ଜନତାଙ୍କ ସ୍ନେହ ଏବଂ ଭଲ ପାଇବା ପ୍ରଶାସନକୁ ଆଣି ଦେଇଥିଲା ସଫଳତା

ଜିଲାପାଳ ସଂଗ୍ରାମ ମହାପାତ୍ରଙ୍କୁ ପ୍ରଶାସନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା

ଜଗତସିଂହପୁର: ଜଗତସିଂହପୁର ଜିଲାପ୍ରଶାସନକୁ ଅଧିକ ଚଳଚଞ୍ଚଳ କରିବା ଓ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଭୂମିକା ଅନନ୍ୟ। ତାଙ୍କରି ଉଦ୍ୟମରେ ଜିଲ୍ଲାରେ ଇ-ପ୍ରଶାସନ ବ୍ୟବସ୍ଥା ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି। ଜିଲ୍ଲାକୁ ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନିତ କରିବାରେ ଶ୍ରୀ ମହାପାତ୍ରଙ୍କ ଭୂମିକାକୁ ଜିଲ୍ଲାବାସୀ ସବୁବେଳେ ମନେରଖିବେ ବୋଲି ଜିଲ୍ଲାର ପ୍ରମୁଖ ଅଧିକାରୀ ମାନେ କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ମହାପାତ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଅବସରରେ ଏହି ମତପ୍ରକାଶ ପାଇଛି।
ଗତକାଲି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କର ବଦଳି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାତିରେ ବଦଳି ବିଜ୍ଞପ୍ତି ପ୍ରକାଶ ପାଇବାପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ମହାପାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ବିଦାୟ କାଳୀନ ସଭାରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଅଧ୍ୟକ୍ଷତା କରିଥିଲେ। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକ ଅଖିଳେଶ୍ୱର ସିଂ, ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ଡଃ.କାହ୍ନୁ ଚରଣ ଧୀର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଧେଶକ ସରୋଜକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳରେ ଜିଲ୍ଲା ପ୍ରଶାସନ ବେଶ୍‍ ଚଳଚଞ୍ଚଳ ହୋଇଥିଲା ବୋଲି କହିଥିଲେ। ପୂର୍ବରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପୁରୁଣା ଢାଞ୍ଚାରୁ ବାହାରି ଇ-ପ୍ରଶାସନ ଲାଗୁ କରିବାକୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ପ୍ରଥମରୁ ପଣ କରିଥିଲେ। ଜିଲ୍ଲାକୁ ପୂର୍ବରୁ ସରକାର ଯୋଗାଇ ଦେଇଥିବା କମ୍ପୁଟର ଯନ୍ତ୍ରାଂଶ ଗୁଡିକୁ କାମରେ ଲଗାଇ ସେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଥିଲେ। ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ଜିଲ୍ଲାରେ ସଫଳତାର ସହ ଏହି ବ୍ୟବସ୍ଥା ଏବେ କାର୍ଯ୍ୟକାରୀ କରାଯାଇଛି। ଯାହା ଫଳରେ କୋଭିଡ ବେଳେ ଜିଲ୍ଲା ପ୍ରଶାସନର କାମରେ ବାଧା ଉପୁଜୁନାହିଁ। ଏହି ବ୍ୟବସ୍ଥା ଦ୍ୱାରା ପ୍ରଶାସନରେ ସ୍ୱଚ୍ଛ୍ୱତା ଆସିପାରିଛି। ଲୋକେ ହାତପାହାନ୍ତାରେ ପ୍ରଶାସନିକ ସୁବିଧା ପାଉଛନ୍ତି। ଡିଜିଟାଲ ମାଧ୍ୟମରେ ଅଭିଯୋଗ ଶୁଣାଣି ହେବାଦ୍ୱାରା ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ହୋଇପାରୁଛି। ଏହାବାଦ୍‍ କୋଭିଡ ମହାମାରୀର ସଫଳ ପରିଚାଳନା ପାଇଁ ସ୍କଚ୍‍ ସମ୍ମାନ ପାଇବାରେ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ଅଗ୍ରଣୀ। ଆର୍ନ୍ତଜାତୀୟ ସ୍ତରରେ ୟୁନେସ୍କା ସମ୍ମାନସହ ଜିଲ୍ଲାକୁ ବହୁ ସଫଳତା ଆଣି ଦେବାରେ ଶ୍ରୀ ମହାପାତ୍ରଙ୍କ ଭୂମିକା ଅଭୁଲା। କର୍ମଚାରୀ ମାନଙ୍କୁ ଆପଣାର କରାଇ କାମ କରାଇବାରେ ମାହିର ଶ୍ରୀ ମହାପାତ୍ର କେବଳ ଜଣେ ଦକ୍ଷ ସରକାରୀ ଅଧିକାରୀ ନୁହଁନ୍ତି, ଏକାଧାରାରେ ସେ ଜଣେ ସଫଳ ଲେଖକ,ସଫଳ ଗାୟକ ଓ ଜଣେ ସୁବକ୍ତା ଭାବେ ବେଶ୍‍ ପରିଚିତ। ଦୁଇ ଦୁଇଥର ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇ ଜିଲ୍ଲାବାସୀଙ୍କର ପ୍ରଶଂସାର ପାତ୍ର ହୋଇଥିବା ଶ୍ରୀ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଶ୍ଚୟ ସଫଳ ହେବେ ବୋଲି ପ୍ରଶାସନିକ ଅଧିକାରୀ ମାନେ କହିଥିଲେ।

