ଆଜି ସରକାର-କୃଷକ ସଂଗଠନ କଥାବାର୍ତ୍ତା; ଆଇନ ପ୍ରତ୍ୟାହାର ଦାବିରେ ଅଟଳ କୃଷକ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ସହିତ ବୁଧବାର ସରକାର କଥାବାର୍ତ୍ତା କରିବେ। ଅପରାହ୍ଣ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଏହି କଥାବାର୍ତ୍ତା ହେବ। କଥାବାର୍ତ୍ତା ଲାଗି କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣକୁ କୃଷକ ସଂଗଠନଗୁଡିକ ଗ୍ରହଣ କରିଛନ୍ତି। ତେଣୁ ଆସନ୍ତାକାଲିର କଥାବାର୍ତ୍ତାରେ ନିଷ୍କର୍ଷ ବାହାରିବାର ଆଶା କରାଯାଉଛି। ସରକାରଙ୍କ ନିମନ୍ତ୍ରଣକୁ ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଗ୍ରହଣ କରିଥିବାବେଳେ ଏଥିପାଇଁ ପ୍ରସଙ୍ଗ ଧାର୍ଯ୍ୟ କରିଛି। କିଷାନ ମୋର୍ଚ୍ଚା କହିଛି କୃଷି ଆଇନ ପ୍ରତ୍ୟାହାର ପାଇଁ କି ପ୍ରକାର ପ୍ରକ୍ରିୟା ଅବଲମ୍ବନ କରାଯିବ ତାହା ଉପରେ ସରକାରଙ୍କ ସହିତ ଆଲୋଚନା କରାଯିବ। ଏହା ସହିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ସରକାରଙ୍କ ଠାରୁ ଲିଖିତ ଗ୍ୟାରେଣ୍ଟି ଲୋଡାଯିବ। ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ସମ୍ପର୍କିତ ଅଧ୍ୟାଦେଶରେ ସଂଶୋଧନ ଲାଗି ମଧ୍ୟ କୃଷକମାନେ ଦାବି କରିଛନ୍ତି।
କୃଷକ ସଂଗଠନ ସହିତ ଆଲୋଚନା ପୂର୍ବରୁ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରେଳମନ୍ତ୍ରୀ ପୀୟୂଷ ଗୋୟଲ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶଙ୍କ ମଧ୍ୟରେ ବୈଠକ ହୋଇଛି। କୃଷକ ସଂଗଠନ ସହିତ ସରକାରଙ୍କ ପକ୍ଷରୁ ତୋମାର, ଗୋୟଲ ଓ ସୋମ ପ୍ରକାଶ ଆଲୋଚନା କରିବେ। ଆଲୋଚନା ଲାଗି ସରକାର ରଣନୀତି ପ୍ରସ୍ତୁତ ଲାଗି ଏହି ବୈଠକ କରିଛନ୍ତି। କୃ​‌ଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ନଭେମ୍ବର ୨୬ରୁ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀ କୃଷକଙ୍କ ସହିତ ସରକାର ୫ଟି ପର୍ଯ୍ୟାୟରେ କଥାବାର୍ତ୍ତା କରିଥିବାବେଳେ ସମାଧାନର ବାଟ ବାହାରିପାରି ନାହିଁ। ୬ଷ୍ଠ ପର୍ଯ୍ୟାୟ କଥାବାର୍ତ୍ତା ଲାଗି ସୋମବାର କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ସଞ୍ଜୟ ଅଗ୍ରୱାଲ ଆନ୍ଦୋଳନକାରୀ ୪୦ଟି କୃଷକ ସଂଗଠନର ନେତାଙ୍କୁ ଚିଠି ଲେଖିଥିଲେ। ସଚିବଙ୍କ ନିମନ୍ତ୍ରଣକୁ କୃଷକ ସଂଗଠନଗୁଡିକ ଗ୍ରହଣ କରିଛନ୍ତି। ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀ-ହରିୟାଣା, ଦିଲ୍ଲୀ-ଉତ୍ତରପ୍ରଦେଶ ଓ ଦିଲ୍ଲୀ-ଜୟପୁରର ସୀମାନ୍ତ ରାଜପଥକୁ ଅବରୋଧ କରି ରଖିଛନ୍ତି। ସିଙ୍ଘୁ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କୁ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯାଇଛି।
କୃଷକ ସଂଗଠନ ସହିତ ସରକାରଙ୍କ ଆଲୋଚନା ପୂର୍ବରୁ ମଙ୍ଗଳବାର ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି ଯେ କେନ୍ଦ୍ର ସରକାର ବିନା ଆଲୋଚନାରେ କୃଷି ଆଇନକୁ କୃଷକଙ୍କ ଉପରେ ଲଦି ଦେଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ବସି କୃଷି ପରିଚାଳନା କରାଯାଇପାରିବ ନାହିଁ। କାରଣ କୃଷକମାନେ ଗାଁରେ ରହୁଛନ୍ତି। ବିରୋଧୀ ଦଳଗୁଡିକ କୃଷକଙ୍କୁ ବିଭ୍ରାନ୍ତ କରୁଥିବା ନେଇ ଅଭିଯୋଗ ଉପରେ ଜବାବ ରଖି ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ ବିରୋଧୀ ଦଳ ଯଦି ସକ୍ରିୟ ଥାଆନ୍ତା ତେବେ କୃଷକମାନେ ଶୀତ କାକରରେ ବସି ଧାରଣା ଦେଉ ନଥାନ୍ତେ। ସରକାରଙ୍କ ସହିତ କୃଷକ ସଂଗଠନର ଆଲୋଚନା ହେବାକୁ ଯାଉଥିବାରୁ ଗୁରୁବାର ହେବାକୁ ଥିବା ଟ୍ରାକ୍ଟର ଶୋଭାଯାତ୍ରାକୁ କୃଷକ ସଂଗଠନଗୁଡିକ ବାତିଲ କରିଛନ୍ତି।

Comments are closed.