ଫନି ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ(ବାତ୍ୟା) ଫନି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମୋଟ୍‌ ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରାଯାଇଛି ।
ଫନିରେ ମରିଥିବା ଗାଈ ଓ ମଇଁଷି ପାଇଁ ୩୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଛେଳି ପାଇଁ ୩ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଗୁହାଳ ମରାମତି ଓ ନିର୍ମାଣ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦, ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ପନି ପରିବା ଚାଷୀଙ୍କୁ ଏକ ଲକ୍ଷ ମିନି କିଟ୍‌ ଯୋଗାଇ ଦିଆଯାଇବ ।

ପାନ ଚାଷୀଙ୍କୁ ୧୫ ହଜାରଟଙ୍କା ,ଛତୁଚାଷୀଙ୍କୁ ୪୦ ହଜାର ଟଙ୍କା କଦଳୀ ଚାଷୀଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ମତ୍ସଜୀବୀଙ୍କୁ ଦରକାର ହେଲେ ନୂଆ ଡଙ୍ଗା ପାଇଁ ୪୦ ହଜାରଟଙ୍କା ଓ ନୂଆ ଜାଲ କିଣିବା ପାଇଁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ।

ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାଙ୍କୁ ୧୦ ହଜାର ଟଙ୍କା (ଅତିରିକ୍ତ) , ଗୋଷ୍ଠୀଗତ ଅର୍ଥ ଲଗାଣ ପାଇଁ ଏକ ଲକ୍ଷ ଟଙ୍କା ଓ ଶୁଖିଲା ଖାଦ୍ୟ ତିଆରି କରୁଥିବା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ।

ଆସନ୍ତା ରବି ଋତୁ ପାଇଁ ୩୩ ପ୍ରତିଶତ    କିମ୍ବା ଅଧିକ ଫସଲ ନଷ୍ଟ ହୋଇଥିବା ଜମିମାନଙ୍କରୁ ସମ୍ପୂର୍ଣ୍ଣ ଭାବେ ଖଜଣା ଛାଡ କରାଯିବ  ବୋଲି ଘୋଷଣା କରାଯାଇଛି ।

Comments are closed.