ସଙ୍କଟରେ ଚାଷୀ ଓ ଖାଉଟି ସ୍ୱାର୍ଥ ; ବୃହତ୍‍ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ

 

ଜନାର୍ଦ୍ଦନ ପତି

୧୯୫୫ ମସିହାରେ ପ୍ରଣୀତ ଅତ୍ୟାବଶ୍ୟକ ପଣ୍ୟ ଆଇନକୁ ପ୍ରାୟ ୬୫ ବର୍ଷ ପରେ ବର୍ତ୍ତମାନର କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଏହାଫଳରେ ଖାଦ୍ୟ ଶସ୍ୟ, ଖାଇବା ତେଲ, ସାର, ଆଳୁ, ପିଆଜ ଓ ପେଟ୍ରୋଲିୟମ ଆଦି ସାମଗ୍ରୀ ଉପରୁ ସରକାରୀ ନିୟନ୍ତ୍ରଣ ଉଠିଗଲା। ଏହାପରେ ଅତି ବୃହତ୍‍ ବ୍ୟବସାୟୀମାନେ ଏ ସବୁ ସାମଗ୍ରୀର ବଜାରକୁ ନିୟନ୍ତ୍ରଣ କରିବେ। ବଜାରକୁ ପଣ୍ୟ ଆସିବା ଓ ଦର ଠିକ୍‍ କରିବା ଦାୟିତ୍ୱ ଏଣିକି ସେମାନଙ୍କ ହାତରେ ରହିବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଉଛି ଯେ ୧୯୫୫-୫୬ରେ ଭାରତରେ ୧୦ ନିୟୁତ ଟନ ଗହମ ଉତ୍ପାଦନ ହେଉଥିବାବେଳେ ୨୦୧୮-୧୯ରେ ୧୦୦ ନିୟୁତ ଟନ୍‍ ଉତ୍ପାଦିତ ହୋଇଛି। ସେହିପରି ଧାନ ଉତ୍ପାଦନ ୧୧୦ ନିୟୁତ ଟନ୍‍ ରେ ପହଞ୍ଚିଛି। ଧାନ, ଗହମ ପ୍ରଚୁର ପରିମାଣରେ ଉତ୍ପାଦନ ହେବା ଯୋଗୁଁ କ’ଣ ଖାଦ୍ୟ ଶସ୍ୟ ଉପରୁ ନିୟନ୍ତ୍ରଣ ହଟାଇ ଦିଆଗଲା ? ୧୯୫୦ ଦଶକରେ କୃଷକ ଆତ୍ମହତ୍ୟା ଘଟଣା ଦେଖାନଥିବା ବେଳେ ୨୦୧୮-୧୯ରେ ଲକ୍ଷାଧିକ କୃଷକ ଆତ୍ମହତ୍ୟା କରିଛନ୍ତି। କୃଷି ଉତ୍ପାଦନ ବଢ଼ିଲେ ବି କୃଷି ସଙ୍କଟ ବୃଦ୍ଧି ପାଇବା ଯୋଗୁଁ ଲକ୍ଷାଧିକ କୃଷକ ଆତ୍ମହତ୍ୟା କରୁଛନ୍ତି। ସରକାରଙ୍କ ଏହି ପଦକ୍ଷେପ କ’ଣ କୃଷକ ଆତ୍ମହତ୍ୟାକୁ ରୋକିପାରିବ?
ଫସଲକୁ ଚାଷୀ ଉତ୍ପାଦନ କଲେ ହେଁ, ବଜାରରେ ବିକ୍ରି କରନ୍ତି ବ୍ୟବସାୟୀମାନେ। ଯେକୌଣସି କାରଖାନାର ଶ୍ରମିକମାନେ ଶିଳ୍ପଜାତ ସାମଗ୍ରୀକୁ ବଜାରରେ ବିକ୍ରି କରନ୍ତି ନାହିଁ କି ନିୟନ୍ତ୍ରଣ କରନ୍ତି ନାହିଁ। ଆମ ଦେଶରେ ମୋଟ କୃଷକମାନଙ୍କ ମଧ୍ୟରୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀମାନଙ୍କ ସଂଖ୍ୟା ସର୍ବାଧିକ। କୃଷି ଗଣନା ହିସାବ ଅନୁସାରେ ଭାରତରେ ୧୩ କୋଟି ୮୩ ଲକ୍ଷ ୫୦ ହଜାର ଚାଷୀ ପରିବାର ଅଛନ୍ତି ଓ ମୋଟ ଚାଷ ଜମିର ପରିମାଣ ୧୫ କୋଟି ୯୫ ଲକ୍ଷ ୯୦ ହଜାର ହେକ୍ଟର। (ଏକ ହେକ୍ଟର = ୨.୫ ଏକର)। ଅର୍ଥାତ୍‍ ହାରାହାରି ଚାଷୀ ହାତରେ ୧.