ମଙ୍ଗୁଳି ସମେତ ୬୫ଟି ଟୋଲ ପ୍ଲାଜାରେ ଫାସ୍ଟ୍ୟାଗ ନିୟମ କୋହଳ

ଅଧିକ ନଗଦ କାରବାର ହେଉଥିବା ଟୋଲ ପ୍ଲାଜାରେ ୩୦ ଦିନ ପାଇଁ ଅସ୍ଥାୟୀ ଭାବେ ଲାଗୁ ହେବ

-୨୫% ହାଇବ୍ରିଡ୍‍ ଲେନ ବ୍ୟବସ୍ଥାରେ ହେବ ଟୋଲ ଆଦାୟ

ନୂଆଦିଲ୍ଲୀ :  ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ବାରା ଚିହ୍ନଟ ୬୫ଟି ଟୋଲ ପ୍ଲାଜାରେ ବୁଧବାରଠାରୁ ଆସନ୍ତା ୩୦ ଦିନ ପାଇଁ ଫାସ୍ଟ୍ୟାଗ ନିୟମକୁ କୋହଳ କରିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି  ନିଆଯାଇଛି । ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହି ସବୁ ଟୋଲ ପ୍ଲାଜାରେ ଫାସ୍ଟ୍ୟାଗ ପଇଠ ବ୍ୟବସ୍ଥା କୋହଳ କରାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୩୦ ଦିନ ସମୟ ମଧ୍ୟରେ ଏହି ୬୫ଟି ଟୋଲ ପ୍ଲାଜାରେ ଥିବା ଟୋଲ ଆଦାୟ ଲେନ୍ ମଧ୍ୟରୁ ୨୫ ପ୍ରତିଶତ ଲେନକୁ ହାଇବ୍ରିଡ ଲେନ୍ ଭାବେ ପରିବର୍ତିତ କରିବା ଲାଗି କୁହାଯାଇଛି । ଯାହାର ଅର୍ଥ ଏହି ସବୁ ଲେନରେ ଉଭୟ ନଗଦ ଏବଂ ଫାସ୍ଟ୍ୟାଗ ପଦ୍ଧତିରେ ଟୋଲ ଆଦାୟ କରାଯାଇପାରିବ।
ଏହି ୬୫ଟି ଟୋଲ ପ୍ଲାଜା ମଧ୍ୟରେ ଓଡ଼ିଶା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥସ୍ଥିତ ମଙ୍ଗୁଳି ଟୋଲ ପ୍ଲାଜା ସାମିଲ ରହିଛି । ଏସବୁ ଟୋଲପ୍ଲାଜାରେ ଅଧିକ ନଗଦ କାରବାର ହେଉଥିବା ଏନଏଚଏଆଇ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା। ବିଶେଷ କରି ଟୋଲ ପ୍ଲାଜାର ଦୁଇ ପାର୍ଶ୍ବରେ ଥିବା ହାଇବ୍ରିଡ ଲେନଗୁଡ଼ିକରେ ଅଧିକ ଗାଡ଼ି ଭିଡ଼ ଜମୁଥିଲା। ଗାଡ଼ିଚାଳକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଏହି ୬୫ଟି ଟୋଲ ପ୍ଲାଜାର ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିବର୍ତିତ କରାଯିବ। ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ତେବେ ଚିହ୍ନଟ ଟୋଲ ପ୍ଲାଜାରେ ହାଇବ୍ରିଡ ଲେନକୁ ଯଥାସମ୍ଭବ କମ୍ ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଅତିକମରେ ୭୫% ଲେନକୁ ‘ଫାସ୍ଟ୍ୟାଗ ଲେନ ଫି ପ୍ଲାଜା’ ଭାବେ ଅପରିବର୍ତିତ ରଖିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।
ଏହି ୬୫ଟି ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା ଅସ୍ଥାୟୀ ଭାବେ ମାତ୍ର ୩୦ ଦିନ ପାଇଁ ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଯାହାଫଳରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏହି ସମୟରେ ମଧ୍ୟ ସମ୍ପୂର୍ଣ୍ଣ ଫାସ୍ଟ୍ୟାଗ ବ୍ୟବସ୍ଥାକୁ ଲାଗୁ କରିବା ଏବଂ ଗାଡ଼ିଭିଡ଼ ଦୂର କରିବା ଦିଗରେ ଏନଏଚଏଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।

Comments are closed.