ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ, ସୁରକ୍ଷା ଓ ସମ୍ମାନ ଦେବାରେ ସରକାର ବିଫଳ : କଂଗ୍ରେସ

0

ଭୁବନେଶ୍ୱର : ଚାଷୀମାନଙ୍କୁ ଧାନର ଉପଯୁକ୍ତ ମୂଲ୍ୟ ଏବଂ ଚାଷୀଙ୍କୁ ସମ୍ମାନ ଓ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି ଚାଷୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ କଂଗ୍ରେସ ଆବଶ୍ୟକ ହେଲେ ଆନ୍ଦୋଳନ କରିବ। ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ସରକାର ବିଫଳ ହୋଇଥିବା ବେଳେ ବର୍ତ୍ତମାନ ମଣ୍ଡିରେ ପ୍ରଦାନ କରାଯାଉଥିବା ମୂଲ୍ୟ ହିଁ ନିରୂପଣ କରୁଛି। ବର୍ତ୍ତମାନ ସୁଦ୍ଧା ସବୁ ଜାଗାରେ ମଣ୍ଡି ଖୋଲାଯାଇ ନଥିବାରୁ ଚାଷୀ ବାଧ୍ୟ ହୋଇ ଅଭାବୀ ବିକ୍ରିକୁ ସାମ୍ନା କରୁଛି। ଶାଗମାଛ ଦରରେ ଚାଷୀ ଦଲାଲଙ୍କୁ ଧାନ ବିକ୍ରି କରୁଛି ା ସରକାର ମିଲରଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସ୍ଥିରୀକୃତ ସହାୟକ ମୂଲ୍ୟ ୧୭୫୦ ଟଙ୍କା ଠାରୁ ୩୦୦ ଟଙ୍କା କମ୍‍ ମୂଲ୍ୟରେ ଧାନ ବିକ୍ରିକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। କେନ୍ଦ୍ର ସରକାର ସ୍ୱାମୀନାଥନ୍‍ କମିଟି ରିପୋର୍ଟକୁ ଅଣଦେଖା କରି ଧାନର ସହାୟକ ମୂଲ୍ୟ ଦେଢଗୁଣା ବୃଦ୍ଧି କରିବାରେ ବିଫଳ ହୋଇଛି l ବର୍ତ୍ତମାନ ହୋଇଥିବା ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଯାହାକୁ ନେଇ ଓଡିଶାର ଚାଷୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି। ତିତଲି ବାତ୍ୟା ସମୟରେ ହୋଇଥିବା ‘ଫସଲ କ୍ଷୟକ୍ଷତିର ଭରଣା ହେଉ ଅବା ଚାଷୀକୁଳକୁ ସର୍ବସ୍ୱାନ୍ତ କରୁଥିବା ଚକଡା ପୋକର ନିଦାନ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପାଇଲେ ନାହିଁ। ପ୍ରାଇସ୍‍, ପ୍ରେଷ୍ଟିଜ୍‍ ଏବଂ ପେନ୍‍ସନ୍‍ ଦାବି ନେଇ କୃଷକମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ସମ୍ବେଦନହୀନ ରାଜ୍ୟ ସରକାର ଟର୍ମ ଅଫ ରେଫରେନସ୍‍ ଆଳରେ ଚୁପ୍‍ ବସିଛନ୍ତି। ବିଧାନସଭାରେ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନାକୁ ଡରି ସରକାର ଧାର୍ଯ୍ୟ ସମୟର ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିଦିଷ୍ଟ ସମୟ ପାଇଁ ବିଧାନସଭାକୁ ବନ୍ଦ କରିବା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ବାହିନୀପତି ଅଭିଯୋଗ କରିଛନ୍ତି ା ଚାଷୀଙ୍କ ସମସ୍ୟା ନେଇ ତୁରନ୍ତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥୀ, ହିମାଂଶୁ ଲେଙ୍କା, ରଜନୀ କୁମାର ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply