ଚାଷ ଅଛି ଯାହାର, କେତେ ଦୁଃଖ ତାହାର

ରାଜ୍ୟର ଅଭିବୃଦ୍ଧି ହାରରେ କୃଷିର ଅବଦାନ ୨୦%ରୁ କମ୍

ରାଜ୍ୟରେ କୃଷକ ପରିବାରର ମାସିକ ଆୟ ୫ ହଜାରରୁ କମ୍

ଭୁବନେଶ୍ବର (ରଞ୍ଜିତ୍ ମହାନ୍ତି):  କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ଅସଂଖ୍ୟ ଯୋଜନା । ଇ-ନାମ ଠାରୁ  ଏନଏମଏସଏ, ପିଏମକେଏସୱାଇ, ପିକେଭିୱାଇ ବାଟ ଦେଇ ଓଡ଼ିଶାରେ କାଳିଆ ଯୋଜନା, ବଳିଆ ଯୋଜନା ପର୍ଯ୍ୟନ୍ତ ଲମ୍ବିଛି । ମାତ୍ର ଗରିବ ଚାଷୀଟିର ଦୁଃଖ ସେତେବେଳେ ଯେମିତି ଥିଲା, ଏବେ ବି ସେମିତି ଅଛି । ଅସୁମାରୀ ସମସ୍ୟାର ଜାଲରେ ଛଟପଟ ହେଉଛି ସେ ।   ଚାଷୀର ରୋଜଗାର ଦୁଇଗୁଣ ହୋଇଛି ବୋଲି ଘଣ୍ଟ ପିଟା ଯାଉଛି ।  ମାତ୍ର ସରକାରୀ କର୍ମଚାରୀ, କର୍ପୋରେଟ ଅଧିକାରୀ, ମନ୍ତ୍ରୀ-ବିଧାୟକ ଓ ଅଧିକାରୀଙ୍କ ବେତନ ସେହି ତୁଳନାରେ କେତେ ବଢ଼ିଛି କେହି ତୁଳନା କରିନାହାନ୍ତି । ଭାଗ ଚାଷୀଟି ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇ ନାହିଁ । ମଧ୍ୟ, ପଶ୍ଚିମ ଓ ଦକ୍ଷିଣ ଭାରତରେ ଚାଷୀ ଆତ୍ମହତ୍ୟା କମି ନାହିଁ । ଅଭାବୀ ବିକ୍ରି,  ଚାଷୀର ଦୁଃଖ, ଚାଷୀର ବେଦନାକୁ ନେଇ ରାଜପଥରୁ ବିଧାନସଭା, ସଂସଦ ଭବନ ହୁଲସ୍ତୁଲ ହୋଇଛି । ମାତ୍ର ଚାଷୀ ସେହି ଚାଷୀ ହୋଇ ରହିଛି । ତା ଦେହରୁ ବାହାରୁଥିବା ମାଟି ଆଉ ଝାଳର ମିଶାମିଶି ଗନ୍ଧ କେବେ ବିଧାନସଭା କି ସଂସଦ ଭବନରେ ପଶି ପାରିନାହିଁ । ରାଜନୀତିର ଚକ୍ରବ୍ୟୁହ ମଧ୍ୟରେ ଚାଷୀ କେବଳ ପେଶି ହୋଇଛି ସିନା ବାସ୍ତବରେ ଚାଷୀର ବିକାଶ କେବଳ ନଥିପତ୍ରରେ ଅଟକି ଯାଇଥିବା ମନେ ହେଉଛି ।

