୧୫ଦିନ ପାଇଁ ମାଗଣାରେ ଫାସ୍‍ଟ୍ୟାଗ୍‍

ନୂଆଦିଲ୍ଲୀ : ଦେଶରେ ଇଲେକ୍‍ଟ୍ରୋନିକ ପଦ୍ଧତିରେ ଟୋଲ୍‍ ଆଦାୟକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଫାସ୍‍ଟ୍ୟାଗ ଫି’ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡିଜିଟାଲ ଉପାୟରେ ଅର୍ଥ ଆଦାୟକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଦେଶର ୫୨୭ରୁ ଅଧିକ ରାଜପଥରେ ଫାସ୍‍ଟ୍ୟାଗ ଜରିଆରେ ଟୋଲ୍‍ ସଂଗ୍ରହ ବ୍ୟବସ୍ଥା ପ୍ରଚଳନ କରିଥିଲେ। ତେବେ ଏନଏଚଏଆଇ ଫାସ୍‍ଟ୍ୟାଗ ପାଇଁ ନିଆଯାଉଥିବା ୧୦୦ ଟଙ୍କା ଫି’କୁ ପନ୍ଦରଦିନ ପାଇଁ ଛାଡ କରାଯାଇଛି। ଏହା ଚଳିତ ମାସ ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୌଣସି ବ୍ୟକ୍ତି ନିଜ ଗାଡିର ବୈଧ ପଞ୍ଜିକରଣ ସାର୍ଟିଫିକେଟ ନେଇ ସ୍ୱୀକୃତିପ୍ରାପ୍ତ ପଏଣ୍ଟ ଅଫ ସେଲ୍‍ରୁ ମାଗଣାରେ ଫାସ୍‍ଟ୍ୟାଗ ନେଇପାରିବେ। ଏଥିସହିତ ସମସ୍ତ ଏନଏଚଏଆଇ ଟୋଲ୍‍ ପ୍ଲାଜା, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କମନ ସର୍ଭିସ ସେଣ୍ଟର, ଟ୍ରାନ୍ସପୋର୍ଟ ହବ୍‍, ପେଟ୍ରୋଲ ପମ୍ପରେ ମଧ୍ୟ ଉପଲବ୍ଧ ହେବ। ତେବେ ଫାସ୍‍ଟ୍ୟାଗ ପାଇଁ ସର୍ବନିମ୍ନ ସିକ୍ୟୁରିଟି ଜମା ଏବଂ ବାଲାନ୍ସ ପରିମାଣ ଅପରିବର୍ତ୍ତିତ ରଖାଯାଇଛି।

Comments are closed.