ନବୀନଙ୍କ କାଳିଆକୁ ମୋଦୀଙ୍କ ବଳିଆ?

0

ନୂଆଦିଲ୍ଲୀ: ଆସିଲାଣି ନିର୍ବାଚନ, ତେଣୁ ଦେଶର ଅର୍ଥନୀତି ଅପେକ୍ଷା ଜନତାଙ୍କୁ ପ୍ରଲୋଭିତ କରିବା ସମସ୍ତ ରାଜନୈତିକ ଦଳର ମୂଳ ଉଦ୍ଦେଶ୍ୟରେ ପରିଣତ ହୋଇଛି। ଏଭଳି ସମୟରେ କେନ୍ଦ୍ର ହେଉ କିମ୍ବା ରାଜ୍ୟ ସରକାର ଜନତାଙ୍କ ପାଖରେ ସମର୍ପି ଦେଇଛନ୍ତି ମନ। ନିକଟରେ ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନା ଏହାର ଜ୍ୱଳନ୍ତ ଉଦାହରଣ। ଏହି ଯୋଜନାରେ ଚାଷୀଙ୍କୁ ବିନା ସୁଧରେ ୨୫ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏହି ସୁବିଧା ଜମିରେ ଚାଷ କରୁଥିବା ଚାଷୀଙ୍କୁ ମଧ୍ୟ ମିଳିବ ଓ ଭାଗଚାଷୀଙ୍କୁ ମଧ୍ୟ ମିଳିବ। ଅର୍ଥାତ୍‍ ଯାହାର ଜମି ଅଛି ସେ ବି କାଳିଆ ଯାହାର ନାହିଁ ସେ ମଧ୍ୟ କାଳିଆ।
ନିର୍ବାଚନ ଆସିଲାଣି। ତେଣୁ ସେସବୁ ଆଲୋଚନା ନକରି ଚାଲନ୍ତୁ ନବୀନଙ୍କ କାଳିଆ ସହ ମୋଦୀଙ୍କ ବଳିଆ ସମ୍ପର୍କରେ ଆଲୋଚନା କରିବା। ମୋଦୀଙ୍କ ଆଜିର ବଜେଟ୍‍ ଘୋଷଣାକୁ ବଳିଆ ଯୋଜନା କହିବା ପଛର ଯୁକ୍ତି ହେଉଛି – ନବୀନଙ୍କ କାଳିଆ ଯୋଜନା ଘୋଷଣା ହେବା ପରେ ବିଜେପିର କିଛି ନେତା ଏହାର ସମାଲୋଚନା କରିଥିଲେ। କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ସହ କାଳିଆର କୌଣସି ସମ୍ପର୍କ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। କେବଳ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ କୃଷି ଯୋଜନାକୁ କାଳିଆ ନାମରେ ନାମିତ କରାଯାଇଛି। କାଳିଆ କେବେ ଚାଷ କରୁନଥିଲେ। ବରଂ ବଳରାମ ଅର୍ଥାତ୍‍ ବଳିଆ ଚାଷ କରୁଥିଲେ। ତେଣୁ ନବୀନ ପଟ୍ଟନାୟକ ଯୋଜନାର ନାମ କାଳିଆ ପରିବର୍ତ୍ତେ ବଳିଆ କରିବା ଉଚିତ ବୋଲି ବିଜେପି ସମାଲୋଚନା କରିଥିଲେ। ବିଜେପିର ଏପରି ଅକାଟ୍ୟ ଯୁକ୍ତି ପରେ ମୋଦୀଙ୍କ କୃଷି ଯୋଜନାକୁ ଓଡ଼ିଶାରେ ବଳିଆ ଯୋଜନା କହିବାରେ କୌଣସି ଭୁଲ ହେବ ନାହିଁ ବୋଲି ଏବେ ଚର୍ଚ୍ଚା ହେଉଛି।

ଏଥର ଆସନ୍ତୁ ଜାଣିବା କୃଷକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ଯୋଜନାରେ କିଏ ଦେଉଛି କ’ଣ?

ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନାରେ ଜମି ସହ କୌଣସି ସମ୍ପର୍କ ନାହିଁ। ଚାଷୀ ପରିବାରକୁ ମିଳିବ ୧୦ହଜାର ଟଙ୍କାର ସହାୟତା, ଭୂମିହୀନ ଚାଷୀଙ୍କୁ ମିଳିବ ୧୨ହଜାର ୫୦୦ଟଙ୍କାର ସହାୟତା। ଏହା ତ ହେଲା ମେନକୋର୍ସ। ଭୋଜନ ଶେଷରେ ପରିବେଷଣ କରାଯାଉଥିବା ମିଠା ସଦୃଶ ୨ଲକ୍ଷ ଟଙ୍କାର ଜୀବନ ବୀମା ଓ ୫୦ହଜାର ଟଙ୍କାର ବିନା ସୁଧରେ ଋଣ ମଧ୍ୟ ରହିଛି। ତେଣୁ ମୋଟାମୋଟି ଦେଖିବାକୁ ଗଲେ କାଳିଆ ଯୋଜନାରେ ଜଣେ ଚାଷୀ(?) ବର୍ଷକୁ ୧୦ହଜାର ଟଙ୍କା ପାଇବା ନିଶ୍ଚିତ। ଏହି ଟଙ୍କାକୁ ମଧ୍ୟ ପର୍ଯ୍ୟାୟ କ୍ରମେ ଦେବାକୁ ସ୍ଥିର କରିଛି ରାଜ୍ୟ ସରକାର। ରାଜ୍ୟର ୩୦ଲକ୍ଷରୁ ଅଧିକ ଚାଷୀ ଖରିଫ ଚାଷ ସମୟରେ ପାଇବେ ୫ହଜାର ପୁଣି ରବି ଚାଷ ସମୟରେ ପାଇବେ ୫ହଜାର। ଏଥିରେ ଚାଷୀର କେତେ ଜମି ଅଛି କିମ୍ବା ଆଦୌ ଜମି ଅଛି କି ନାହିଁ ତା’ ସହ କୌଣସି ସମ୍ପର୍କ ନାହିଁ। ସେହିପରି ୩ବର୍ଷ ପାଇଁ ବିନା ସୁଧରେ ସରକାର ଯୋଗାଇ ଦେବେ ୫୦ହଜାର ଟଙ୍କା। ଏହି ପ୍ରକ୍ରିୟା ୨୦୨୧ରେ ପୁଣି ଥରେ ସମୀକ୍ଷା କରାଯିବ। ଯଦି ବାସ୍ତବରେ ଚାଷୀଙ୍କୁ ଏହି ଟଙ୍କାର ଆବଶ୍ୟକତା ଥାଏ ତେବେ ଋଣ ପରିମାଣକୁ ବଢାଇବା କିମ୍ବା କମାଇବା ଉପରେ ବିଚାର କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
କାଳିଆ କେବଳ ଚାଷରେ ସୀମିତ ନାହିଁ। କୁକୁଡ଼ା ପାଳନ, ଛେଳି ଚାଷ, ଛତୁ ଚାଷ କିମ୍ବା ମହୁ ଚାଷୀ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏଥର ଦେଖିବା କେନ୍ଦ୍ରର ବଳିଆ ଯୋଜନାରେ କ’ଣ ରହିଛି ବ୍ୟବସ୍ଥା। କେନ୍ଦ୍ର ସରକାର ରାଜ୍ୟର ୨ହେକ୍ଟରରୁ କମ୍‍ ଜମି ଥିବା ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ ବର୍ଷକୁ ୬ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଟଙ୍କା