ବଢ଼ୁଛି କୃଷିଋଣ ଛାଡ଼ ଚାପ

0

ଭୁବନେଶ୍ବର : କୃଷି ଋଣ ଛାଡ଼ ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିରୋଧୀଙ୍କ ଚାପ ଏବେ ଶାସକ ଦଳର ଚିନ୍ତା ବଢ଼ାଇଲାଣି। ନିକଟରେ ବିଜେପିକୁ ପଛରେ ପକାଇ କ୍ଷମତାକୁ ଆସିଥିବା କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କୃଷି ଋଣ ଛାଡ଼ ପାଇଁ ଘୋଷଣା କରି ସାରିବା ପରେ ଏହାକୁ ନେଇ ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ଚାପରେ ଥିବାବେଳେ ଓଡ଼ିଶା ବି ଏଥିରୁ ବାଦ ପଡ଼ିନାହିଁ।
କ୍ଷମତାକୁ ଆସିଥିବା କଂଗ୍ରେସ ସରକାର ଏବେ ଋଣ ଛାଡ଼ କରୁଥିବାବେଳେ ଓଡ଼ିଶା ସରକାର ଋଣ ଛାଡ଼ କରିବେ କି ବୋଲି ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାର ଅନୁଧ୍ୟାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଂକ୍ଷିପ୍ତ ଉତ୍ତର ଅନେକ ଇସାରା ଦେଉଛି। ହୁଏତ ସରକାର ଏ ଦିଗରେ ଚିନ୍ତା କରିଥାଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ତେବେ ଗୁରୁବାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବକ୍ତବ୍ୟ ଋଣଛାଡ଼ ପ୍ରସଙ୍ଗକୁ ଅଧିକ ରୋଚକ ମୋଡ଼ରେ ପହଞ୍ଚାଇଛି। ନିକଟରେ ନବନିର୍ମାଣ କୃଷକ ସଂଘଠାରୁ ଆରମ୍ଭ କରି ରାଜ୍ୟର ବିିଭିନ୍ନ ଅଞ୍ଚଳରେ ଥିବା କୃଷକ ସଙ୍ଗଠନ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ପରେ ଏଥିପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। ହେଲେ ଏ ପର୍ଯ୍ୟନ୍ତ କମିଟି କୌଣସି ନିଷ୍କର୍ଷରେ ପହଞ୍ଚିପାରିନି। ଏଭଳି ସମୟରେ ବିରୋଧୀଙ୍କ କୃଷି ଋଣ ଛାଡ଼ ପାଇଁ ଆଗୁଆ ପ୍ରତିଶ୍ରୁତି ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ସେଥିପାଇଁ ବିଜେଡ଼ି ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବାର ସଙ୍କେତ ମିଳୁଛି।
ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ଋଣ ଛାଡ଼ ଦିଗରେ ପଦକ୍ଷେପ ଗ୍ରହଣ କରିବେ କି ବୋଲି ଆଜି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏ ବିଷୟରେ ଚିନ୍ତା କରାଯାଉଛି। ତେବେ ଅନ୍ୟ ରାଜ୍ୟରେ ଋଣ ଛାଡ଼ କରାଯିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଓଡ଼ିଶା ସରକାର ଏଥିନେଇ କାହା ସହିତ ପ୍ରତିଯୋଗିତାରେ ନାହାନ୍ତି। ନିର୍ବାଚନରେ ପରସ୍ପର ସହିତ ପ୍ରତିଯୋଗିତା ପାଇଁ ରାଜନୈତିକ ଦଳଗୁଡ଼ିକ ଋଣ ଛାଡ଼ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ବିଜେଡ଼ି ସରକାର ଏ ଦିଗରେ ଆଗେଇବା ପୂର୍ବରୁ ସବୁ ଦିଗ ବିଚାର କରୁଛି। କୃଷି ଋଣ ଛାଡ଼ ଦ୍ବାରା କୃଷକମାନଙ୍କ ପ୍ରକୃତ ସମସ୍ୟା ସମାଧାନର ବାଟ ନୁହେଁ ବୋଲି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଥିବାବେଳେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭାରତ ସରକାର କୃଷିଋଣ ଛାଡ଼ ସଂକ୍ରାନ୍ତରେ ଏକ ଜାତୀୟ ନୀତି ପ୍ରଣୟନ କରିବା ଦରକାର। ଶିଳ୍ପପତିମାନଙ୍କ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଋଣ ଛାଡ଼ କରୁଥିବାବେଳେ ଚାଷୀଙ୍କ ପାଇଁ କାହିଁକି କରିବେ ନାହିଁ ବୋଲି ସେ କହିଛନ୍ତି।
ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନ୍ୟ ରାଜନୈତିକ ଦଳଗୁଡ଼ିକଠାରୁ ଆଉ ପାଦେ ଆଗେଇ ଯାଇଛନ୍ତି। ଏକ ଟୁଇଟ ଜରିଆରେ ସେ କହିଛନ୍ତି କଂଗ୍ରେସ ଯଦି କ୍ଷମତାକୁ ଆସେ ତେବେ ପାଞ୍ଚ ଘଣ୍ଟା ଭିତର ଋଣ ଛାଡ଼ ଦିଗରେ ପଦକ୍ଷେପ ନେବ। ମଧ୍ୟପ୍ରଦେଶ ଓ ଛତିଶଗଡ଼କୁ ଦେଖି ବି​‌େ​‌ଜପି ଶାସିତ ଆସାମ ସରକାର ମଧ୍ୟ କୃଷି ଋଣ ଛାଡ଼ କରିଦେବାକୁ ଘୋଷଣା କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ୧୮ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି ସରକାର ଓଡ଼ିଶାର ଚାଷୀମାନଙ୍କ ପାଇଁ କିଛି କରିନାହାନ୍ତି। କିନ୍ତୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଆସିବାର ଦୁଇ ଦିନ ଭିତରେ କୃଷି ଋଣ ଛାଡ଼ କରିଦେଇଛନ୍ତି।
ଚାଷୀଙ୍କ ସମର୍ଥନ ପାଇଁ ରାଜ୍ୟ ଗୁଡ଼ିକ ମଧ୍ୟରେ ମଧ୍ୟରେ କୃଷି ଋଣ ଛାଡ଼ ନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବାବେଳେ ଓଡ଼ିଶାରେ କଂଗ୍ରେସ ବାରମ୍ବାର ଋଣଛାଡ଼ ପ୍ରସଙ୍ଗକୁ ଦେହରାଉଥିବାରୁ ସରକାରଙ୍କ ପାଇଁ ଏହା ଚାପ ସୃଷ୍ଟି କରିଛି।
ତେବେ ରାଜ୍ୟ ସରକାରଙ୍କୁ ପ୍ରତି କଥାରେ ଘେରୁଥିବା ବି​‌ଜେ‌ଜପି ମଧ୍ୟ ଚୁପ ବସିନାହିଁ। ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଚାଷୀଙ୍କ ସମସ୍ୟା ନେଇ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦ​‌କ୍ଷେ‌ପ ଗ୍ରହଣ କରୁ ନଥିବା ଦଳ ପକ୍ଷରୁ କୁହାଯାଇଛି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ଓଡ଼ିଶାର ଚାଷୀମାନେ ଦୁଃଖରେ ଅଛନ୍ତି। ସେମାନଙ୍କ ଋଣଛାଡ଼ କରାଯିବା ଦରକାର।

Leave A Reply