ତାଲାବନ୍ଦ ବିରୋଧରେ କୃଷକ ସଂଗଠନର ଆନ୍ଦୋଳନ ଡାକରା, ୮ରେ ଖୋଲିବେ ଦୋକାନବଜାର

କରୋନା ମହାମାରୀ ସଂକ୍ରମଣର ୨ୟ ତରଙ୍ଗ ଦ୍ରୁତଗତିରେ ବ୍ୟାପୁଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ ତାଲାବନ୍ଦ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ବିରୋଧ କରିଛନ୍ତି କୃଷକ ସଂଗଠନ। ପଞ୍ଜାବର ୩୨ କୃଷକ ସଂଗଠନ ତାଲାବନ୍ଦକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଇଛନ୍ତି। ଆସନ୍ତା ୮ ତାରିଖରେ ସେମାନେ ପଞ୍ଜାବରେ ଦୋକାନ ବଜାର ଖୋଲିବାକୁ ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ଆହ୍ବାନ କରିଛନ୍ତି। ଏହା ସହି ମେ ୧୦ ଏବଂ ୧୨ ତାରିଖରେ କୃଷକମାନେ ପୁଣି ଥରେ ଦିଲ୍ଲୀ ସୀମାର ଧାରଣାସ୍ଥଳରେ ଏକାଠି ହେବେ ବୋଲି ଚେତାବନୀ ଦେଇଛନ୍ତି।

କୃଷକ ସଂଗଠନଗୁଡ଼ିକର ନେତାମାନେ କହିଛନ୍ତି ଯେ, ସରକାର ତାଲାବନ୍ଦ ନାମରେ ଜନସାଧାରଣଙ୍କୁ ବରବାଦ କରିବାକୁ ଚାହୁଁଛି ଏବଂ ସରକାରଙ୍କ ଏହି ଷଡ଼ଯନ୍ତ୍ରକୁ କୃଷକମାନେ ସଫଳ ହେବାକୁ ଦେବେ ନାହିଁ। ସୂଚନା ଅନୁସାରେ, କୁଣ୍ଡଳୀ ସୀମା ଧାରଣାସ୍ଥଳରେ ୩୨ କୃଷକ ସଂଗଠନର ନେତାମାନଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ କୃଷକମାନେ ଆନ୍ଦୋଳନର ଆଗାମୀ ରଣନୀତି ବିଷୟରେ ଆଲୋଚନା କରିଥିଲେ। ବୈଠକ ପରେ କୃଷକ ନେତା ବଲଦେବ ସିଂହ ନିହାଲଗଢ଼, ବଲବୀର ସିଂହ ରାଜେୱାଲ, ବୁଟା ସିଂହ ବୁର୍ଜଗିଲ, ଜଗଜୀତ ସିଂହ ଦଲ୍ଲେୱାଲ ପ୍ରମୁଖ କହିଛନ୍ତି, କେନ୍ଦ୍ର ସରକାର କରୋନା ବିରୋଧରେ ଲଢ଼େଇ କରିବାରେ ବିଫଳ ହୋଇଛନ୍ତି। ସରକାର ନାଗରିକଙ୍କୁ ସ୍ବାସ୍ଥ୍ୟ ସୁବିଧା ଏବଂ ମୌଳିକ ସୁବିଧା ଯେପରି କି ଅମ୍ଳଜାନ, ଶଯ୍ୟା, ଔଷଧ ଆଦି ଯୋଗାଇଦେବାରେ ବିଫଳ ହୋଇଛନ୍ତି।

ସେମାନେ ଆହୁରି କହିଛନ୍ତି ଯେ, ବିଜେପି କୃଷକମାନଙ୍କୁ କରୋନା ସଂକ୍ରମଣ ବୃଦ୍ଧିର କାରଣ ବୋଲି କହୁଛି। କିନ୍ତୁ ଏଠାରେ କୃଷକମାନେ ଆବଶ୍ୟକ ସତର୍କତା ପାଳନ କରୁଛନ୍ତି। ସରକାର ନିଜର ବିଫଳତାକୁ ଲୁଚାଇବା ସହିତ ଜନବିରୋଧୀ ନିଷ୍ପତ୍ତି ନେବା ପାଇଁ ତାଲାବନ୍ଦ ଲାଗୁ କରୁଛନ୍ତି। ଏହାଦ୍ବାରା କୃଷକ, ଶ୍ରମିକ, ଦୋକାନୀ ଏବଂ ଜନସାଧାରଣଙ୍କ ଜୀବନ ବହୁମାତ୍ରାରେ ପ୍ରଭାବିତ ହୋଇଛି।

Comments are closed.