ସରକାରୀ ତଥ୍ୟ ଅନୁସାରେ ରାଜ୍ୟର ମୋଟ କର୍ମଜୀବୀଙ୍କ ମଧ୍ୟରୁ ୪୮.୭୬% କୃଷି ଓ ଆନୁଷଙ୍ଗିକ ବୃତ୍ତି ସହ ଜଡ଼ିତ । ମାତ୍ର ବିଡ଼ମ୍ବନା ହେଉଛି ରାଜ୍ୟର ଅଭିବୃଦ୍ଧି ହାରରେ କୃଷିର ଅବଦାନ ୨୦%ରୁ କମ୍ । ୨୦୧୦-୧୧ ଆର୍ଥିକ ବର୍ଷବେଳକୁ ରାଜ୍ୟର ଅଭିବୃଦ୍ଧିରେ କୃଷିର ଅବଦାନ ୧୭.୮୭ ଥିଲା, ଏବେ ବଢ଼ିବଢ଼ି ପହଞ୍ଚିଛି ୧୯.୯୦%ରେ । ୟାର ଅର୍ଥ ନୁହେଁ ଯେ ରାଜ୍ୟରେ କୃଷି ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯାଇ ନାହିଁ କିମ୍ବା ଉତ୍ପାଦନ ବଢ଼ି ନାହିଁ ।  ରାଜ୍ୟ ସରକାରଙ୍କ କୃଷି ବଜେଟ ବଢ଼ିଛି, ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କୁ ଦିଆଯାଉଥିବା କୃଷି ଋଣ ୩ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଧାନ ଓ ଖାଦ୍ୟଶସ୍ୟ ଉତ୍ପାଦନ ଢ଼େର ବଢ଼ିଛି । ଧାନ ଉତ୍ପାଦନରେ ଓଡ଼ିଶା ଭାରତର ୪ର୍ଥ ପ୍ରମୁଖ ରାଜ୍ୟମଧ୍ୟରେ ସ୍ଥାନ ପାଇଛି । ବଳକା ଚାଉଳ ଅନ୍ୟରାଜ୍ୟ ଓ ଏଫସିଆଇକୁ ପଠାଇବାକୁ ସମର୍ଥ ହୋଇଛି । ସେମିତି କୋଳଥ ଓ କଖାରୁ ଉତ୍ପାଦନରେ ଓଡ଼ିଶା ଦେଶରେ ପ୍ରଥମ । ବାଇଗଣ ଓ ଲେମ୍ବୁ ଉତ୍ପାଦନରେ ଦେଶରେ ଦ୍ବିତୀୟ, ଧାନ ଉତ୍ପାଦନରେ ୪ର୍ଥ । ଅନ୍ୟପକ୍ଷରେ ଲାଭକାରୀ ଫସଲ, ତୈଳବୀଜ ଆଦି ଉତ୍ପାଦନରେ ଢ଼େର ପଛୁଆ ।

ପରିଣତିସ୍ବରୂପ ରାଜ୍ୟରୁ କୃଷିଜାତ ସାମଗ୍ରୀ ରପ୍ତାନୀହାର ତୁଳନାତ୍ମକ ଭାବରେ ଅନ୍ୟରାଜ୍ୟଠାରୁ କମ୍ । ଓଡ଼ିଶାରୁ ଦେଶ ବିଦେଶକୁ ରପ୍ତାନୀ ସାମଗ୍ରୀ ମଧ୍ୟରେ କୃଷି ଉତ୍ପାଦ ଅତ୍ୟନ୍ତ ଗୌଣ । ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୧୮-୧୯ରେ ରାଜ୍ୟରୁ ପ୍ରାୟ ୪୭୬୧୯ କୋଟି ଟଙ୍କାର ବିିଭିନ୍ନ ସାମଗ୍ରୀ ରପ୍ତାନୀ ହୋଇଥିବାବେଳେ କୃଷିଜାତ ସାମଗ୍ରୀର ପରିମାଣ ଥିଲା ମାତ୍ର ୨୧୦ କୋଟି ଟଙ୍କା । ଏହି ସ୍ଥିତିରେ ରାଜ୍ୟର ଚାଷୀମାନଙ୍କ ସ୍ଥିତି ଓ ରୋଜଗାର କେମିତି ହୋଇଥିବା ତାହା ସ୍ପଷ୍ଟ । ୨୦୧୯ରେ ରାଜ୍ୟସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦେଇଥିବା ତଥ୍ୟ ଅନୁସାରେ ଦେଶର ଯେଉଁ ୬ଟି ରାଜ୍ୟରେ ଚାଷୀ ପରିବାରର ରୋଜଗାର ମାସିକ ୫ହଜାର ଟଙ୍କାରୁ କମ୍ ତାହା ମଧ୍ୟରେ ଗୋଟିଏ ହେଉଛି ଓଡ଼ିଶା । ଓଡ଼ିଶାରେ ଚାଷୀ ପରିବାରର ମାସିକ ରୋଜଗାର ୪୯୭୬ ଟଙ୍କା । ଏହା ତଳକୁ ରହିଛନ୍ତି ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ । ଏହି ତାଲିକାରେ ବିହାର ସବୁଠୁ ତଳେ ରହିଛି ଏବଂ ଏଠାରେ ଚାଷୀ ପରିବାରର ମାସିକ ଆୟ ମାତ୍ର ୩୫୫୮ ଟଙ୍କା ।