ବିଦାୟ ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମହାପାତ୍ର କହିଲେ, ଏ ଜିଲ୍ଲା ହେଉଛି ମୋର ଜନ୍ମଭୂମି। ଜିଲ୍ଲାର ବିକାଶ ପାଇଁ ମୁଁ ଉଦ୍ୟମ କରିବା ସ୍ୱାଭାବିକ କଥା। ହେଲେ ଜିଲ୍ଲା ପ୍ରଶାସନ ସହ ଜଡିତ ସମସ୍ତ କର୍ମଚାରୀ, ଜନ ପ୍ରତିନିଧି ଓ ସାଧାରଣ ଜନତାଙ୍କ ସ୍ନେହ ଏବଂ ଭଲ ପାଇବା ପ୍ରଶାସନକୁ ସଫଳତା ଆଣି ଦେଇଥିଲା। ମୋତେ ସହଯୋଗ କରିଥିବା ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଜିଲ୍ଲାରେ କୋଭିଡ ସତ୍ତେ୍ୱ ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଜଗତସିଂହପୁର ଡାକ୍ତରଖାନାର ଉନ୍ନତି, ଜାତୀୟ ରାଜପଥ କାର୍ଯ୍ୟପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା, ଜଗତସିଂହପୁର ଓ ପାରାଦ୍ୱୀପ ସହରର ବିକାଶ, ପାରାଦ୍ୱୀପରେ ଟ୍ରକ ଟର୍ମିନାଲ, ଛପଡା ରେଳବାଇ ଉପର ସେତୁ, ମା’ସାରଳାଙ୍କ ମନ୍ଦିରର ବିକାଶ ସହ ଜିଲ୍ଲାର ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ କାର୍ଯ୍ୟ ଚାଲିଛି। ଏହିସବୁ ପ୍ରକଳ୍ପ କାମ ତ୍ୱରାନ୍ୱିତ ହେଲେ ଜିଲ୍ଲାବାସୀ ଅଧିକ ସୁବିଧା ଓ ସୁଯୋଗ ପାଇବେ। ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟକରି ଜିଲ୍ଲାବାସୀଙ୍କ ପକ୍ଷରୁ ପାଇଥିବା ସ୍ନେହ ଓ ଭଲପାଇବା ପାଇଁ ମୁଁ ସବୁବେଳେ ଋଣୀ ହୋଇରହିବି। ଏ ଜିଲ୍ଲା ମୋର ଓ ଜିଲ୍ଲାର ବିକାଶ ପାଇଁ ମୁଁ ଯେଉଁଠାରେ ଥିଲେ ବି କାମ କରିବି। ମୋ ଜୀବନ ଜିଲ୍ଲାବାସୀଙ୍କ ପାଇଁ ସମର୍ପିତ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆବେଗଭରା କଣ୍ଠରେ କହିଥିଲେ।

Comments are closed.