ ଆତଙ୍କବାଦ ସୃଷ୍ଟି କରିବାକୁ ସଦା ଚେଷ୍ଟିତ। ପାକିସ୍ତାନର ଏଭଳି ବେଆଇନ୍‍ କାର୍ଯ୍ୟ ପାଇଁ ଏଫ୍‍.ଏ.ଟି.ଏଫ୍‍. ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଭାରତ ଦାବି କରି ଆସୁଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ।

ଏବେ ଫ୍ରାନ୍ସ ରାଜଧାନୀ ପ୍ୟାରିଶଠାରେ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସର ୭ ଦିନିଆ ପୂର୍ଣ୍ଣାଙ୍ଗ ଅଧିବେଶନ ଚାଲିଛି। ପାକିସ୍ତାନ ବିରୋଧରେ ଆତଙ୍କବାଦୀ ଓ ବେଆଇନ୍‍ ଭାବେ ଅର୍ଥ ଯୋଗାଣ ନେଇ ଯେଉଁ ଅଭିଯୋଗ ରହିଛି ସେହି ଆଧାରରେ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଏହି ଅଧିବେଶନରେ ନିଷ୍ପତ୍ତି ନିଆଯିବ। ପାକିସ୍ତାନକୁ ଏଥିପାଇଁ ସନ୍ଦିଗ୍ଧ ତାଲିକା, କଳାତାଲିକା କିମ୍ବା ଦୋଷ ମୁକ୍ତ କରାଯିବ ତାହା ଏଥିରେ ନିର୍ଣ୍ଣିତ ହେବ। ଏଫ୍‍.ଏ.ଟି.ଏଫ୍‍. ପାକିସ୍ତାନର ନାଁ ନ ନେଇ କହିଛି ଯେ ଆତଙ୍କବାଦୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ନିର୍ଦ୍ଦିଷ୍ଟ କେତେକ ଦେଶରୁ ଅର୍ଥ ପାଉଛନ୍ତି, ସେମାନେ ମଧ୍ୟ ନୂଆ ଅନୁଗାମିଙ୍କୁ ଯୋଗାଡ଼ କରିବା ଓ ଅନ୍ୟାନ୍ୟ ସହାଯ୍ୟ ସହଯୋଗ ପାଇବା ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି।

Comments are closed.