ରାଜ୍ୟରେ ହାରାହାରି ମୁଣ୍ଡପିଛା ଆୟ ୨୦୧୦ରେ ଥିଲା ବାର୍ଷିକ ୪୮,୩୭୦ ଟଙ୍କା । ୨୦୧୯-୨୦ ବେଳକୁ ଏହା ବଢ଼ିବଢ଼ି ୧.୦୧୫ ଲକ୍ଷ ଟଙ୍କାରେ ପହଞ୍ଚିଛି । ମାତ୍ର ଚାଷୀର ଆୟ ୨୦୧୦ରେ ଯାହା ଥିଲା ଏବେ କେତେ ବଢ଼ିଛି ତାହାର ବାସ୍ତବ ଅଟକଳ କରାଯାଇ ନାହିଁ । ସରକାର ଧାନ ଓ ଅନ୍ୟାନ୍ୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ମାତ୍ର ଚାଷୀ ଏକ କ୍ବିଣ୍ଟାଲ ଧାନ ପାଇଁ କେତେ ଧନ ଖର୍ଚ କରିଛି ଓ କେତେ ଶ୍ରମ ବ୍ୟୟ କରିଛି ତାହାର ସଠିକ ଆକଳନ ଏଯାଏ ହୋଇ ପାରିନାହିଁ। ଧନ ଓ ଶ୍ରମ ବ୍ୟତୀତ ତା’ର କ୍ଷେତର ମୂଲ୍ୟ କେବେ ଆକଳନ କରିବାକୁ କେହି ଉଚିତ ମଣି ନାହାନ୍ତି । କ୍ଷେତକୁ ପାଣି ଦେବାକୁ କେନାଲ ଖୋଳା ଯାଉଛି । ମାତ୍ର ଅଧିକାରୀସର୍ବସ୍ବ କାର୍ଯ୍ୟପ୍ରଣାଳୀରେ କେନାଲର ତଳମୁଣ୍ଡର କ୍ଷେତରେ କେତେ ପାଣି ପହଞ୍ଚୁଛି କିଏ ଆକଳନ କରିଛି ?

ଆଉ ଏବେ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଚାଷୀକୁ ଦେଖାଉଛନ୍ତି ନାଲି ଆଖି । ଚାଷ ସଂକ୍ରାନ୍ତ ବିବାଦ, ଚୁକ୍ତି ଭିତ୍ତିକ ଚାଷ ସମ୍ପର୍କରେ କୌଣସି ବିବାଦ ନେଇ ଚାଷୀ ଅଦାଲତକୁ ଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ନୂଆ କୃଷି ଆଇନରେ ବ୍ୟବସ୍ଥା କରିଛନ୍ତି । ସେମିତି ବିଧାନସଭା କି ସଚିବାଳୟ ଆଗରେ ହରତାଳକୁ ବେଆଇନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଚାଷୀଟି କରିବ କ’ଣ ? ନ୍ୟାୟ ଲାଗି କେଉଁଠିକୁ ଯିବ ?

Comments are closed.