ପୁରୀ ଚନ୍ଦ୍ରଭାଗା ନିକଟସ୍ଥ ତନ୍ଦାହାର’ ନିକଟରେ ସ୍ଥଳ ଭାଗ ଅତିକ୍ରମ କରିପାରେ ବାତ୍ୟା ଫନି

ଭୁବନେଶ୍ୱର .- ପୁରୀ  ଜିଲ୍ଲା କୋଣାର୍କ ଚନ୍ଦ୍ରଭାଗା ନିକଟସ୍ଥ ତନ୍ଦାହାର ଗ୍ରାମ ନିକଟରେ ଅତି ଭୀଷଣ ସାମୁଦ୍ରିକ ଝଡ ଫୋନୀ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି  ଆମେରିକାର ଜଏଣ୍ଟ ଟାଇଫୁନ୍‌ ଓ୍ୱାର୍ଣିଂ ସେଣ୍ଟର ବା ଜେଟିଡବ୍ଲୁସି ପକ୍ଷରୁ ସୂଚନା ଜାରି କରାଯାଇଛି ।

ବୁଧବାର ରାତି ୯ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ ଫନି ପୁରୀଠାରୁ  ୫୭୦ କିଲୋମିଟର ଦୂରରେ ଥିଲା । ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଆଗକୁ ବଢୁଛି। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା  ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାପରେ ଏହା ପୂର୍ବ ଓ ଉତ୍ତରପୂର୍ବ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି । ମେ ତିନି ତାରିଖ ଶୁକ୍ରବାର ଅପରାହ୍ନ ସମୟରେ ଏହା ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ନିକଟସ୍ଥ ତନ୍ଦାହାର ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି ।

ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ରହିବ ବୋଲି ଆଶଙ୍କା କରାଯ।ଉଛି ।   ବେଳେ ବେଳେ ଏହା ଘଣ୍ଟାପ୍ରତି ୨୦୦ କିଲୋମିଟରରେ ପହଞ୍ଚି ପାରେ । ଫନି’ ପୁରୀ, ଜଗତସିଂପୁର, ଭଦ୍ରକ, ବାଲେଶ୍ୱର ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିବ । ଧୀରେ ଧୀରେ ଏହାର ପ୍ରକୋପ କମିବା ସହ ଏହା ଡିପ୍ରେସନରେ ପରିଣତ ହେବ । ଫନି ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ ।

Comments are closed.