ଫସଲ କ୍ଷତି ସହି ନପାରି ହୃଦଘାତରେ ଚାଷୀର ମୃତ୍ୟୁ

ଚିକିଟି: ପାତ୍ରପୁର ପରେ ଚିକିଟିରେ ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି । ଘଟଣା ଘଟିଛି ଗଞ୍ଜାମ ଜିଲା ଚିକିଟି ତହସିଲ କୋଟଲିଙ୍ଗି ରାଜସ୍ୱ ସର୍କଲ ପାରାସମ୍ବା ଗ୍ରାମରେ । ଫସଲ କ୍ଷତି ଦେଖି ସହି ପାରିଲେନି ବୃଦ୍ଧ ଚାଷୀ ଅଭିମନ୍ୟୁ ପ୍ରଧାନ । ହୃଦଘାତରେ ତାଙ୍କର ପରଲୋକ ଘଟିଛି ।
ଗତକାଲି ଅପରାହ୍ନରେ ଚାଷୀ ଅଭିମନ୍ୟୁ ଜମିକୁ ବୁଲିବାକୁ ଯାଇଥିଲେ । ଜମିରେ ସବୁ ଧାନ ପଡିଯାଇଥିବାରୁ ସେ ଧୈର୍ଯ୍ୟ ଧରି ରହିପାରି ନଥିଲେ । ସେ ସେହି ଜମିରେ ହିଁ ମୂର୍ଚ୍ଛା ହୋଇଯାଇଥିଲେ । କିଛି ଦେଖଣାହାରୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରିଛନ୍ତି । ଫସଲ କ୍ଷତିଯୋଗୁଁ ଚାଷୀ ମୃତ୍ୟୁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଈ ଦେଇଛି ।

Comments are closed.