କୃଷକ ହିଂସାକୁ ନେଇ ସେଲିବ୍ରିଟିଙ୍କ ଟୁଇଟ୍‌ ଝଡ଼, ଆକାଉଣ୍ଟ ବ୍ଲକ୍‌ ପାଇଁ କହିଲେ ସରକାର

- କୃଷକଙ୍କ ସପକ୍ଷରେ ପପ୍‌ଷ୍ଟାର ରିହାନା, ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ - ନିନ୍ଦା କଲା ବୈଦେଶିକ ମନ୍ତ୍ରଣାଳୟ - ବାହ୍ୟ ଶକ୍ତି କେବଳ ଦେଖଣାହାରୀ: ତେନ୍ଦୁଲକର

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡିକୁ ଆନ୍ତର୍ଜାତିକସ୍ତରରେ ସମର୍ଥନ ମିଳିଛି। ଆନ୍ଦୋଳନକାରୀ କୃଷକଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ଆନ୍ତର୍ଜାତିକ ପ୍ରସିଦ୍ଧି ଲାଭ କରିଥିବା ପପ୍‌ଷ୍ଟାର ରିହାନା ଓ ଜଳବାୟୁ ପରିବର୍ତ୍ତନ କର୍ମୀ ଗ୍ରେଟା ଥନବର୍ଗ। କୃଷକ ହିଂସାକୁ ନେଇ ଦିଲ୍ଲୀ ସୀମାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବାକୁ ରିହାନ ନାପସନ୍ଦ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି ‘ଆମେ କାହିଁକ ଏ ସମ୍ପର୍କରେ କିଛି କହୁ ନାହୁଁ’। ସେହିପରି ଗ୍ରେଟା ଥନବର୍ଗ ଟୁଇଟରରେ ଲେଖିଛନ୍ତି ‘ଭାରତର କୃଷକ ଆନ୍ଦୋଳନକୁ ଆମେ ସମର୍ଥନ କରୁଛୁ’। ମଡେଲ ମିଆ ଖାଲିଫା ମଧ୍ୟ କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି।

ଆନ୍ତର୍ଜାତିକ ସ୍ତରରେ ଭାରତର ସମ୍ମାନ ହାନି ହେଉଛି: ରାହୁଲ

କୃଷକଙ୍କ ସମସ୍ୟାକୁ ସମାଧାନ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁଁ ଆନ୍ତର୍ଜାତିକସ୍ତରରେ ଭାରତରେ ସମ୍ମାନ ହାନି ହେଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ବୁଧବାର ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାହୁଲ କହିଛନ୍ତି ସରକାର କୃଷକଙ୍କ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ଦରକାର। ସେ କହିଛନ୍ତି ବିଜେପି-ଆରଏସଏସ୍‌ ଦେଶର ସମ୍ମାନକୁ ପଦାରେ ପକାଇଛନ୍ତି। ଦିଲ୍ଲୀକୁ କୃଷକମାନେ ଘେରି ରହିଛନ୍ତି। ଏହି ଲୋକମାନେ ଆମକୁ ଖାଦ୍ୟ ଯୋଗାଇଥାନ୍ତି। କୃଷକଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ନଦେବା ଲାଗି ଏହାକୁ ଏକ ଦୁର୍ଗରେ ପରିଣତ କରାଯାଇଛି। ସରକାର ସେମାନଙ୍କୁ ମାଡ ମାରିବା ସହିତ ଧମକ ଦେଉଛନ୍ତି। ସରକାର କାହିଁକି ସେମାନଙ୍କ ସହିତ କଥାବାର୍ତ୍ତା ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ରାହୁଲ କହିଛନ୍ତି ଯେ ଦେଶରେ ନେତୃତ୍ବର ଅଭାବ ଦେଖାଯାଇଛି। ନେତା କେବଳ ଭାଷଣ ଦିଏ ନାହିଁ; କାମ କରେ।

