କୃଷକ ଆନ୍ଦୋଳନ : ସରକାରଙ୍କ ପ୍ରସ୍ତାବକୁ ପୁଣି ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ସରକାରଙ୍କ ଆଲୋଚନା ପ୍ରସ୍ତାବକୁ ପୁନର୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି। ବୁଧବାର କୃଷକ ସଂଗଠନଗୁଡିକ କହିଛନ୍ତି ସେମାନେ କୃଷି ଆଇନରେ କୌଣସି ସଂଶୋଧନ ଚାହୁଁନାହାନ୍ତି। ସେମାନେ ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଚାହୁଁଛନ୍ତି। ସୋମବାର କେନ୍ଦ୍ର କୃଷି ମନ୍ତ୍ରଣାଳୟ ଯୁଗ୍ମ ସଚିବ କୃଷକ ସଂଗଠନଗୁଡିକୁ ଚିଠି ଲେଖି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଉପରେ ବୁଧବାର କୃଷକ ସଂଗଠନଗୁଡିକ ଆଲୋଚନା କରିବା ପରେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସ୍ବରାଜ ଇଣ୍ଡିଆ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ସରକାର ଆଇନରେ ସଂଶୋଧନ ନିମନ୍ତେ ପ୍ରସ୍ତାବ ନ ଦେଇ ଏକ ନିର୍ଦ୍ଦିଷ୍ଟ ଲିଖିତ ପ୍ରସ୍ତାବ ଦିଅନ୍ତୁ।

ସେ କହିଛନ୍ତି ଯେ ସରକାର ନିୟମିତ ଭାବେ ତଥାକଥିତ କୃଷକ ନେତା ଓ ସଂଗଠନ ସହିତ ଆଲୋଚନା କରୁଛନ୍ତି ଯେଉଁମାନେ କି ଆମ ଆନ୍ଦୋଳନ ସହିତ ଜଡିତ ନୁହନ୍ତି। ସରକାର ଆନ୍ଦୋଳନକାରୀ କୃଷକଙ୍କ ସହିତ ମୂଲଚାଲ କରୁଛନ୍ତି। ଭାରତୀୟ କିଷାନ ୟୁନିୟନ ନେତା ଯୁଦ୍ଧବୀର ସିଂହ କହିଛନ୍ତି ଯେ ସରକାର ଜାଣିଶୁଣି କଥାବାର୍ତ୍ତା ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି। ଏହାଦ୍ବାରା ଆନ୍ଦୋଳନକାରୀ କୃଷକ ମାନସିକ ଭାବେ ଦୁର୍ବଳ ହୋଇପଡିବେ। ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ସଭାପତି ଶିବ କୁମାର କାକ୍କା କହିଛନ୍ତି ଯେ ଆଇନରେ କୌଣସି ପ୍ରକାର ସଂଶୋଧନକୁ ଗ୍ରହଣ କରାଯିବ ନାହିଁ। ଏହା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଆମେ ଜଣାଇ ଦେଇଛୁ। ଆମେ ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଚାହୁଁ।

ବୁଧବାର କୃଷକ ଦିବସ ଅବସରରେ କୃଷକ ନେତାମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆନ୍ଦୋଳନକାରୀ କୃଷକମାନେ କିଷାନ ଘାଟରେ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ, ରାଷ୍ଟ୍ରୀୟ ଲୋକ ଦଳ ନେତା ଅଜିତ ସିଂହ ଓ ଜୟନ୍ତ ଚୌଧୁରୀ ପ୍ରମୁଖ ସଂସଦର କେନ୍ଦ୍ରୀୟ ହଲ୍‌ରେ ଚୌଧୁରୀ ଚରଣ ସିଂହଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ କନଫେଡେରେସନ ଅଫ ଏନଜିଓର ପ୍ରତିନିଧିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ତୋମାର କହିଛନ୍ତି ଯେ କରୋନା ମହାମାରୀ ସମୟରେ ବ୍ୟାଙ୍କଗୁଡିକ ୧କୋଟିରୁ ଅଧିକ କୃଷକଙ୍କୁ କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ସାମିଲ କରିଛନ୍ତି। ଏହି ଯୋଜନାରେ କୃଷକଙ୍କୁ ୧ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିବାରୁ ତୋମାର ବ୍ୟାଙ୍କଗୁଡିକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କହିଛନ୍ତି ଯେ କୃଷକ ସଂଗଠନଗୁଡିକ ସରକାରଙ୍କ ଅନୁରୋଧକୁ ନିଶ୍ଚୟ ରକ୍ଷା କରିବେ। କୃଷି ଆଇନ ସମ୍ପର୍କରେ କୃଷକମାନଙ୍କର ଯଦି କୌଣସି ପ୍ରସ୍ତାବ ଥାଏ ତେବେ ସେମାନେ ଜଣାନ୍ତୁ। ସରକାର ଏହା ଉପରେ ଆଲୋଚନା କରିବାକୁ ସର୍ବଦା ପ୍ରସ୍ତୁତ। ଚୌଧୁରୀ ଚରଣ ସିଂହଙ୍କ ଜନ୍ମଦିନକୁ କୃଷକ ଦିବସ ଭାବେ ପାଳନ କରାଯାଇଥାଏ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଆନ୍ଦୋଳନକାରୀ କୃଷକଙ୍କ ସହିତ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି। ଆନ୍ଦୋଳନକାରୀ କୃଷକ ସଂଗଠନର କେତେକ ଗୋଷ୍ଠୀ ମମତାଙ୍କ ସହିତ କଥା ହୋଇଥିବା ଜଣାଯାଇଛି। ଏହି ଅବସରରେ ମମତା କୃଷକଙ୍କ ଦାବି ପ୍ରତି ସମର୍ଥନ ଜଣାଇଥିଲେ। ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକ ସହିତ ମମତା ଆଲୋଚନା କରିଥିବାବେଳେ ମମତାଙ୍କ ଦଳ ତୃଣମୂଳ କଂଗ୍ରେସର ୫ଜଣ ସାଂସଦ କୃଷକଙ୍କୁ ଭେଟିଥିଲେ। ଦଳର ସାଂସଦ ଡେରେକ ଓବ୍ରାଏନ, ଶତାବ୍ଦୀ ରାୟ, ପ୍ରସୂନ ବାନାର୍ଜୀ, ପ୍ରତିମା ମଣ୍ଡଳ ଓ ମହମ୍ମଦ ନାଦିମୂଲ ହକ୍ ଆନ୍ଦୋଳନକାରୀ କୃଷକଙ୍କ ସହିତ ଆଲୋଚନା କରିଥିଲେ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ପ୍ରତିନିଧି ଦଳ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କୃଷି ଆଇନ ବିରୋଧରେ ସଂଗୃହୀତ ୨କୋଟି ଦସ୍ତଖତ ସହିତ ସ୍ମାରକ ପତ୍ର ପ୍ରଦାନ କରିବେ। କଂଗ୍ରେସ ସାଂସଦ କେ ସୁରେଶ କହିଛନ୍ତି ଯେ ଦଳର ପ୍ରତିନିଧିମାନେ ସକାଳ ୧୦ଟା ୪୫ରୁ ଏକ ଶୋଭାଯାତ୍ରାରେ ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯିବେ। ପରେ ରାହୁଲଙ୍କ ସହିତ ବରିଷ୍ଠ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବେ। କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ବୁଧବାର ୨୮ଦିନରେ ପହଞ୍ଚିଛି।

Comments are closed.