ଆଜି କୃଷକଙ୍କ ୯ଘଣ୍ଟିଆ ଅନଶନ

ନୂଆଦିଲ୍ଲୀ :  କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ସୋମବାର ଅନଶନରେ ବସିବେ। କୃଷକ ନେତା ଗୁରନାମ ସିଂହ ଚାନ୍ଦୁନିଙ୍କ କହିବା ଅନୁଯାୟୀ ସକାଳ ୮ଟାରୁ ଅପରାହ୍ଣ ୫ଟା (୯ଘଣ୍ଟା) ପର୍ଯ୍ୟନ୍ତ ଆନ୍ଦୋଳନକାରୀ କୃଷକ ଅନଶନରେ ବସିବେ। ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି କ୍ରମେ ଏହି ଅନଶନ ପାଳନ କରାଯିବ।

ପଞ୍ଜାବ-ହରିୟାଣା ସିଂଘୁ ସୀମାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଚାନ୍ଦୁନି କହିଛନ୍ତି ଯେ ସମସ୍ତ ସଂଗଠନର ନେତାମାନେ ନିଜ ନିଜ ସ୍ଥାନରେ ଅନଶନରେ ବସିବେ। ଏହା ସହିତ ଦେଶର ସମସ୍ତ ଜିଲା ମୁଖ୍ୟାଳୟରେ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେ କହିଛନ୍ତି ଯେ, କେତେକ ସଂଗଠନ ଆନ୍ଦୋଳନ ପ୍ରତ୍ୟାହାର କରିନେବା ସହ ସରକାରଙ୍କ ନୂଆ କୃଷି ଆଇନକୁ ସମର୍ଥନ କରିଛନ୍ତି। ତେବେ ଏପରି ସମର୍ଥନ କରିଥିବା କୃଷକ ସଂଗଠନଗୁଡିକ ସେମାନଙ୍କ ସହିତ ନଥିଲେ ବୋଲି ଚାନ୍ଦୁନି କହିଛନ୍ତି। ସେ କହିଛନ୍ତି ଯେ କୃଷକଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ସରକାର ଷଡଯନ୍ତ୍ର କରିଛନ୍ତି।

ଅନ୍ୟତମ କୃଷକ ନେତା ଶିବ କୁମାର କାକ୍କା କହିଛନ୍ତି ଯେ ଆନ୍ଦୋଳନକାରୀ କୃଷକଙ୍କୁ ଦିଲ୍ଲୀ ଆସିବାକୁ ପ୍ରଶାସନ ଅନୁମତି ଦେଉ ନାହିଁ। ତେବେ ଆମେ ଆମର ଆନ୍ଦୋଳନ ଅବ୍ୟାହତ ରଖିବୁ। ତିନି କୃଷି ଆଇନକୁ ପ୍ରତ୍ୟାହାର କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ସମସ୍ତ କୃଷକ ସଂଗଠନ ଏବେ ଏକଜୁଟ୍ ଅଛନ୍ତି। ଭାରତ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ ସରକାର ଯଦି ଆଲୋଚନା ଲାଗି ଆଉ ଏକ ପ୍ରସ୍ତାବ ଦିଅନ୍ତି ​‌େତବେ ଆମେ ଏହା ଉପରେ ବିଚାର କରିବୁ। ଅନ୍ୟତମ କୃଷକ ନେତା ସନ୍ଦୀପ ଗିଡ୍ଡେ କହିଛନ୍ତି ଯେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅନାହାର ଅନଶନ ପାଇଁ ଯେଉଁ ପ୍ରସ୍ତାବ ରହିଥିଲା ତାକୁ ବାତିଲ କରାଯାଇ ଦିନିକିଆ ଅନଶନ ପାଇଁ ନିଷ୍ପତ୍ତି ହୋଇଛି। କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଅନଶନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମର୍ଥନ କରିଛନ୍ତି। କୃଷକଙ୍କୁ ସମର୍ଥନ ଜଣାଇ ସୋମବାର କେଜରିୱାଲ ମଧ୍ୟ ଉପବାସରେ ରହିବେ। ଏପରିକି ଦଳୀୟ କର୍ମୀମାନଙ୍କୁ ମଧ୍ୟ ଅନଶନ ପାଳନ କରିବାକୁ କେଜରିୱାଲ ପରାମର୍ଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ କହିଛନ୍ତି ଯେ କେନ୍ଦ୍ର ସରକାର କୃଷକଙ୍କ ଦାବିକୁ ଗ୍ରହଣ କରିନେବା ଉଚିତ।