ତେବେ ରିହାନାଙ୍କ ଟୁଇଟ୍‌କୁ ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିଛି। ରିହାନାଙ୍କ ନାମ ନ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କେହି କୌଣସି ପ୍ରସଙ୍ଗରେ ମନ୍ତବ୍ୟ ଦେବା ପୂର୍ବରୁ ଏହାକୁ ବୁଝିବା ଦରକାର। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର କହିଛନ୍ତି ଯେ ଭାରତ ବିରୋଧରେ ଆନ୍ତର୍ଜାତିକସ୍ତରରେ ଯେଉଁ ଅପପ୍ରଚାର ଚାଲିଛି ତାହା କେବେ ସଫଳ ହେବ ନାହିଁ। ଆମେ ନିଜ କଥା ନିଜେ ବୁଝିବାକୁ ଏବେ ବେଶ ସମର୍ଥ। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତର ଅଖଣ୍ଡତାକୁ କୌଣସି ଶକ୍ତି ଭାଙ୍ଗିପାରିବ ନାହିଁ। ରିହାନଙ୍କ ଟୁଇଟ୍‌କୁ କ୍ରିକେଟର ସଚିନ ତେନ୍ଦୁଲକର ବିରୋଧ କରିଛନ୍ତି। ତେନ୍ଦୁଲକର ତାଙ୍କ ଟ୍ବିଟରରେ ଲେଖିଛନ୍ତି ‘ଭାରତର ସାର୍ବଭୌମତ୍ବକୁ ନେଇ କେବେ ସାଲିସ କରାଯାଇପାରିବ ନାହିଁ। ଆନ୍ତର୍ଜାତିକ ଶକ୍ତି ଭାରତର କାର୍ୟ୍ୟକୁ କେବଳ ଦେଖିପାରିବେ ମାତ୍ର ଏଥିରେ ଭାଗ ନେଇପାରିବେ ନାହିଁ। ଭାରତୀୟମାନେ ଭାରତକୁ ଜାଣନ୍ତି ଏବଂ ଭାରତ ପାଇଁ ନିଷ୍ପତ୍ତି ନେବା ଦରକାର। ଗୋଟିଏ ଦେଶର ନାଗରିକ ଭାବେ ଏକଜୁଟ୍‌ ହୋଇ ରହିବା।’

ଟୁଇଟର୍‌କୁ କେନ୍ଦ୍ର ସରକାରଙ୍କ ଚେତାବନୀ – ହାସ୍‌ଟ୍ୟାଗ ହଟାଅ, ଆକାଉଣ୍ଟ ବ୍ଲକ୍‌ କର

ସାମାଜିକ ଗଣମାଧ୍ୟମ ଟୁଇଟର୍‌କୁ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି। କୃଷକ ହିଂସାକୁ ନେଇ ଅନେକ ବ୍ୟକ୍ତି ବିଶେଷ ସେମାନଙ୍କ ଟ୍ବିଟର ଆକାଉଣ୍ଟରେ ହାସ୍‌ଟ୍ୟାଗ ‘ମୋଦୀ ସରକାର କୃଷକ ଗଣହତ୍ୟାର ଯୋଜନା କରୁଛନ୍ତି’କୁ ପୋଷ୍ଟ କରିଛନ୍ତି। ସରକାର ବିରୋଧୀ ଏପରି ହାସଟ୍ୟାଗକୁ ଟୁଇଟ୍‌ କରିଥିବା ବ୍ୟକ୍ତି ବିଶେଷଙ୍କ ଟୁଇଟର ଆକାଉଣ୍ଟକୁ ବ୍ଲକ (ବନ୍ଦ) କରିବା ଲାଗି ସୂଚନା ପ୍ରଯୁକ୍ତି (ଆଇଟି) ମନ୍ତ୍ରଣାଳୟ ନିର୍ଦେଶ ଦେଇଥିଲା। ଆଇଟି ମନ୍ତ୍ରଣାଳୟର ଏହି ନିର୍ଦେଶ ସତ୍ତ୍ବେ ଟୁଇଟର ଏହି ୟୁଜର୍ସଙ୍କ ଆକାଉଣ୍ଟକୁ ସକ୍ରିୟ ରଖିଛି। ସରକାରଙ୍କ ନିର୍ଦେଶର ଅବମାନନା ପୂର୍ବକ ଟୁଇଟର ଏକପାଖିଆ ଭାବେ ୟୁଜର୍ସଙ୍କ ଆକାଉଣ୍ଟକୁ ପୁନଃସ୍ଥାପନ କରିଥିବାରୁ ସରକାର ଏହି ନୋଟିସ ଜାରି କରିଛନ୍ତି।

