ସଙ୍କଟରେ ପାନଚାଷୀ : ଉଜୁଡ଼ିଲା ୧୫୦ କୋଟିର ବେପାର

ବାଲେଶ୍ୱର: ବାଲେଶ୍ୱର ଜିଲା ଧାନ, ମୀନ ଓ ପାନ ପାଇଁ ପ୍ରସିଦ୍ଧ। ଜିଲାରୁ ବର୍ଷକୁ ପ୍ରାୟ ୧୫୦ କୋଟିରୁ ଅଧିକ ଟଙ୍କାର ପାନ ରପ୍ତାନୀ ହୋଇଥାଏ। ବାହାର ରାଜ୍ୟର ବଜାରରେ ଏଠିକା ପାନର ବଡ଼ ଚାହିଦା। ଏହା ଛଡ଼ା ରାଜ୍ୟର ଅନ୍ୟ ଜିଲାକୁ ମଧ୍ୟ ଯାଇଥାଏ। ଚଳିତବର୍ଷ ପାନ ଚାଷୀଙ୍କୁ ପଡିଛି ଦୁଇଟି କ୍ଷେତ୍ରରୁ ପ୍ରହାର। କରୋନା ସଂକ୍ରମଣଜନିତ ଲକ୍‌ଡାଉନ ଯୋଗୁ ବ୍ୟବସାୟ ସଂପୂର୍ଣ୍ଣ ବନ୍ଦ ରହିଥିବାବେଳେ ପରବର୍ତ୍ତୀକାଳରେ ଅମ୍ପନ ବାତ୍ୟା ସଂପୂର୍ଣ୍ଣ ରୂପେ ବରଜ ଉଜାଡିଛି। ଫଳରେ ଜିଲାରେ ପ୍ରାୟ ୧୫୦ କୋଟିରୁ ଅଧିକ ଟଙ୍କାର ପାନ ପଚିସଡି ନଷ୍ଟ ହୋଇଛି। ବାରମ୍ବାର ଦାବି ସତ୍ତ୍ବେ ପାନ ଓ ଏହାର ଭାରା ରୂପେ ବ୍ୟବହୃତ ଖଡି ଫସଲକୁ କୃଷିର ମାନ୍ୟତା ମିଳି ନ ଥିବାରୁ ଏହା ବୀମାଭୁକ୍ତ ହୋଇପାରୁନି। ଫଳରେ ଚାଷୀ କ୍ଷତିପୂରଣ ରାଶି ବି ପାଇପାରୁନି। କୃଷି ବା ଉଦ୍ୟାନ କୃଷି ବିଭାଗର ଅନ୍ତର୍ଭୁକ୍ତ ନ ଥିବାରୁ ପାନ ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ମଧ୍ୟ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଉନି। ଆଉ ବ୍ୟବସାୟ ବନ୍ଦ ଥିବାରୁ ହାତ ବାନ୍ଧି ବସିଛନ୍ତି ପାନ ଓ ଖଡି ଚାଷରେ ଜଡ଼ିତ ଜିଲାର ହଜାର ହଜାର ପରିବାର।

ଉତ୍ତର ବାଲେଶ୍ୱରର ଭୋଗରାଇ ବ୍ଲକର ୩୨ ଓ ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତରେ ପାନ ଚାଷ ହୋଇଥାଏ। ଭୋଗରାଇ ବ୍ଲକରେ ୯ ହଜାରରୁ ଅଧିକ ପାନ ଚାଷୀ ଥିବାବେଳେ ଦୁଇ ବ୍ଲକରେ ୩୦ ହଜାରରୁ ଅଧିକ ବରଜ ରହିଛି। ପ୍ରତି ବରଜରେ ୧୦/୧୨ ହଜାର ପାନ ଗଛ(ଲତା) ଥାଏ। ଭୋଗରାଇ ବ୍ଳକର ନୂଆଗାଁ ହାଟ ପାନ କାରବାରର ପେଣ୍ଠସ୍ଥଳୀ। ସପ୍ତାହରେ ଦୁଇ ଦିନ ହାଟ ବସେ। ପ୍ରତି ପାଳିରେ ୧ କୋଟିରୁ ଅଧିକ ଟଙ୍କାର ବେପାର ହୋଇଥାଏ। ମାସରେ ୮ ପାଳିରେ ୮ କୋଟିରୁ ଅଧିକ ଟଙ୍କା ଅର୍ଥାତ୍‌ ବର୍ଷକୁ ପ୍ରାୟ ୧୦୦ କୋଟି ଟଙ୍କାର କାରବାର ହୁଏ। ଛୋଟ ବ୍ୟବସାୟୀମାନେ ବିଭିନ୍ନ ଗାଁରୁ ପାନ କିଣି ହାଟରେ ମହାଜନ ବା ବଡ଼ ବ୍ୟବସାୟୀଙ୍କୁ ଦିଅନ୍ତି। ବଡ଼ ବ୍ୟବସାୟୀମାନେ ଟ୍ରେନରେ ମୁମ୍ବାଇ, ଦିଲ୍ଲୀ, କଲକାତା, ବାରାଣସୀ ଆଦି ସହରକୁ ପାନ ପଠାନ୍ତି। ସେହିପରି ବାଲିଆପାଳ ବ୍ଲକର ନୂଆଗାଁ, ବାଲିବିଲ, ଅଦଭୂତିଆ ଓ ଆମ୍ବଚୁଆ ହାଟ ପାନ ବ୍ୟବସାୟର ପେଣ୍ଠସ୍ଥଳୀ। ଏହି ଚାରି ହାଟରେ ମାସକୁ ହାରାହାରି ୪ କୋଟି ହିସାବରେ ବର୍ଷକୁ ପ୍ରାୟ ୫୦ କୋଟି ଟଙ୍କାର କାରବାର ହୋଇଥାଏ। ଦୁଇ ବ୍ଲକରୁ ବର୍ଷକୁ ୧୫୦ କୋଟିରୁ ଅଧିକ ଟଙ୍କାର ପାନ ବାହାର ରାଜ୍ୟମାନଙ୍କୁ ରପ୍ତାନୀ ହୋଇଥାଏ। ୩୦ ହଜାରରୁ ଅଧିକ ବରଜରେ ପ୍ରତିଦିନ ହଜାର ହଜାର ମୂଲିଆ କାମ କରି ପରିବାର ଚଳାନ୍ତି। ପାନ ବେପାରରେ ମଧ୍ୟ ମୂଲିଆ ନିୟୋଜିତ ଥାନ୍ତି। ପାନ ବେପାର ସହ ସଂପୃକ୍ତ ପାନ ଟୋକେଇ ବ୍ୟବସାୟ। ବର୍ଷକୁ ଲକ୍ଷ ଲକ୍ଷ ଟୋକେଇ ଦରକାର ପଡେ। ଦଳିତ ଜାତିର ମହିଳାମାନେ ଟୋକେଇ ତିଆରି କରି ଉପାର୍ଜନରେ ବଢାନ୍ତି। ଭୋଗରାଇ ବ୍ଲକର ୫୦ ପଞ୍ଚାୟତର ପ୍ରାୟ ୧୫ ହଜାର ଦଳିତ ପରିବାର ଏହି କାମ କରିଥାନ୍ତି। ଏବେ ୨ ମାସ ହେଲା ସମସ୍ତଙ୍କ ହାତ ବନ୍ଦ।

ସେହିପରି ହଜାର ହଜାର ଚାଷୀ ଖଡ଼ି ଚାଷରୁ ଜୀବିକା ନିର୍ବାହ କରନ୍ତି। ପାନ ଲତା ସଳଖ ହୋଇ ବଢ଼ିବା ପାଇଁ ଏହାର ଭାରା ଭାବେ ଶକ୍ତ, ମୋଟା କାଠି ଖଡିକୁ ବ୍ୟବହାର କରାଯାଏ। ଏହା ଏକ ଅର୍ଥକରୀ ଫସଲ। ଭୋଗରାଇ ବ୍ଲକର ୧୦ଟି ପଞ୍ଚାୟତର ୫୦/୬୦ ଗାଁର ୫ ହଜାରରୁ ଅଧିକ ଚାଷୀ ଖଡ଼ି ଚାଷ କରନ୍ତି। ସରୁ ଖଡି ଇକଡ ପାନ ଲତାର ବରଜରେ ଛାଉଣି ଲାଗି ବ୍ୟବହୃତ ହୁଏ। ପ୍ରତି ଏକର ଖଡି ବିଲରୁ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଥାଏ। ଏହାକୁ ମିଳିନି କୃଷିର ମାନ୍ୟତା । ଫଳରେ ଖଡ଼ିରେ ନିଆଁଲାଗି କ୍ଷତିଗ୍ରସ୍ତ ହେଲେ ଚାଷୀକୁ ବୀମା ରାଶି ମିଳେନି।

ଏ ବର୍ଷ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ ପାଇଁ ଟ୍ରେନ ଚଳାଚଳ ବନ୍ଦ। ପାନ ରପ୍ତାନୀ ହୋଇପାରୁନି। ହାଟ ବଜାର ବି ମାନ୍ଦା। ଫଳରେ ୨ ମାସରେ ୨୫ କୋଟିରୁ ଅଧିକ ଟଙ୍କାର ପାନ ନଷ୍ଟ ହୋଇଥିବା ଆକଳନ କରାଯାଇଛି। ଏହା ସାଙ୍ଗକୁ ଅମ୍ପନ ବାତ୍ୟା ମାଡ଼ରେ ଅନେକ ପାନ ବରଜ ନଷ୍ଟ ହୋଇଛି। ଅଳ୍ପ ଦୂର ପଶ୍ଚିମବଙ୍ଗରେ ବାତ୍ୟା ସ୍ଥଳଭାଗ ଛୁଇଁବାରୁ ଏହାର ପ୍ରକୋପରେ ଉତ୍ତର ବାଲେଶ୍ୱରରେ ବେଶି କ୍ଷତି ହୋଇଛି। ପ୍ରଶାସନ ପକ୍ଷରୁ ଏବେ କ୍ଷୟକ୍ଷତିର ଆକଳନ ଚାଲିଛି। ବିପନ୍ନ ଚାଷୀ ଭାଙ୍ଗିଥିବା ପାନ ବରଜକୁ ଦେଖାଉଛନ୍ତି; ମାତ୍ର ବୀମା ନ ଥିବାରୁ କ୍ଷତିପୂରଣ ରାଶି ମିଳିବ କି ନା ଓ କେଉଁ ଆଧାରରେ କ୍ଷତିର ମୂଲ୍ୟ ଆକଳନ କରାଯିବ, ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପାନ ଚାଷ ଓ ବ୍ୟବସାୟ ସହ ଜଡ଼ିତ ମୂଲିଆ ଶ୍ରେଣୀର ଲୋକ, ଛୋଟ ବ୍ୟବସାୟୀ ଓ ବାଉଁଶ କାରିଗରଙ୍କୁ ସହାୟତା ପ୍ରଦାନ କରାଯିବା ଲାଗି ଦାବି ହେଉଛି।

Comments are closed.