ମିଳିନି ୨ବର୍ଷର ଫସଲବୀମା ଟଙ୍କା: ଜିଲାପାଳ ଅଫିସ ସମ୍ମୁଖରେ ଚାଷୀଙ୍କ ଅନଶନ

ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ଅସନ୍ତୋଷ ଲାଗିରହିଛି।୨୦୧୭-୧୮,୨୦୧୮-୧୯ ଖରିଫର ଫସଲବୀମା ଟଙ୍କା ଚାଷୀ ମାନେ ପାଇ ନ ଥିବା ବେଳେ ଦେଓଗାଁ ବ୍ଲକର ଦୁଇଟି ପଞ୍ଚାୟତ ଚାଷୀ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ ଅନଶନରେ ବସିଥିଲେ। ବାରମ୍ବାର ଏନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କୌଣସି ସୁଫଳ ମିଳୁ ନ ଥିବାରୁ ଚାଷୀମାନେ ବାଧ୍ୟ ହୋଇ ଆମରଣ ଅନଶନରେ ବସିଥିବା ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅର୍ଜୁନପୁର ପଞ୍ଚାୟତର ଅର୍ଜୁନପୁର, ମଧୁପୁର, ବ୍ରାହ୍ମଣୀପଲା, ଅଏଁଲାପାଲି, ଫଲସାପଦର ଓ କୁଲତାପଡା ପଞ୍ଚ।।ୟତର କୁଲତାପଡା, ଖଇରଗୁଡା, ବନ୍ଧପଡା, କୁମୁରିଆ, ସିଂଟିମାଲ, ମୁଡାପଲା ଗାଁର ଚାଷୀ ମାନଙ୍କର ଫସଲହାନୀ ହୋଇଥିଲା। ଚାଷ ସମୟରେ ଏହି ଗାଁର ଚାଷୀମାନେ ପ୍ରିମିୟମ ଟଙ୍କା ଓ ଆବଶ୍ୟକ କାଗଜପତ୍ର ଦେଇ ପ୍ରଧାନମନ୍ତ୍ର ଫସଲବୀମା କରିଥିଲେ। ଉଭୟ ୨୦୧୭-୧୮, ୨୦୧୮-୧୯ ଖରିଫରେ ବୀମା କରିଥିଲେ। କିନ୍ତୁ ଚାଷ କ୍ଷତି ସତ୍ତ୍ବେ ଗାଁ ଚାଷୀଙ୍କୁ ଏପର୍ଯ୍ୟନ୍ତ ଫସଲବୀମା ରାଶୀ ମିଳିି ନ ଥିବା ଅଭିଯୋଗ ହୋଇଛି। ଏନେଇ ବାରମ୍ବାର ଚାଷୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା। ଗତ ସେପ୍ଟେମ୍ବର ୨୭ ତାରିଖରେ ଚାଷୀମାନେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଆନ୍ଦୋଳନସ୍ଥଳରେ ଜିଲାପାଳ ଅରିନ୍ଦମନ ଡାକୁଆ ପହଞ୍ଚି ଏହି ସମସ୍ୟାର ସମାଧାନ କରାଯିବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅକ୍ଟୋବର ୩୦ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ମଧ୍ୟ ଫଳପ୍ରଦ ହୋଇନଥିବା ଚାଷୀ ମାନେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଚାଷୀମାନେ ପୁଣି ଗତ କିଛି ଦିନ ତଳେ ଜିଲାପାଳଙ୍କୁ ଭେଟି ଆମରଣ ଅନଶନର ଧମକ ଦେଇଥିଲେ। ତଥାପି ଚାଷୀମାନଙ୍କୁ ଡାକି ଜିଲାପାଳ କୌଣସି ପ୍ରକାର ଆଲୋଚନା କରିନଥିବା ବେଳେ ମଙ୍ଗଳବାର ଦୁଇ ପଞ୍ଚାୟତର ବହୁ ଚାଷୀ ଏକ ଶୋଭାଯାତ୍ରାରେ ପହଞ୍ଚି ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆମରଣ ଅନଶନରେ ବସିଥିଲେ। ପରବର୍ତ୍ତୀ ସମୟରେ ବଲାଙ୍ଗୀର ଜିଲା ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର ମଧ୍ୟ ଏହି ଅନଶନରେ ସାମିଲ ହୋଇଥିଲେ। ସେ କେନ୍ଦ୍ର ସରକାରଙ୍କ ଏହି ବୀମା ଯୋଜନାକୁ ବିରୋଧ କରିବା ସହିତ କେବଳ ଦେଓଗାଁ ବ୍ଲକ ନୁହଁ ସାରା ଦେଶରେ ଏହିଭଳି ପରିସ୍ଥିତି ଦେଖାଦେଇଥିବା ସେ ଅଭିଯୋଗ ଆଣିଥିଲେ। ତେବେ ନିଜ ଅଞ୍ଚଳର ଚାଷୀଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଆସନ୍ତା ୫ ଓ ୬ ତାରିଖରେ ଇନ୍ସୁରାନ୍ସ କମ୍ପାନୀ କର୍ମକର୍ତ୍ତାଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ନିଜ ପକ୍ଷ ରଖିବାକୁ ସେ ନିବେଦନ କରିଥିଲେ। ଏହା ସହିତ ସେଠାରେ ସମସ୍ୟାର ସମାଧାନ ହେବ ବୋଲି ଚାଷୀଙ୍କୁ ବୁଝାସୁଝା କରିବା ପରେ ଅନଶନ ହଟିଥିଲା।

Comments are closed.