ଟୁଇଟରର ଏପରି କାର୍ୟ୍ୟକୁ ନେଇ କେନ୍ଦ୍ର ସରକାର ଏହାକୁ ନୋଟିସ ଜାରି କରିବା ସହିତ କାର୍ୟ୍ୟାନୁଷ୍ଠାନର ଚେତାବନୀ ନେଇଛନ୍ତି। ସରକାର ବିରୋଧୀ ଉପରୋକ୍ତ ହାସଟ୍ୟାଗକୁ ଟୁଇଟ୍ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ତୁରନ୍ତ ବ୍ଲକ କରିବା ସହିତ ଏହି ହାସ୍‌ଟ୍ୟାଗ୍‌କୁ ହଟାଇବା ଲାଗି ସରକାର ପୁଣି ଥରେ କହିଛନ୍ତି। ଅନ୍ୟଥା ଟୁଇଟର ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ସରକାର ତାଙ୍କ ନୋଟିସରେ ଲେଖିଛନ୍ତି ସାମାଜିକ ଗଣମାଧ୍ୟମ ଟୁଇଟର ହେଉଛି ଯୋଗାଯୋଗର ଏକ ମାଧ୍ୟମ। ତେଣୁ ଏହା ସରକାରଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ପୂର୍ବକ ନିର୍ଦେଶ ପାଳନ କରିବାକୁ ବାଧ୍ୟ। ଯଦି ଏହାକୁ ଅବମାନନା କରାଯାଏ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବା ନିଶ୍ଚିତ। ଉତ୍ତେଜନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯେଉଁ ହାସ୍‌ଟ୍ୟାଗ ପୋଷ୍ଟ କରାଯାଇଛି ତାହା ସମାଜରେ ଉତ୍ତେଜନା ସୃଷ୍ଟି କରିବା ସହିତ ଘୃଣା, ବିଭାଜନ ସୃଷ୍ଟି କରିବ। ଗଣହତ୍ୟାକୁ ଉସୁକାଇବା ସ୍ବାଧୀନ ମତବ୍ୟକ୍ତର ଅଧିକାର ନୁହେଁ। ଏହା ଦେଶର ଆଇନଶୃଙ୍ଖଳାକୁ ଧମକ ଦେବା ସଦୃଶ। ନୋଟିସରେ ସୁପ୍ରିମକୋର୍ଟଙ୍କ କେତେକ ରାୟକୁ ଉଲ୍ଲେଖ କରାଯାଇଛି। ଏହିସବୁ ରାୟରେ ଆଇନଶୃଙ୍ଖଳା କ’ଣ? ଏହାକୁ ରକ୍ଷା କରିବା ଲାଗି ସରକାରଙ୍କ କ’ଣ କ୍ଷମତା ରହିଛି ତାହା ଉଲ୍ଲେଖ କରାଯାଇଛି।

