ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଯହ୍ନାପଡ଼ା ନୋଡାଲ ହାଇସ୍କୁଲର ବରିଷ୍ଠ ପ୍ରଧାନ ଶିକ୍ଷକ ଶିବାଜୀ ବିଶି ଚାକିରିରୁ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟରେ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା। ଶ୍ରୀ ବିଶି ପ୍ରଥମେ ୧୯୮୧ ମସିହାରେ ଏହି ଶିକ୍ଷକତା ବୃତ୍ତିକୁ ଆପଣେଇ ନେଇ ସହକାରୀ ଶିକ୍ଷକ ଭାବେ ଯହ୍ନାପଡ଼ା ହାଇସ୍କୁଲରେ ନିଯୁକ୍ତି ପାଇ ଦୀର୍ଘ ୨୦୧୪ ମସିହା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇ ଥିଲେ। ଏହାପରେ ଜୁନ ୨୦୧୪ ମସିହାରୁ ମଇ ୨୦୧୫ ପର୍ୟ୍ୟନ୍ତ ସୋନପୁର ଜିଲ୍ଲା ଚେରୁପାଲି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ହୋଇ ଦାୟିତ୍ଵ ତୁଲାଇଥିଲେ। ପୁଣି ୨୦୧୫ ମଇରୁ ୨୦୧୯ ମସିହା ଡିସେମ୍ବର ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲା କୁମ୍ଭାରି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ରହି ଜାନୁଆରୀ ୨୦୧୯ ମସିହାରୁ ପୁଣି ଯାହ୍ନାପଡ଼ାକୁ ଫେରିଆସି ପ୍ରଧାନ ଶିକ୍ଷକ ଦାୟିତ୍ଵରେ ଥାଇ ଅବସର ଗ୍ରହଣ କରିଛନ୍ତି। ସେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସ୍ୱର୍ଣଲକ୍ଷ୍ମି ହୋତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରି କର୍ମକ୍ଷେତ୍ରରୁ ଅବସର ନେଇଛନ୍ତି।

ସେହିପରି ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ୧୯୮୯ମସିହାରୁ ଆଜି ପର୍ଯ୍ୟନ୍ତ ସହକାରୀ ଶିକ୍ଷୟିତ୍ରୀ ଭାବରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଶ୍ରୀମତୀ କିଆରାଣୀ ହୁଇ ଅବସର ଗ୍ରହଣ କରିଛନ୍ତି। ୨୦୦୫ ରୁ ୨୦୦୬ ମସିହା ମାତ୍ର ଗୋଟିଏ ବର୍ଷ ପାଇଁ ସେ ବରଗଡ଼ ଜର୍ଜ୍ ହାଇସ୍କୁଲକୁ ସ୍ଥାନାନ୍ତରିତ ହୋଇ ଯାଇଥିଲେ। ତାଙ୍କର ଚାକିରି ଜୀବନର ସମସ୍ତ ସମୟ ଏହି ବିଦ୍ୟାଳୟରେ ହିଁ ବିତାଇଛନ୍ତି। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।

Comments are closed.