ଫେରନ୍ତାଙ୍କ ପାଇଁ ଫାଷ୍ଟ ଫରୱାର୍ଡ କାଉଣ୍ଟର ବ୍ୟବସ୍ଥା

ଭୁବନେଶ୍ବର: ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଗାଡ଼ିରେ ଫେରୁଥିବା ଲୋକଙ୍କ ପାଇଁ ରାଜ୍ୟ ସୀମାରେ ଥିବା ସମସ୍ତ ଚେକ୍ ପଏଣ୍ଟରେ ଫାଷ୍ଟ ଫରୱାର୍ଡ କାଉଣ୍ଟର ସ୍ଥାପନ କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଖୋଲା ଯାଇଥିବା ଏହି କାଉଣ୍ଟର ଦ୍ବାରା ଓଡ଼ିଶା ସରକାରଙ୍କ ଠାରେ ପଞ୍ଜିକୃତ ଯାନବାହନ ଏବଂ ଏଥିରେ ଆସୁଥିବା ଲୋକେ ସହଜରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିପାରିବେ। ଓଡ଼ିଶାକୁ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ପୋର୍ଟାଲରେ ପଞ୍ଜିକୃତ ହେବା ବାଧ୍ୟତାମୂଳକ କରାଯାଇଛି। ତେଣୁ ଯେଉଁ ଗାଡ଼ି ଏବଂ ଜନସାଧାରଣ ଏଥିରେ ଧାର୍ୟ୍ୟ ନିୟମାବଳି ଅନୁସାରେ ପଞ୍ଜିକୃତ ହୋଇଥିବେ ସେମାନଙ୍କୁ ସୀମାବର୍ତ୍ତି ଚେକ୍ ପଏଣ୍ଟରେ ଅଧିକ ସମୟ ଅପେକ୍ଷା କରି ରହିବାକୁ ପଡ଼ିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ସଂକ୍ରମଣ ଆଶଙ୍କାରେ ଏବେ ବାହାର ରାଜ୍ୟରୁ ବସ୍‌ରେ ପ୍ରବାସୀ ଓଡ଼ିଆଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି। କେବଳ ପଞ୍ଜିକୃତ ପ୍ରବାସୀମାନେ ଟ୍ରେନ୍‌ରେ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ଦୁଇଦିନ ତଳେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଏଥିସହ ଭଡ଼ା ଗାଡ଼ିରେ ପ୍ରବାସୀ ରାଜ୍ୟକୁ ଫେରିପାରିବେ। ଫଳରେ ଅନେକ ଲୋକ ଭଡ଼ା କିମ୍ବା ନିଜସ୍ବ ଗାଡ଼ିରେ ରାଜ୍ୟକୁ ଫେରୁଛନ୍ତି। ରାଜ୍ୟକୁ ଫେରିବା ପାଇଁ ଇଛୁକ ବ୍ୟକ୍ତି ଓଡ଼ିଶା କୋଭିଡ୍-୧୯ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ସେମାନେ ଯେଉଁ ଗାଡ଼ିରେ ଫେରିବେ ତାହାର ବିବରଣୀ ମଧ୍ୟ ପଞ୍ଜୀକରଣ ସମୟରେ ଉଲ୍ଲେଖ କରିବା ଜରୁରୀ। ପଞ୍ଜିକୃତ ବ୍ୟକ୍ତି ଓ ଘରୋଇ ଗାଡ଼ିକୁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ତେବେ ଚେକ୍ ପଏଣ୍ଟଗୁଡ଼ିକରେ କାଗଜପତ୍ର ଯାଞ୍ଚ ପାଇଁ ଲମ୍ବା ଧାଡ଼ି ଲାଗୁଛି। ଆବଶ୍ୟକୀୟ ଅନୁମତି ଥାଇ ବି ବହୁ ସମୟ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଫାଷ୍ଟ ଫରୱାର୍ଡ କାଉଣ୍ଟର ସ୍ଥାପନ କରାଯାଇଛି। ଏହି କାଉଣ୍ଟରରେ ପଞ୍ଜୀକରଣ ପ୍ରମାଣପତ୍ର ଦେଖାଇଲେ ଡ୍ୟୁଟିରେ ଥିବା କର୍ମଚାରୀ ଅନଲାଇନ୍‌ରେ ତାହା ଯାଞ୍ଚ କରି ଆଗକୁ ଯିବା ପାଇଁ ଅନୁମତି ଦେବେ।

Comments are closed.