କୁହୁଳୁଛି ଅସନ୍ତୋଷ, ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ଡିସେମ୍ବର ୫ରେ ପଶ୍ଚିମଓଡ଼ିଶାର ସବୁ ଜିଲାରେ ହେବ ଆନ୍ଦୋଳନ

ସମ୍ବଲପୁର : ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଚାଷୀ ସନ୍ତୋଷଜନକ ଭାବେ ଧାନ କିଣାବିକା କରିପାରୁ ନାହାନ୍ତି। ଟୋକନ ସମସ୍ୟା ଓ ଏକର ପିଛା ଧାନ କିଣାବିକା ପରିମାଣ ଚାଷୀଙ୍କ ପାଇଁ ବିରାଟ ସମସ୍ୟା ସୃଷ୍ଟି କରିଛି। ସରକାରଙ୍କୁ ଏହାର ସମାଧାନ ପାଇଁ ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ଡ଼ିସେମ୍ବର ୪ତାରିଖ ପର୍ଯ୍ୟନ୍ତ ସମୟସୀମା ଦେଇଛି। ଉକ୍ତ ସମୟ ମଧ୍ୟରେ ସରକାର ବଳିଷ୍ଠ ପଦକ୍ଷେପ ନନେଲେ ଡ଼ିସେମ୍ବର ୫ତାରିଖରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ। ପଶ୍ଚିମ ଓଡ଼ିଶାର ସବୁ ଜିଲାର ଚାଷୀ ଧାନ ଗାଡ଼ି ସହ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି।
ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଅନ୍ୟତମ ଆବାହକ ଲିଙ୍ଗରାଜ ସରକାରଙ୍କ ଭୁଲ ଖାଦ୍ୟଶସ୍ୟ ସଂଗ୍ରହ ନୀତି ଯୋଗୁଁ ଧାନ କିଣାବିକାରେ ଅଚଳାବସ୍ଥା ସୃଷ୍ଟି ହେବା ସହ ଅଭାବୀ ଧାନ ବିକ୍ରି ଲାଗି ସୁଯୋଗ ସୃଷ୍ଟି ହେଉଛି ବୋଲି କହିଛନ୍ତି। ଏନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ରାଜଧାନୀ ଭୁବନେଶ୍ବରରୁ ଧାନ କିଣାବିକାକୁ ନିୟନ୍ତ୍ରିତ କରିବାର ଅମଲାତାନ୍ତ୍ରିକ ନିଷ୍ପତ୍ତି ଚାଷୀଙ୍କ ପାଇଁ କାଳ ହୋଇଛି। ଆଗରୁ ଜିଲାସ୍ତରରେ ରହିଥିବା ଧାନ କିଣାବିକା କମିଟିର ନିଷ୍ପତ୍ତିକୁ ଗୁରୁତ୍ବ ଦିଆଯାଉଥିଲା। ଜିଲାର ଉତ୍ପାଦନ ହାରକୁ ଆଧାର କରି ଜିଲାରେ ଏକର ପିଛା ଧାନ ସଂଗ୍ରହ ପରିମାଣ ନିର୍ଦ୍ଧାରଣ କରାଯାଉଥିଲା। ଧାନ ଉତ୍ପାଦନର ହାର, ଉତ୍ପାଦନ ସମୟ, ଜମି ବ୍ୟବସ୍ଥା, ପଦ୍ଧତିଗତ ବ୍ୟବସ୍ଥା ସବୁ ଜିଲାର ସମାନ ନୁହେଁ। ସେଥିରେ ରହିଥିବା ବିବିଧତା ଓ ଫରକକୁ ଆଖି ଆଗରେ ରଖି ଏକର ପିଛା ଧାନ ସଂଗ୍ରହର ପରିମାଣ ସ୍ଥିର ହେବା ନିହାତି ଜରୁରୀ। କିନ୍ତୁ ସରକାର ଜିଲାସ୍ତରୀୟ କମିଟିର କୌଣସି ମତାମତ ନଲୋଡ଼ି ଭୁବନେଶ୍ବରରେ ବସି ତୃଟିପୂର୍ଣ୍ଣ ଧାନ କିଣାବିକା ପରିମାଣ ସ୍ଥିର କରୁଥିବାରୁ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ବିକେନ୍ଦ୍ରିତ ଭାବେ ଜିଲାସ୍ତରରେ ସଂଗ୍ରହ ହାର ଓ ବ୍ୟବସ୍ଥାଜନିତ ନିଷ୍ପତ୍ତି କରାଗଲେ ସମ୍ଭବତଃ ଏହି ସମସ୍ୟା ସମାଧାନ ହୁଅନ୍ତା। କିନ୍ତୁ ଏଦିଗ ଉପରେ ସରକାର ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ପ୍ରତି ଜିଲାର ଖରିଫ କ୍ରପ କଟିଂ ଉତ୍ପାଦନ ହାର ରିପୋର୍ଟକୁ ଆଧାର କରି ଏକର ପିଛା କିଣାବିକା ପରିମାଣ ନିର୍ଦ୍ଧାରଣ କରିବା