ସାଧାରଣତନ୍ତ୍ର ଦିବସରେ କୃଷକମାନେ ଦିଲ୍ଲୀରେ ଟ୍ରାକ୍ଟର ଶୋଭାଯାତ୍ରା କରିଥିବାବେଳେ ଏହି ସମୟରେ ହିଂସାକାଣ୍ଡ ଘଟିଥିଲା। ଏହି ହିଂସାକୁ ନେଇ ଟ୍ବିଟରରେ ସରକାର ବିରୋଧୀ ହାସଟ୍ୟାଗ ‘ମୋଦୀ ସରକାର କୃଷକ ଗଣହତ୍ୟାର ଯୋଜନା କରିଛନ୍ତି’ ପୋଷ୍ଟ କରାଯାଇଛି। ଜାନୁଆରୀ ୩୦ ତାରିଖରେ ପ୍ରାୟ ୧୦୦ଟି ଟ୍ବିଟର ଆକାଉଣ୍ଟରେ ଉପରୋକ୍ତ ହାସଟ୍ୟାଟ୍‌ ୨୫୦ଥର ଟୁଇଟ୍‌ କରାଯାଇଥିଲା। ଏହି ଟୁଇଟ୍‌ ପରେ ସୋମବାର (ଫେବୃଆରୀ ୧)ରେ ଆଇଟି ମନ୍ତ୍ରଣାଳୟ ଉପରୋକ୍ତ ଟୁଇଟର ଆକାଉଣ୍ଟକୁ ବ୍ଲକ କରିବା ସହିତ ହାସଟ୍ୟାଗକୁ ହଟାଇବା ଲାଗି ନିର୍ଦେଶ ଦେଇଥିଲା। ସୂଚନାପ୍ରଯୁକ୍ତି ଆଇନର ଧାରା ୬୯କ ଅନୁଯାୟୀ ସରକାର ଏହି ନିର୍ଦେଶ ଦେଇଥିଲେ। ଏହି ଧାରା ଅନୁଯାୟୀ ସରକାର ବ୍ୟକ୍ତିବିଶେଷଙ୍କ ଇଣ୍ଟରନେଟ୍‌ ଆକସେସ୍‌କୁ ବ୍ଲକ କରିବା ଲାଗି କ୍ଷମତାପ୍ରାପ୍ତ। ଦେଶର ସାର୍ବଭୌମତ୍ବ, ଅଖଣ୍ଡତା, ଆଭ୍ୟନ୍ତରୀଣ ସୁରକ୍ଷା, ଅନ୍ୟରାଷ୍ଟ୍ର ସହିତ ବନ୍ଧୁତ୍ବ ବଜାୟ ରଖିବା ଓ ଆଇନଶୃଙ୍ଖଳା ରକ୍ଷା କରିବା ଲାଗି ସରକାର ବ୍ୟକ୍ତିବିଶେଷଙ୍କ ଇଣ୍ଟରନେଟ ଆକ୍‌ସେସ୍‌କୁ ବ୍ଲକ କରିପାରିବେ। ଅନେକ ଦେଶ ଟୁଇଟ୍‌ ଓ ଟୁଇଟର ଆକାଉଣ୍ଟକୁ ନେଇ ଆଇନ ପ୍ରଣୟନ କରିଛନ୍ତି।

ବଲିଉଡର ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ରିହାନାଙ୍କୁ ବିରୋଧ କରିଛନ୍ତି। ରିହାନାଙ୍କୁ କଙ୍ଗନା ‘ବୋକା’ ବୋଲି ସମ୍ବୋଧନ କରିଛନ୍ତି। ଭାରତକୁ ବିଭାଜନ କରିବା ଲାଗି ରିହାନା ଉଦ୍ୟମ କରୁଛନ୍ତି। ବଲିଉଡ୍‌ କଳାକାର ଅକ୍ଷୟ କୁମାର, ଅଜୟ ଦେବଗନ, ସୁନୀଲ ସେଟ୍ଟି, କରନ ଜୋହର ଓ ଏକତା କପୁର ପ୍ରମୁଖ ଭାରତ ବିରୋଧୀ ଷଡଯନ୍ତ୍ରକୁ ନିନ୍ଦା କରିବା ସହିତ ଭାରତର ଏକତା ପାଇଁ ନିବେଦନ କରିଛନ୍ତି। ବଲିଉଡର ଏହି କଳାକାରମାନେ କୃଷକଙ୍କ ସମସ୍ୟାକୁ ଆପେଷ ସମାଧାନ ନେଇ ନିବେଦନ କରିଛନ୍ତି।

Comments are closed.