ଶୀତରେ ‘ଚାଷୀ ତାତି’: ବିଜେପି-ବିଜେଡ଼ି ମୁହାଁମୁହିଁ; କେନ୍ଦ୍ର ଓ ରାଜ୍ୟକୁ କଂଗ୍ରେସର କଟାକ୍ଷ

ସରକାରଙ୍କୁ ୭୨ ଘଣ୍ଟାର ମହଲତ ଦେଲା ବିଜେପି

ବିଜେଡ଼ିର ପାଲଟା ଆକ୍ରମଣ: ଦଲାଲଙ୍କ ପାଇଁ ଓକିଲାତି

ଉଭୟ ବିଜେଡ଼ି-ବିଜେପିକୁ କଂଗ୍ରେସର ସମାଲୋଚନା

 

ଭୁବନେଶ୍ବର :  ରାଜନୀତି ପଶାପାଲିରେ ସବୁବେଳେ ‘ଗୋଟି’ ହୋଇଛି ଚାଷୀ । ଚାଷୀ ଲାଗି ବିଭିନ୍ନ ସମୟରେ ରାଜନୈତିକ ଦଳ ଓ ଏହାର ନେତାମାନେ କାନ୍ଦୁଛନ୍ତି । ହେଲେ ଚାଷୀର ବାସ୍ତବ ସମସ୍ୟା ସମାଧାନ ହୋଇ ପାରୁନାହିଁ ।  ଏବେ ଦିଲ୍ଲୀରେ କୃଷି ବିଲ ପ୍ରତ୍ୟାହାର ଲାଗି ଚାଷୀମାନେ ଅଡ଼ି ବସିଥିବାବେଳେ ଓଡ଼ିଶାରେ ଧାନ କିଣା ରାଜନୀତି ତେଜିଛି । ମଣ୍ଡିରେ ପଡ଼ି ରହିଥିବା ଲକ୍ଷଲକ୍ଷ ବସ୍ତା ଧାନ କିଣିବା, ଧାନ ସଂଗ୍ରହ ପ୍ରକ୍ରିୟାରେ ସୁଧାର ଆଣିବା ଓ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ବିଜେପି ଚାଷୀ ଅଧିକାର ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଉଭୟ ବିଜେଡ଼ି ଓ କଂଗ୍ରେସ ଏହାକୁ ସମାଲୋଚନା କରିଛନ୍ତି । ଚାଷୀଙ୍କ ସମସ୍ୟା ସମାଧାନ ନିମନ୍ତେ ପରସ୍ପର ପ୍ରତି ଆଙ୍ଗୁଳି ଉଠାଇଛନ୍ତି ବିଜେପି ଓ ବିଜେଡ଼ି । ଅନ୍ୟପକ୍ଷରେ କଂଗ୍ରେସ ଉଭୟ ବିଜେଡ଼ି-ବିଜେପିକୁ ସମାଲୋଚନା କରିଛି ।

 ଗତକାଲି ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକସଭା କ୍ଷେତ୍ରର ଚାଷୀ ଓ ବିଜେପି ନେତାମାନେ ଆରଡ଼ିସି କାର୍ଯ୍ୟାଳୟ ଘେରାଉ କରିଥିଲେ । ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା, ମଣ୍ଡିରେ ଚାଷୀ ଶୋଷଣ ବନ୍ଦ କରିବା, ସବୁ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା ଆଦି ବିଭିନ୍ନ ଦାବି ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବିଜେପି ନେତାମାନେ ଧାରଣା ଦେଇଥିଲେ ।  ପୁଲିସ ଗିରଫ କରିବା ପରେ ସେମାନେ ଥାନାରେ ରାତି ବିତାଇଥିଲେ । ତେବେ ଆଜି ଆରଡ଼ିସିଙ୍କ ସହ ଆଲୋଚନାକାଳରେ  ଧାନ ସଂଗ୍ରହ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଓ ଚାଷୀ ସମସ୍ୟା ଦୂର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନର ଆବାହକ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆନ୍ଦୋଳନ ସ୍ଥଗିତ ରଖାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜିଲା ପ୍ରଶାସନ ଓ  ରାଜ୍ୟ ସରକାରଙ୍କୁ ୭୨ ଘଣ୍ଟାର ମହଲତ ଦିଆଯାଇଛି। ଏହି ସମୟ ଭିତରେ ବିଜେପି ପ୍ରତିନିଧି ଦଳ ତୃଣମୂଳସ୍ତରରେ ଧାନ ସଂଗ୍ରହର ପ୍ରକ୍ରିୟା ଓ ମଣ୍ଡିର ବ୍ୟବସ୍ଥା ନେଇ ସ୍ଥିତିର ଅନୁଧ୍ୟାନ କରିବ। ଯଦି ଏହି ସମୟରେ ସ୍ଥିତିରେ ଉନ୍ନତି ନ ଘଟେ ତେବେ ପୁଣିଥରେ ୨୫ ତାରିଖରେ ଏହାର ସମୀକ୍ଷା କରାଯାଇ ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟ ନିମନ୍ତେ ନକ୍ସା ପ୍ରସ୍ତୁତ କରାଯିବ ।