୧୫ ହେକ୍ଟର ଜମି ରହିଛି। ବାସ୍ତବ କ୍ଷେତ୍ରରେ ୮୫% ଚାଷୀଙ୍କ ହାତରେ ୨ ହେକ୍ଟରରୁ କମ୍‍ ଜମି ଅଛି। ମାତ୍ର ୧୫% ଜମିମାଲିକଙ୍କ ହାତରେ ୨୫ ଏକରରୁ ଅଧିକ ଲେଖାଏଁ ଜମି ଅଛି। ଏହି ୮୫% କ୍ଷୁଦ୍ର ଚାଷୀମାନେ କ’ଣ ଫସଲର ବଜାରକୁ ନିୟନ୍ତ୍ରଣ କରିପାରିବେ? ଋଣଗ୍ରସ୍ତ ଚାଷୀ ପାଖରୁ ଶସ୍ତା ଦରରେ ଫସଲ ନେଇଯିବା ପାଇଁ ବେପାରୀମାନଙ୍କ ଏଜେଣ୍ଟମାନେ ଚାଷୀକୁ ଆଗରୁ ଅଗ୍ରିମ ଦେଇ ଫସଲ କିଣି ନେବେ। ବର୍ତ୍ତମାନ ଏହି ଆଇନ ସଂଶୋଧନ ପରେ ସରକାର ଆଉ ଖାଦ୍ୟ ଶସ୍ୟ ଚାଷୀଙ୍କଠାରୁ କିଣିବେ ନାହିଁ। ଘରୋଇ ବ୍ୟବସାୟୀଙ୍କ ଜାଲରେ ପଡ଼ି ଚାଷୀକୁଳ ସର୍ବସ୍ୱାନ୍ତ ହୋଇଯିବ। କାରଣ ଫସଲ ସଂଗ୍ରହର ସର୍ବନିମ୍ନ ମୂଲ୍ୟ ମଧ୍ୟ ସରକାର ଧାର୍ଯ୍ୟ କରିବେ ନାହିଁ। ବେପାରୀମାନେ କମ ମୂଲ୍ୟ ଦେଇ ଚାଷୀଙ୍କଠାରୁ ଫସଲ କିଣିବେ ଓ ପରବର୍ତ୍ତୀ କାଳରେ ଚାଷୀମାନେ ନିଜର ଜମି ବିକି ନିଃସ୍ୱ ହୋଇଯିବେ। ବର୍ତ୍ତମାନ କେନ୍ଦ୍ର ସରକାର ୨୨ଟି ଫସଲର ଦାମ ଠିକ୍‍ କରୁଛନ୍ତି ଓ ଏହି ଦରରେ ଚାଷୀମାନେ ସରକାରକୁ ବିକ୍ରି କରୁଛନ୍ତି। ତା’ ସତ୍ତ୍ବେ ଚାଷୀମାନଙ୍କଠାରୁ ବେପାରୀମାନେ ସରକାରୀ ଧାର୍ଯ୍ୟ ଦରଠାରୁ କମ ଦରରେ କିଣୁଛନ୍ତି। ଚାଷୀ ପାଖରେ ଫସଲ ରଖିବା ପାଇଁ ସ୍ଥାନ ନଥିବାରୁ ବର୍ଷା, ବନ୍ୟା ଯୋଗୁଁ ବେପାରୀଙ୍କ ନିର୍ଦ୍ଧାରିତ ଦରରେ ଫସଲ ବିକ୍ରି କରିବାକୁ ବାଧ୍ୟ ହେବେ। ଦେଶର ପ୍ରାୟ ୧୪ କୋଟି ଚାଷୀ ପରିବାର ହିନସ୍ତା ହେବେ ଏବଂ ବଡ଼ ବ୍ୟବସାୟୀମାନେ ପ୍ରଚୁର ମୁନାଫା କରିବେ। କରୋନା ମହାମାରୀ ପରିସ୍ଥିତିରେ ଯେତେବେଳେ ଦେଶବାସୀ ଏକ ଅଦୃଶ୍ୟ ଶତ୍ରୁ ବିରୋଧରେ ଲଢୁଛନ୍ତି, ଠିକ୍‍ ସେହି ସମୟରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଅତ୍ୟାବଶ୍ୟକ ପଣ୍ୟ ଆଇନ ଉଚ୍ଛେଦର ଶିକାର ହେବେ ଦେଶର କୋଟିକୋଟି ଖାଉଟି। ବେପାରୀମାନେ ଆମ ଦେଶରୁ ଖାଦ୍ୟଶସ୍ୟ ନେଇ ବିଦେଶରେ ବିକ୍ରି କରିବେ, ନିଜ ଗୋଦାମରେ ମହଜୁଦ କରିବେ। ସରକାର ଏହି ମହଜୁଦକାରୀଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନେଇ ପାରିବେ ନାହିଁ। ଚାଉଳ, ଅଟା, ଡାଲି, ଖାଇବା ତେଲ, ଆଳୁ, ପିଆଜ ଆଦି ସାମଗ୍ରୀର ବଜାର ମୂଲ୍ୟ ଉପରେ କୌଣସି ସରକାରୀ କଟକଣା ରହିବ ନାହିଁ। ବଜାରରେ ଖାଦ୍ୟଦ୍ରବ୍ୟ ବା ଅନ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ନ ମିଳୁଥିଲେ ଓ ବଜାର ଦର ବଢ଼ୁଥିବା ବେଳେ ମଧ୍ୟ ମହଜୁଦକାରୀମାନେ ସେମାନଙ୍କ ଗୋଦାମରେ ଏହି ସାମଗ୍ରୀକୁ ରଖି ପାରିବେ ଓ ବିଦେଶକୁ ରତ୍ପାନି କରିପାରିବେ। ଜନସାଧାରଣ, ସେମାନଙ୍କ ଲୋକପ୍ରତିନିଧି ଓ ନିର୍ବାଚିତ ରାଜ୍ୟ ସରକାରଙ୍କ ହାତରୁ ଅଧିକାର କାଢ଼ି ନେଇ ସେହି ଅଧିକାରକୁ ବ୍ୟବସାୟୀମାନଙ୍କ ହାତରେ ଅର୍ପଣ କରି, କେନ୍ଦ୍ର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ପ୍ରଭାବ ଓ ଜନପ୍ରତିକ୍ରିୟା ଭବିଷ୍ୟତରେ ନିଶ୍ଚିତ ପ୍ରତିଧ୍ୱନିତ ହେବ।
ଭୁବନେଶ୍ବର

Comments are closed.