କୃଷକମାନେ କୃଷି ଆଇନକୁ ନେଇ ଖୁସି ଅଛନ୍ତି – ପୀୟୁଷ ଗୋୟଲ

୫ ବର୍ଷ ମଧ୍ୟରେ ଡାଲି ଉତ୍ପାଦନ ବୃଦ୍ଧି ମୋଦୀ ସରକାରଙ୍କ ନିରନ୍ତର ଉଦ୍ୟମର ଫଳ – ପୀୟୁଷ ଗୋୟଲ

ନରେନ୍ଦ୍ର ମୋଦୀ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ସହାୟକ ମୂଲ୍ୟର ପ୍ରବର୍ତ୍ତନ ଯୋଗୁଁ ଗତ ପାଞ୍ଚ ବର୍ଷ ମଧ୍ୟରେ ଡାଲି ଉତ୍ପାଦନ ବୃଦ୍ଧି ପାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଗୋୟଲ କହିଛନ୍ତି ଯେ ଘରୋଇ ଉତ୍ପାଦନ ବୃଦ୍ଧି ତଥା ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଡାଲି ପାଇବାକୁ ସୁନିଶ୍ଚିତ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, କରୋନା ଜନିତ ବନ୍ଦ ସତ୍ତ୍ୱେ ସାରା ଦେଶରେ ଖାଦ୍ୟ ଶସ୍ୟର ଅଭାବ ନାହିଁ।

ଶ୍ରୀ ଗୋୟଲ କହିଛନ୍ତି, କରୋନା ଅବଧିରେ ସରକାର ଦେଶର ସମସ୍ତଙ୍କ ପାଇଁ ଖାଦ୍ୟ ସୁନିଶ୍ଚିତ କରିଥିଲେ। ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ପ୍ରାୟ ୮୦ କୋଟି ଲୋକଙ୍କୁ ଖାଦ୍ୟ ଦିଆଯାଇଥିଲା। ସେ କହିଛନ୍ତି, ଆତ୍ମନିର୍ଭର ଭାରତ ଅଧୀନରେ ପ୍ରତ୍ୟେକ ଉତ୍ପାଦକୁ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଘରୋଇ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ତାଳ ଚାଷ ମାଧ୍ୟମରେ ଭାରତରେ ତାଳ ତେଲ ଉତ୍ପାଦନ ବୃଦ୍ଧି ଉପରେ ମଧ୍ୟ ଦୃଷ୍ଟି ରଖାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ସୂର୍ଯ୍ୟମୁଖୀ ଏବଂ ସୋରିଷ ତେଲକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ଦୃଷ୍ଟି ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାର ଗତ ୫ ବର୍ଷରେ ଶସ୍ୟ କ୍ରୟ ପରିମାଣ ବୃଦ୍ଧି କରିଛନ୍ତି। ୬ ବର୍ଷ ପୂର୍ବେ ଚାଲିଥିବା ପରିସ୍ଥିତି ତୁଳନାରେ କ୍ରୟ ଦ୍ୱିଗୁଣିତ ହୋଇଛି। ସେ କହିଛନ୍ତି, ସରକାର ୪ କୋଟି ନକଲି ରାସନ କାର୍ଡ ବାତିଲ କରିଛନ୍ତି ଏବଂ ସଠିକ୍ ହିତାଧିକାରୀ ଖାଦ୍ୟ ଶସ୍ୟ ପାଇବା ସୁନିଶ୍ଚିତ ହୋଇଛି।

ପିଆଜ ବିଷୟରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି ଯେ ସେପ୍ଟେମ୍ବର ୧୪ରେ ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଇତି ମଧ୍ୟରେ ପିଆଜ ଆମଦାନୀ ଆରମ୍ଭ ହୋଇଛି ଏବଂ ଏଥିରେ କେତେକ ସର୍ତ୍ତରେ କୋହ୍ଲ କରାଯାଇଛି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଶକୁ ୭ ହଜାର ଟନ୍ ପିଆଜ ଆସିଛି ଏବଂ ଦୀପାବଳି ପୂର୍ବରୁ ୨୫ ହଜାର ଟନ୍ ଆସିବାର ଆଶା କରାଯାଉଛି। ସେ କହିଛନ୍ତି, ନୂଆ ଫସଲ ମଧ୍ୟ ବଜାରକୁ ଆସୁଛି। ମନ୍ତ୍ରୀ କହିଛନ୍ତି, ପିଆଜ ବିହନ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇଛି ଯାହାଦ୍ୱାରା କୌଣସି ଅଭାବ ହେବ ନାହିଁ। ଶ୍ରୀ ଗୋୟଲ କହିଛନ୍ତି, ବଫର ଷ୍ଟକରୁ ରାଜ୍ୟ ସରକାର ଏବଂ ଖୋଲା ବଜାରରେ ବିକ୍ରି ପାଇଁ ନାଫେଡ଼ ପ୍ରାୟ ୩୬ ହଜାର ମେଟ୍ରିକ୍ ଟନ୍ ପିଆଜ ଯୋଗାଇଛି।

ସେ କହିଛନ୍ତି ଯେ କାଶ୍ମୀର ଏବଂ ହିମାଚଳ ପ୍ରଦେଶରୁ ସେଓ ପରିବହନ ପାଇଁ ରେଳବାଇ କିସାନ ରେଳ ଯୋଗାଇବାକୁ ଯାଉଛି। ସେ କହିଛନ୍ତି ଯେ ଦେଶର କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କୁ ବିଶ୍ୱାସ କରୁଛନ୍ତି ଏବଂ ନିକଟରେ ପ୍ରଣୀତ କୃଷି ଆଇନକୁ ନେଇ ସେମାନେ ଖୁସି ଅଛନ୍ତି।

Comments are closed.