ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ଆତଙ୍କିତ ନଦୀକୂଳବାସୀ

ଆରଡ଼ି : ସାମୁଦ୍ରିକ ଝଡ଼ ଫନିକୁ ନେଇ ଚାନ୍ଦବାଲ ଧୋୟା ଅଞ୍ଚଳର ନଦୀକୂଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ବିଶେଷକରି ପାଣିପାଗର ସୂଚନା ଅନୁଯାୟୀ ‘ଫନି’ ପ୍ରଭାବରେ ଚାନ୍ଦବାଲିରେ ଘଣ୍ଟା ପ୍ରତି ୧୮୦ ରୁ ୧୯୦କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାହେବ। ତାହାସହ ନିକଟସ୍ଥ ସମୁଦ୍ର ଅଶାନ୍ତ ରହିବା ସହିତ ଦେଢ ମିଟର ଉଚ୍ଚରେ ଜୁଆର ଉଠିବ। ଯାହାର ପ୍ରଭାବ ସିଧାସଳଖ ଧୋୟା ଅଞ୍ଚଳରେ ପକାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କତା କରାଯିବା ସହ ସନ୍ଧ୍ୟା ସୁଦ୍ଧା ନିକଟସ୍ଥ ବାତ୍ୟାଅଶ୍ରୟସ୍ଥଳୀ ଓ ବିଦ୍ୟାଳୟ ଗୃହକୁ ଅତ୍ୟାବଶ୍ୟକିୟ ଜିନିଷପତ୍ର ନେଇ ଆସିବା ପାଇଁ ନିବେଦନ କରଯାଇଛି। ଏହି ଅଞ୍ଚଳରେ ଗୁରୁବାର ସକାଳ ଠାରୁ ତୁହାକୁତୁହା ପବନ ବହିବା ସହ ବର୍ଷା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ପବନ ବେଗ ବଢିବା ସାଙ୍ଗକୁ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବଢିବା ଦ୍ୱାରା ସ୍ଥାନୀୟ ଅଞ୍ଚଳ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏପଟେ ଫନିକୁ ନେଇ କେତେକ ଅଞ୍ଚଳରେ କିଏ ଘରକୁ ସଉଦା ନେବାରେ ବ୍ୟସ୍ତ ରହିଛି ତ ଆଉ କିଏ ନିଜର ଆସବାପତ୍ରକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ତାର ପ୍ରୟାସ ଜାରି ରଖିଛି। ସାମୁଦ୍ରିକ ଝଡ ଫନିକୁ ମୁକାବିଲା କରିବା ନିମନ୍ତେ କିପରି ଭାବେ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି ସେ ସର୍ମ୍ପକରେ ଚାନ୍ଦବାଲି ତହସିଲିଦାରଙ୍କୁ ପଚାରିବାରୁ ତଳିଆ ଅଞ୍ଚଳର ଲୋକମାନଙ୍କ ସହ କଚାଘରେ ବସବାସ କରୁଥିବା ଲୋକମାନଙ୍କୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯିବା ସହିତ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ତାହାସହ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଥିଲେ। ଏପରିକି ଅଧିକ କ୍ଷୟକ୍ଷତି ହେବାର ଯଦି କୈାଣସି ସ୍ଥାନରୁ ସୂଚନା ମିଳେ ତାହାହେଲେ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ତୁରନ୍ତ ସେ ସ୍ଥାନକୁ ପଠାଯିବାର ବ୍ୟବସ୍ଥା ରହିଛି। ଏପଟେ ନଈକୂଳିଆ ଲୋକମାନେ ଗତକାଲି ଠାରୁ ନଦୀବନ୍ଧକୁ ଜଗି ରହିବା ସହ ପିଲାଛୁଆଙ୍କୁ ଧରି ନଦୀବନ୍ଧ ଉପରେ ବସବାସ କରୁଛନ୍ତି। ଏପରି ଦେଖିବାକୁ ମିଳିଛି ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତର ସାଠିବାଙ୍କୁଡା, ବୋଡକ, ମୁଆଁ, ଶିତଳପୁର, ପାଲଟପୁର, ସାନପଙ୍କି, ଦୋହରାପାଟଣା ଆଦି ଗ୍ରମରେ।

Comments are closed.