ପ୍ରଧାନ ବିଚାରପତି ବୋବଡେଙ୍କ ବିଦାୟ, ଆଜି ଦାୟିତ୍ବ ନେବେ ରମନା

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଭାବେ ଶରଦ୍ ଅରବିନ୍ଦ (ଏସ୍.ଏ) ବୋବଡେଙ୍କର କାର୍ଯ୍ୟକାଳ ଶୁକ୍ରବାର ଶେଷ ହୋଇଛି। ଆଜି ନୂତନ ପ୍ରଧାନ ବିଚାରପତି ଭାବେ ଏନ. ଭି ରମନା ଦାୟିତ୍ବ ଗ୍ରହଣ କରିବେ। ସେ ଦେଶର ୪୮ତମ ପ୍ରଧାନ ବିଚାରପତି ହେବେ। ସର୍ବୋଚ୍ଚ ନ୍ୟାୟାଳୟ ଓକିଲ ସଙ୍ଘ ପକ୍ଷରୁ ବିଦାୟୀ ପ୍ରଧାନ ବିଚାରପତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବୋବ୍ଡ଼େ ଦେଶର ୪୭ତମ ପ୍ରଧାନ ବିଚାରପତି ଥିଲେ। ସେ ଏହି ପଦରେ ୨୦୧୯ ନଭେମ୍ବର ୧୪ରେ ଅବସ୍ଥାପିତ ହୋଇଥିଲେ। ପ୍ରାୟ ୧୪ ମାସର କାର୍ଯ୍ୟକାଳ ମଧ୍ୟରେ ସେ ମାତ୍ର ୯୦ ଦିନ ଅଦାଲତରେ ପ୍ରତ୍ୟକ୍ଷ ଶୁଣାଣି କରିପାରିଥିଲେ। କରୋନା କଟକଣା ଯୋଗୁଁ ତାଙ୍କ କାର୍ଯ୍ୟକାଳର ଅଧିକତର ଶୁଣାଣି ଆଭାସି ଥିଲା।

ବୋବଡେ ୨୦୧୩ ଏପ୍ରିଲ ୧୨ରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ଭାବେ ଯୋଗ ଦେଇ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ ମଧ୍ୟ କେତେକ ପ୍ରସଙ୍ଗକୁ ନେଇ ବିବାଦୀୟ ହୋଇପଡ଼ିଥିଲେ। ବୋବଡେ ତାଙ୍କ ବିଦାୟୀ ଭାଷଣରେ ସର୍ବୋଚ୍ଚ ନ୍ୟାୟାଳୟରୁ ପ୍ରସନ୍ନତା, ସଦ୍ଭାବ ଓ ଅନେକ ଭଲ ସ୍ମୃତି ସାଙ୍ଗରେ ନେଇ ବିଦାୟ ନେଉଛନ୍ତି ବୋଲି କହିଛନ୍ତି। ଦେଶର ପ୍ରଧାନ ବିଚାରପତି ଭାବେ ସେ ତାଙ୍କର ସର୍ବୋତ୍ତମ କାର୍ଯ୍ୟ କରିପାରିଥିବାରୁ ଆତ୍ମସନ୍ତୋଷ ବ୍ୟକ୍ତ କରିଛନ୍ତି। ବୋବଡେ କରୋନା ସଙ୍କଟ ସମୟରେ ଆଭାସି ମାଧ୍ୟମରେ ମାମଲା ପରିଚାଳନା କରିଥିଲେ। ବିଦାୟୀ ଭାଷଣରେ ଏହି ଦିନଗୁଡ଼ିକର ଅନୁଭୂତି ସେ ବର୍ଣ୍ଣନା କରି ଏହା ତାଙ୍କ ଜୀବନରେ ସମ୍ପୂର୍ଣ୍ଣ ଅଭିନବ ବୋଲି କହିଥିଲେ।

Comments are closed.