ଉଚିତ। ତାହା ପୁଣି ଚାଷୀଙ୍କ ମତାମତ ଅନୁସାରେ। କିଛି ବର୍ଷ ହେଲା ଜିଲାସ୍ତରରେ ଯେଉଁ ନିଷ୍ପତ୍ତି ନିଆଯାଉଥିଲା ଏବେ ତାହା ରାଜଧାନୀରେ ମନୋମୁଖି ଭାବେ ନିଷ୍ପତ୍ତି ନିଆଯାଉଛି। ଫଳରେ ଚାଷୀଙ୍କ ପାଇଁ ସଂକଟ ଦେଖାଦେଉଛି। ଏବର୍ଷ ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାର ସବୁ ଜିଲାରେ ଅଧିକ ମାତ୍ରାରେ ଧାନ ଉତ୍ପାଦନ ହୋଇଥିବା ବେଳେ ସରକାର ନିର୍ଦ୍ଧାରଣ କରିଥିବା ଏକର ପିଛା କିଣାବିକା ପରିମାଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଚାଷୀ ସଂଗଠନ ପକ୍ଷରୁ ରୋକଠୋକ ଭାବେ କୁହାଯାଇଛି। ଜଳସେଚିତ ଅଞ୍ଚଳରେ ଏକର ପିଛା ୧୯ କ୍ବିଣ୍ଟାଲ ଓ ଅଣଜଳସେଚିତ ଅଞ୍ଚଳରେ ଏକର ପିଛା ୧୩ କ୍ବିଣ୍ଟାଲ ଧାନ ଚାଷୀ ବିକ୍ରି କରିବା ପାଇଁ ସରକାର ଯେଉଁ ନୀତି କରିଛନ୍ତି, ତଦ୍ବାରା ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ। ତେଣୁ ଏକର ପିଛା କିଣାବିକା ପରିମାଣ ବୃଦ୍ଧି କରାଯାଉ ବୋଲି ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି। ଅନ୍ୟପକ୍ଷରେ ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା ଯୋଗୁଁ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି। ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗିର, ସୋନପୁର, ନୂଆଁପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ ଆଦି ଜିଲାର ଚାଷୀଙ୍କ ପାଇଁ ଟୋକନ ସମସ୍ୟା ରହିଛି। ଏହି ସବୁ ଜିଲାର ଚାଷୀ ଧାନ ଅମଳ କରିଥିଲା ବେଳେ ସେମାନେ ଏବେ ଧାନ କିଣାବିକା କରିପାରିବେ ନାହିଁ। ରାଜ୍ୟ ସରକାର ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳ ପାଇଁ ଧାର୍ଯ୍ୟ କରିଥିବା ଏକର ପିଛା ଧାନ କିଣାବିକା ପରିମାଣକୁ ବୃଦ୍ଧି, ଟୋକନ ବ୍ୟବସ୍ଥାରେ ସୁଧାର ଓ ରାଜଧାନୀରୁ ନି୍ୟନ୍ତ୍ରଣ କରିବା ବଦଳରେ ଜିଲାସ୍ତରକୁ କ୍ଷମତା ହସ୍ତାନ୍ତର ତଥା ଜିଲା କିଣାବିକା କମିଟି ଏବଂ ଜିଲାସ୍ତରୀୟ କ୍ରପ କଟିଂକୁ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବେଳେ ଗୁରୁତ୍ବ ଦିଆଯିବା ଉଚିତ। ଏସବୁ ନୀତି ଓ ବ୍ୟବସ୍ଥାଗତ ପରିବର୍ତ୍ତନ ଡିସେମ୍ବର ୪ତାରିଖ ସୁଦ୍ଧା ନହେଲେ ଚାଷୀ ଆନ୍ଦୋଳନ କରିବେ ବୋଲି ସଂଗଠନ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଂଗଠନର ସଭାପତି ମୂରାରୀ ପ୍ରସାଦ ପୁରୋହିତ, ହରି ଶଙ୍କର ପୁରୋହିତ, ସରୋଜ, ଝାରସୁଗୁଡ଼ା ଜିଲାର ଚାଷୀ ଦିଲ୍ଲୀପ ବଢେଇ ଓ ଶରତ କୁମାର ପଟେଲ, ଦେବଗଡ଼ ଜିଲାର ଚାଷୀ ମକରଧ୍ବଜ ପ୍ରଧାନ ଓ ସୋନପୁର ଜିଲାର ଚାଷୀ ରାଜେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.