ଅନ୍ୟପଟେ ରବିବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପୀୟୂଷ ଗୋୟଲ, ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ରବିବାର ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାରେ ପଞ୍ଜାବର ବିଜେପି ନେତା ସାମିଲ ହୋଇଥିଲେ। କଥାବାର୍ତ୍ତା ପରେ ତୋମାର କହିଛନ୍ତି ଯେ କେତେକ କୃଷକ ସଂଗଠନ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି। ଅନ୍ୟ ସଂଗଠନଗୁଡିକ ଖୁବ୍‌ଶୀଘ୍ର ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ତୋମାର କହିଛନ୍ତି ଯେ କୃଷି ଆଇନ ବିରୋଧରେ ବିରୋଧୀ ଦଳଗୁଡିକ ଅପପ୍ରଚାର ଚଳାଇଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ନାଗରିକତ୍ବ ସଂଶୋଧନ ଆଇନ, ରାମ ମନ୍ଦିର ନିର୍ମାଣକୁ ମଧ୍ୟ ବିରୋଧୀ ଦଳଗୁଡିକ ଏପରି ବିରୋଧ କରିଆସୁଥିଲେ; ମାତ୍ର ତାହା ଫଳପ୍ରଦ ହେଲା ନାହିଁ। ସେହିପରି କୃଷି ଆଇନ ବିରୋଧରେ ମଧ୍ୟ ବିରୋଧୀଙ୍କ ଷଡଯନ୍ତ୍ର ସଫଳ ହେବ ନାହିଁ। ମନ୍ତ୍ରୀ କହିଛନ୍ତି ଯେ ନୂଆ ଆଇନ ଅଳ୍ପ କିଛି ସମୟ ପାଇଁ କୃଷକଙ୍କୁ ଅଡୁଆରେ

ପକାଇପାରେ ମାତ୍ର ପରବର୍ତ୍ତୀ ସମୟରେ ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ। ଏହି ଅବସରରେ ସେ କୃଷକସଂଗଠନଗୁଡିକୁ ଆନ୍ଦୋଳନ ପ୍ରତ୍ୟାହାର ପୂର୍ବକ ଆଲୋଚନାକୁ ଆସିବା ଲାଗି ପୁନର୍ବାର ନିବେଦନ କରିଛନ୍ତି। ଏହା ପୂର୍ବରୁ ଉତ୍ତରାଖଣ୍ଡର ୧୦୦ରୁ ଅଧିକ କୃଷକ ମନ୍ତ୍ରୀ ତୋମାରଙ୍କୁ ସାକ୍ଷାତ କରି କୃଷି ଆଇନ ପ୍ରତି ସେମାନଙ୍କ ସମର୍ଥନ ଜଣାଇଥିଲେ। ଏହି ସାକ୍ଷାତ ସମୟରେ କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଓ ଉତ୍ତରାଖଣ୍ଡ ଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେ ଉପସ୍ଥିତ ଥିଲେ। କୃଷି ରାଷ୍ଟ୍ରମନ୍ତ୍ରୀ ଚୌଧୁରୀ କହିଛନ୍ତି ଯେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଖୁବଶୀଘ୍ର ବାଟ ବାହାରିବ। ସରକାର ପୁଣି ଥରେ କୃଷକ ସଂଗଠନ ପାଇଁ ଆଲୋଚନା ଲାଗି ଡାକି ସମାଧାନର ବାଟ ବାହାର କରିବେ।
କୃଷକ ସଂଗଠନଗୁଡିକ ଆନ୍ଦୋଳନକୁ ତୀବ୍ର କରିବା ଲାଗି ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଅବରୋଧ କରିବାକୁ ଉଦ୍ୟମ କରିଥିବାବେଳେ ଦିଲ୍ଲୀ ପୁଲିସ ଏହାକୁ ପଣ୍ଡ କରିଛି। ଅଧିକରୁ ଅଧିକ କୃଷକ ସଂଗଠନ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବାବେଳେ ପୁଲିସ ରାଜପଥରେ ବାରିକେଡ ନିର୍ମାଣ ପୂର୍ବକ ରାସ୍ତାକୁ ସିଲ୍‌ କରିଛି। କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନଗୁଡିକ ନଭେମ୍ବର ୨୬ରୁ ଆନ୍ଦୋଳନ ଚଳାଇଆସିଛନ୍ତି। କୃଷକ ସଂଗଠନଗୁଡିକ ଦିଲ୍ଲୀ-ହରିୟାଣା ଓ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାକୁ ଅବରୋଧ କରି ରଖିଛନ୍ତି। ଆନ୍ଦୋଳକାରୀ କୃଷକଙ୍କ ଆନ୍ଦୋଳନ ସ୍ଥାନରୁ ହଟାଇବା ଲାଗି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ମାମଲା ଉପରେ ଡିସେମ୍ବର ୧୬ରେ ସୁପ୍ରିମକୋର୍ଟ ଶୁଣାଣି କରିବେ। କୃଷକଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ଯାତାୟାତ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ କରୋନା ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ୱେବ ସାଇଟ୍ ତଥ୍ୟ ଅନୁଯାୟୀ କୃଷକଙ୍କୁ ଆନ୍ଦୋଳନରୁ ହଟାଇବା ସମ୍ପର୍କିତ ମାମଲା ଉପରେ ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ନେତୃତ୍ବ ପୀଠ ଶୁଣାଣି କରିବେ। ଆଇନ ଛାତ୍ର ରିଷବ ଶର୍ମା ଆନ୍ଦୋଳନକାରୀ କୃଷକଙ୍କୁ ରାସ୍ତାରୁ ହଟାଇ ଅନ୍ୟତ୍ର ବସାଇବାକୁ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି।

Comments are closed.