ସବୁ ଚାଷୀଙ୍କୁ ମିଳିବ ଏକକ ପରିଚୟପତ୍ର

ଭୁବନେଶ୍ୱର: ୧୮ବର୍ଷ ବୟସରୁ ଊର୍ଦ୍ଧ୍ବ ସମସ୍ତ ଚାଷୀଙ୍କୁ ଏକକ ପରିଚୟ ପତ୍ର ମିଳିବ। ସବୁ ଜମି ଥିବା ଚାଷୀ, ଭୂମିହୀନ, ଭାଗ ଚାଷୀ, ଉଦ୍ୟାନ କୃଷି ଓ ଜଙ୍ଗଲ ଜମି ଉପରେ ନିର୍ଭରଶୀଳ ଚାଷୀ, ମତ୍ସ୍ୟ ଓ ପଶୁସମ୍ପଦ ଚାଷୀ ଏବଂ କୃଷି ଶ୍ରମିକଙ୍କ ଏକକ ପରିଚୟ ସୃଷ୍ଟି କରାଯିବ। ଏଥିପାଇଁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ‘କୃଷକ ଓଡ଼ିଶା’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପରିବାର ପରିବର୍ତ୍ତେ ଚାଷୀ ଭିତ୍ତିରେ ପଞ୍ଜୀକରଣ କରାଯିବ। ଏକକ ପରିଚୟ ପତ୍ର ଦ୍ୱାରା ସେମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ବାରମ୍ବାର ତଥ୍ୟ ଦେବାକୁ ପଡ଼ିବ ନାହିଁ। ବିଭିନ୍ନ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ଯୋଗ୍ୟ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇପାରିବ। କୃଷି ବିଭାଗରେ ସମସ୍ତ ଚାଷୀଙ୍କ ତଥ୍ୟ ଉପଲବ୍ଧ ହେବା ସହ ସେମାନଙ୍କ ପାଇଁ ଭବିଷ୍ୟତ ଯେଜାନା କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ୭୬ ଲକ୍ଷ ଚାଷୀଙ୍କ ଡାଟାବେସ୍‌ ନବୀକରଣ କରାଯିବା ଲକ୍ଷ୍ୟ ରଖାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ବଳକା ଚାଷୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ହେବ। ଏହା ମାଧ୍ୟମରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହ ଯୋଗ୍ୟ ହିତାଧିକାରୀ ବିଭିନ୍ନ ଯୋଜନାର ସୁଫଳ ପାଇପାରିବେ। ରାଜ୍ୟର ସମସ୍ତ କୃଷକ ସେମାନଙ୍କ ସଠିକ ଓ ନିର୍ଭୁଲ ତଥ୍ୟ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ଦେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed.