‘ଫନି’କୁ ନେଇ ୨୯ଟି ଓସଡାମା ଏବଂ ୬ଟି ରେଡକ୍ରସର କର୍ମଚାରୀ ସଜାଗ

ଧାମରା : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ଥିବା ୨୯ଟି ଓସଡାମା ଏବଂ ୬ଟି ରେଡକ୍ରସର କର୍ମଚାରୀମାନେ ସାମୁଦ୍ରିକ ଝଡ଼ ଫନିକୁ ନେଇ ସଜାଗ ହୋଇ ରହିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ତଥା ଧାମରା ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହାକୁ ଆଖି ଆଗରେ ରଖି ଚାନ୍ଦବାଲି ବ୍ଲକର ଅତିରିକ୍ତ ତହସିଲଦାର ବାଂଶଡା ଥାନା ଅଧିକାରୀ, ଧାମରା ମେରାଇନ ଥାନାଧିକାରୀ ଏବଂ ଧାମରା ଥାନାଧିକାରୀ ବାଂଶଡା, ଧାମରା, ଜାଗୁଳା, କଇଥଖୋଲା, ଦୋସିଙ୍ଗା, କରଞ୍ଜମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରି, ବାଂଶଡା, ଚରଦିଆ, ଜଳେଶ୍ୱରପୁର, ଖଦାଳପୋଖରୀ, ଗୋପିନାଥପୁର, ତୋଟାପଡା, ନଳଗୋହିରା, ନୂଆଗାଁ, ବଜରାପୁର ଏବଂ ଯଶୀପୁର ପଞ୍ଚାୟତରେ ଜନସାଧାରଣଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ସଂପୃକ୍ତ ଥାନାଧିକାରୀ, ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ(ଏନଡିଆରଏଫ୍) ଟିମ୍ ସହାୟତାରେ ଓଡିଶା ଉପକୂଳରେ ବିପର୍ଯ୍ୟୟ ଘଟାଇବାକୁ ଆସୁଥିବା ସାମୁଦ୍ରିକ ଝଡ ଫନିର ମୁକାବିଲା କରିବାକୁ ଏବଂ ଏହି ଅଞ୍ଚଳର ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ ଏବଂ ରେଡକ୍ରସ ଗୃହକୁ ଚାଲିଯିବାକୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା। ଏହି ଅଞ୍ଚଳରେ ବଡ ଧରଣର ବିପର୍ଯ୍ୟୟ ଆଶଙ୍କା ରହିଥିବା କଥା ପ୍ରଶାସନ ଜନ ସାଧାରଣଙ୍କୁ ସଚେତନ କରୁଥିବା ଜଣାଯାଇଛି।ଚାନ୍ଦବାଲି ବ୍ଲକରେ ଥିବା ୨୯ଟି ବାତ୍ୟା ଆଶ୍ରୟସ୍ଥଳ ଜନସାଧାରଣଙ୍କ ବାସପୋଯୋଗୀ ହୋଇ ପାରିଛି ବୋଲି ନୋଡାଲ ଏନଜିଓ ଗୋପବନ୍ଧୁ ଯୁବକ ସଂଘର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ମତ ରଖିଥିବା ବେଳେ ଏହି ୨୯ଟି ବାତ୍ୟା ଆଶ୍ରୟସ୍ଥଳ ମଧ୍ୟରୁ ବହୁ ବାତ୍ୟା ଆଶ୍ରୟସ୍ଥଳୀରେ ପାଣି ଯୋଗାଣ ବ୍ୟବସ୍ଥା ଭୁସୁଡି ପଡିଥିବା ଜଣା ପଡ଼ିଛି। ଏଥିସହ ୪ଟି ବାତ୍ୟା ଆଶ୍ରୟସ୍ଥଳରେ ବିଦ୍ୟୁତ ଯୋଗାଣରେ ତ୍ରୁଟି ବିଚ୍ୟୁତ ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। କଇଥଖୋଲା ପଞ୍ଚାୟତରେ ଥିବା କୃଷ୍ଣପ୍ରସାଦ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଜେନେରେଟର ଖରାପ ହୋଇ ପଡିଛି। ଏହି ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ବେଳେ ରାଜ୍ୟ ସରକାର ଏହି ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ରକ୍ଷଣାବେକ୍ଷଣ ଯଥା କବାଟ ଝରକା ଲଗାଇବା, ପିଇବା ପାଣିର ସୁବନ୍ଦୋବସ୍ଥ କରିବା, ବିଦ୍ୟୁତ ବିଭାଗରୁ ଠିକ ଭାବରେ କନେକସନ ନେବା ଏବଂ ଏଠାରେ ଥିବା ଜେନେରେଟର ମରାମତି ଠିକ ଭାବରେ ହୋଇ ପାରି ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାପାଳଙ୍କ ଆଦେଶରେ ଆରଡବ୍ମୁ ଏସ୍ ଏସ୍, ବିଦ୍ୟୁତ ବିଭାଗର ଯନ୍ତ୍ରୀ ମାନେ ଆସି କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଠିକ ସମୟରେ ଏହି ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ପାଣି ଏବଂ ନିରବଛିନ୍ନ ବିଦ୍ୟୁତ ଯୋଗାଣ ଅପହଞ୍ଚ ହୋଇ ପଡିଛି। ଜିଲ୍ଲାପାଳଙ୍କ ଆଦେଶକ୍ରମେ ସମସ୍ତ ବାତ୍ୟା ଆଶ୍ରୟସ୍ଥଳରେ ସୁଖିଲା ଖାଦ୍ୟର ବନ୍ଦୋବସ୍ତ କରାଯାଇଥିବା ବେଳେ ଯଦି ଆଜି ପାଗ ଖରାପ ରହିବା ସହ ସାଧାରଣ ଜନତା ଆସି ଏହି ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେବେ ତାହେଲେ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବନ୍ଦୋବସ୍ତ କରାଯିବ ନଚେତ ଆସନ୍ତା କାଲି ଠାରୁ ଏହି ସମସ୍ତ ବାତ୍ୟା ଆଶ୍ରୟସ୍ଥଳରେ ନିଶ୍ଚିତ ଭାବରେ ରନ୍ଧା ଖାଦ୍ୟ ଉପଲବଦ୍ଧ ହେବ। ସମସ୍ତ ଜନସାଧାରଣଙ୍କୁ ଏହି ବାତ୍ୟା ଆଶ୍ରୟସ୍ଥଳ ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଏହି ୨୯ଟି ବାତ୍ୟା ଆଶ୍ରୟସ୍ଥଳକୁ ଏପର୍ଯ୍ୟନ୍ତ କେହି ଜନସାଧାରଣ ଆସି ଆଶ୍ରୟ ନେଇ ନଥିବା ଜଣା ଯାଇଛି।

Comments are closed.