ଭୁବନେଶ୍ବରରେ ଫୁଟ୍‌ବଲ ରେଫେରୀ ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ ଓ ଫୁଟ୍‌ବଲ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ) ଆନକୂଲ୍ୟରେ ଶନିବାରଠାରୁ କାଟେଗୋରୀ-୫ ଫୁଟ୍‌ବଲ ରେଫେରୀ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଏହା ରାଜଧାନୀର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଛି। ଏଥିରେ ପ୍ରଥମ ପର୍ୟ୍ୟାୟରେ ବିଭିନ୍ନ ଜିଲାରୁ ୧୮ଜଣ ପୁରୁଷ ଓ ୧୨ଜଣ ମହିଳାଙ୍କ ସମେତ ୩୦ ଜଣ ଫୁଟ୍‌ବଲ ରେଫେରୀ ଭାଗ ନେଇଛନ୍ତି। ଏଥିରେ ପ୍ରତି ଜିଲାରୁ ଦୁଇଜଣ ପୁରୁଷ ଓ ଜଣେ ମହିଳାଙ୍କ ସମେତ ମୋଟ ୯୦ଜଣ ରେଫରୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ। ୩ଟି ପର୍ୟ୍ୟାୟରେ ରେଫରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରତି ପର୍ୟ୍ୟାୟରେ ୫ ଦିନ ତାଲିମ ଶିବିର ଆୟୋଜିତ ହେବ। ଏଆଇଏଫ୍‌ଏଫ୍‌ର ପ୍ରଶିକ୍ଷକ ଭାବେ ଜି. ମୂର୍ତ୍ତି, ପିଜୁସ୍‌ ବିଶ୍ବାସ ଓ ଓଡ଼ିଶାର ସୁଶାନ୍ତ ଚନ୍ଦ୍ର ମହାନ୍ତି ରହିଛନ୍ତି। ସ୍ବତନ୍ତ୍ର ତାଲିମ ପରେ ରେଫରୀମାନଙ୍କ କ୍ୟାଟ୍‌-୫ ପରୀକ୍ଷା ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ବିଶାଳ ଦେବ, ଫାଓର ଯୁଗ୍ମ ସମ୍ପାଦକ ଅଭିଜିତ୍‌ ପାଲ୍‌ ପ୍ରମୁଖ ଯୋଗ ଦେଇଥିଲେ।

 

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ରେଫେରୀ ପ୍ରଶିକ୍ଷଣ କାର୍ୟ୍ୟକ୍ରମକୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରଶଂସା କରିବା ସହିତ ଏଭଳି ପଦକ୍ଷେପ ରାଜ୍ୟରେ ଦକ୍ଷ ରେଫରୀ ସୃଷ୍ଟିରେ ସହାୟକ ହେବ ବୋଲି କହିଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା ରାଜ୍ୟରେ ଫୁଟବଲ ରେଫରୀଙ୍କ ଦକ୍ଷତା ବୃଦ୍ଧି ନେଇ ଏଭଳି କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ବୋଲି ମତ ଦେଇଛନ୍ତି। ଶିବିର ୩୦ ପର୍ୟ୍ୟନ୍ତ ଚାଲିବ।

 

Comments are closed.