ପୁଣି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩ଟି କିସ୍ତିରେ ଯିବ। ଗତବର୍ଷ ଡିସେମ୍ବର ୧ରୁ ଏହି ଯୋଜନା ପିଛିଲା ଭାବେ କାର୍ଯ୍ୟକାରୀ ହେବ। ଅର୍ଥାତ୍‍ ପ୍ରଧାନମନ୍ତ୍ରୀ କୃଷକ ଯୋଜନା(ଓଡ଼ିଶାରେ ବଳିଆ) କାର୍ଯ୍ୟକାରୀ ହେବା କ୍ଷଣି ଜଣେ କୃଷକ ଏକକାଳୀନ ୨ଟି କିସ୍ତିରେ ଟଙ୍କା ପାଇବାକୁ ହକଦାର ହେବ। ସେହିପରି ଦୈବୀଦୁର୍ବିପାକରେ ଚାଷ କ୍ଷତିଗ୍ରସ୍ତ ହେଲେ କୃଷି ଋଣରେ ୨ ପ୍ରତିଶତ ସୁଧ ଛାଡ଼ କରାଯିବ। ଉଚିତ ସମୟରେ ଋଣ ପରିଶୋଧ କଲେ ୩ ପ୍ରତିଶତ ସୁଧ ରିହାତି ମିଳିବ। ଅର୍ଥାତ୍‍ ଚାଷ କ୍ଷତିଗ୍ରସ୍ତ ହେଲେ ସୁଦ୍ଧା ସଠିକ ସମୟରେ ଋଣ ପରିଶୋଧ କରିଦେଲେ ମୋଟ୍‍ ୫ ପ୍ରତିଶତ ସୁଧରେ ଛାଡ଼ ମିଳିବ। ଏହି ବ୍ୟବସ୍ଥା କୁକୁଡ଼ା, ଛେଳି ପାଳନ କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଦାନ କରାଯିବ।
ଏଥିରୁ ସ୍ପଷ୍ଟ ବୁଝା ପଡ଼ୁଛି ଯେ, ରାଜ୍ୟ ସରକାର ଚାଷୀଙ୍କୁ ବିନା ସୁଧରେ ଋଣ ପ୍ରଦାନ କରୁଥିବାବେଳେ କେନ୍ଦ୍ର ଯୋଜନାରେ ଋଣ ସହ ସୁଧ ମଧ୍ୟ ରହିଛି। ରାଜ୍ୟ ସରକାର ଚାଷୀଙ୍କୁ ୫୦ହଜାର ଟଙ୍କା ଋଣ ପ୍ରଦାନ କରୁଥିବାବେଳେ କେନ୍ଦ୍ର ସରକାର ସେପରି କୌଣସି ସୀମା ପ୍ରସ୍ତୁତ କରି ନାହାନ୍ତି। ତେଣୁ ବଳିଆ ଯୋଜନାରେ ଜଣେ କୃଷକ ୫୦ହଜାରରୁ ଅଧିକ ଋଣ ନେଇ ପାରିବ।
ଚାଷୀଙ୍କ ସମସ୍ୟା ସମାଧାନ କରିବାରେ କାଳିଆ ଯୋଜନା ସର୍ବୋତ୍କୃଷ୍ଟ ଓ ଦେଶରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। କାରଣ ବିଜେପି ଓ କଂଗ୍ରେସ ଦ୍ୱାରା ପ୍ରଦାନ କରାଯାଉ ଥିବା କୃଷି ଋଣ ଛାଡ଼ ଯୋଜନା ଦେଶର ଅର୍ଥନୀତିକୁ ଦେବାଳିଆ କରିଦେବ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ। ତେବେ ମୋଦୀଙ୍କ ନୂଆ କୃଷକ ପ୍ରୀତି ଯୋଜନା କେତେ ଲୋକପ୍ରିୟ ଓ ପ୍ରଭାବଶାଳୀ ହୋଇପାରିବ ତାହା ଆଗାମୀ ଦିନରେ ସାବ୍ୟସ୍ତ ହେବ।

Leave A Reply