ଅନ୍ୟପକ୍ଷରେ ବିଜେପିର ଏହି ଆନ୍ଦୋଳନକୁ କଟାକ୍ଷ କରିଛି ବିଜେଡ଼ି । ଦଳର ମୁଖପାତ୍ର  ଶ୍ରୀମୟୀ ମିଶ୍ର କହିଛନ୍ତି  ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ ଖରିଦ କରିଚାଲିଥିବାବେଳେ ବିଜେପି ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି। ଦିଲ୍ଲୀରେ କୃଷକମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଚଳାଉଥିବା ପ୍ରଦର୍ଶନରୁ ନଜର ଏଡ଼ାଇବା ପାଇଁ ରାଜ୍ୟ ବିଜେପି ଏଭଳି ଡ୍ରାମା କରୁଥିବା ଓଡିଶାବାସୀ ଭଲଭାବେ ବୁଝି ସାରିଲେଣି। ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା। ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ ପରିମାଣ ୭୦.୫୬ଲକ୍ଷ ମେଟ୍ରିକ ଟନ୍‍ ଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୨,୮୦୮ କୋଟି ଟଙ୍କା ଯାଇଛି ।  ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡ୍‍ ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି। ହେଲେ ବିଜେପି ସାଂସଦମାନେ ଓଡିଶା ପାଇଁ କରିଛନ୍ତି କ’ଣ ? ଏଠାରେ ଶସ୍ତା ରାଜନୀତି କରିବା ଅପେକ୍ଷା ଓଡିଶା ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ଭଳି ସେମାନେ ପଦକ୍ଷେପ ନେବା ଉଚିତ୍‍। ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀଙ୍କ ନିକଟରେ ଥିବା ପ୍ରତିଟି  ଧାନକୁ  ସଂଗ୍ରହ କରାଯିବା ନେଇ ବିଜେଡି ସରକାର ଗ୍ୟାରେଣ୍ଟି ଦେଇଛନ୍ତି ବୋଲି  ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି । ।

ବିଜେଡ଼ି-ବିଜେପିର ଚାଷୀ ରାଜନୀତିକୁ ନେଇ କଂଗ୍ରେସ ଉଭୟ ରାଜନୈତିକ ଦଳକୁ ସମାଲୋଚନାକରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଗୋଟିଏ ପଟେ ଦେଶରେ କୃଷି ଆଇନକୁ ନେଇ ଦୀର୍ଘ ମାସ ଧରି ଆନ୍ଦୋଳନ ଚାଲିଛି। ଅନ୍ୟପଟେ ରାଜ୍ୟରେ ମଣ୍ଡି ସମସ୍ୟା ସହ ଧାନ କିଣାରେ କଟନୀ ଛଟନୀ ସମସ୍ୟା ନେଇ ପଶ୍ଚିମ ଓଡିଶାର ବିଶାଳ ସମାବେଶ ହୋଇଛି।  ରାଜ୍ୟ ସରକାର ଓ କେନ୍ଦ୍ର ସରକାର  ହୀନ ରାଜନୀତି କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଏସବୁ ତାମସା କରାଯାଉଛି । ବିଜେଡି ସରକାର ସମୟରେ କଟନୀ ଛଟନୀ ,କାହିଁକି ହେଉଛି ,ଟୋକନ କାହିଁକି ମିଳୁନି ବୋଲି ସେ ପ୍ରଶ୍ନ କରିବା ସହ ବିଜେପିର ଚାଷୀ  ଆନ୍ଦୋଳନକୁ ସେ ଡ଼୍ରାମା ବୋଲି କହିଛନ୍ତି । କେନ୍ଦ୍ରରେ ବିଜେପିର ସରକାର ଅଛି, ଆଇନ ଅନୁସାରେ ତାଙ୍କର ଅଧିକାର ଅଛି ଧାନ କିଣିବା ପାଇଁ। ସେ ତାଙ୍କର କର୍ତ୍ତବ୍ୟ କାହିଁକି କରୁ ନାହାଁନ୍ତି । ପୋଲିସ ଷ୍ଟେସନରେ ବସିଲେ କଣ ସମାଧାନ ହୋଇଯିବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । 

Comments are closed.