ଜାତୀୟ ରାଜପଥ ଟୋଲ ପ୍ଲାଜାରେ ସମସ୍ତ ପ୍ରକାର ରିଆତି ପାଇଁ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଜାରି କଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥ କର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛି। ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ ରିଆତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ଗେଜେଟ ବିଜ୍ଞପ୍ତିରେ ଏହା କୁହାଯାଇଛି। ଜାତୀୟ ରାଜପଥରେ ପଥକର ନିର୍ଦ୍ଧାରଣ ଏବଂ ଆଦାୟ ସଂକ୍ରାନ୍ତ ୨୦୦୮ ମସିହାର ଆଇନରେ ପରିବର୍ତ୍ତନ କରାଯାଇଛି। ତେଣୁ ଏବେ ଯାନବାହନ ଚାଳକମାନଙ୍କୁ ଫେରିବାର ୨୪ ଘଣ୍ଟା ମଧ୍ୟରେ ରିଆତି ସୁବିଧା ହାସଲ କରିବା ଏବଂ ଅନ୍ୟାନ୍ୟ ସମସ୍ତ ସ୍ଥାନୀୟ କର ଛାଡ ଏବଂ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହା ସ୍ୱୟଂକ୍ରିୟ ଭାବେ କାର୍ଯ୍ୟ କରିବ ଏବଂ ଏଥିପାଇଁ ପାସ୍‌ର ଆବଶ୍ୟକତା ପଡିବନାହିଁ।

ଜାତୀୟ ରାଜପଥର ଟୋଲ ଫି ପ୍ଲାଜାଗୁଡିକରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସରକାରଙ୍କ ଆଉ ଏକ ପଦକ୍ଷେପ। ଏଥିରେ ଚାଳକ ପଥକର ବାବଦରେ ଯେଉଁ ଅର୍ଥ ଦେବାକୁ ହେବ ତାହା ପ୍ରିପେଡ୍‌ ବ୍ୟବସ୍ଥାରେ ହିଁ ହେବ । ସେହି ଦେୟ ଉପରେ ଆବଶ୍ୟକ ରିଆତି ମଧ୍ୟ ଡିଜିଟାଲ ବ୍ୟବସ୍ଥାରେ ହିସାବ କରାଯାଇ ନିୟମ ଅନୁସାରେ ଫେରସ୍ତ କରାଯିବ । ଏସବୁ ଦେଣନେଣ ସ୍ମାର୍ଟକାର୍ଡ ବା ଫାଷ୍ଟଟ୍ୟାଗ୍‌ରେ ହେଉଥିବାରୁ ସବୁ ଗାଡିଚାଳକ ଏଭଳି ବ୍ୟବସ୍ଥାକୁ ବ୍ୟବହାର କରିବାକୁ କୁହାଯାଇଛି । ଅନ୍ୟାନ୍ୟ କ୍ଷେତ୍ରରେ ଟୋଲ ପ୍ଲାଜାରେ ରିଆତି ଏବଂ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ବୈଧ ଫାଷ୍ଟଟ୍ୟାଗ୍‌ ବ୍ୟବହାର କରିବାକୁ ପଡିବ । ସଂଶୋଧନ ଅନୁସାରେ ଆହୁରି ମଧ୍ୟ ଗାଡି ଚାଳକଙ୍କ ପାଇଁ ଏପରି ସୁବିଧା ପ୍ରଦାନ କରାଯାଇଛି । ଯଦି କେହି ଚାଳକ ୨୪ ଘଣ୍ଟାରେ ଫେରିବା ଲାଗି ଦେୟ ରିଆତି ପାଇଥାଏ ସେଥିପାଇଁ ଆଗୁଆ ରସିଦ କିମ୍ବା ସୂଚନାର କୌଣସି ଆବଶ୍ୟକତା ନାହିଁ । ସେ ୨୪ ଘଣ୍ଟା ମଧ୍ୟରେ ଫେରିଲେ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ରିଆତି ପାଇପାରିବେ । ଏଥିପାଇଁ ଗାଡିରେ ବୈଧ ଓ କାର୍ଯ୍ୟକ୍ଷମ ଫାଷ୍ଟଟ୍ୟାଗ୍‌ ଲଗାଇବାକୁ ପଡିବ।

Comments are closed.