ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଲେ ‘ଫନି ମୁକାବିଲା ସମୁହ’ ପ୍ରତିନିଧି ଦଳ

ଭୁବନେଶ୍ଵର: ଓଡ଼ିଶାରେ ବାତ୍ୟା ‘ଫନି’ର ତାଣ୍ଡବ ପରେ ରିଲଇଫ ଏବଂ ଥଇଥାନ ପ୍ରକ୍ରିୟାକୁ ତ୍ଵାରାନ୍ବିତ କରିବା ପାଇଁ ‘ଫନି ମୁକାବିଲା ସମୁହ’ ନାମରେ ରାଜ୍ୟର ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀ ଏକାଠି ହୋଇଛନ୍ତି। ସେମାନେ ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିବା ସହ ପ୍ରଭାବିତ ଲୋକମାନଙ୍କୁ କିପରି ତ୍ଵରିତ୍ଵ ରିଲିଫ ପ୍ରଦାନ କରାଯାଇପାରିବ ଏବଂ ଏ ଦିଗରେ ଆଉ କି ପ୍ରକାର ନୀତି ଗ୍ରହଣ କରାଯିବା ଆବଶ୍ୟକ ସେ ସମ୍ପର୍କରେ ପ୍ରତିନିଧି ଦଳ ସୁଚିନ୍ତିତ ପରାମର୍ଶ ଦେଇଛନ୍ତି। ପ୍ରତିନିଧି ଦଳ ପୁରୀ ସଦର, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ଗୋପ, ପିପିଲି, ସତ୍ୟବାଦୀ, ଡେଲାଙ୍ଗ, ନିମାପଡ଼ା, କାକଟପୁର, ଜଟଣୀ ସମେତ କଟକ ଏବଂ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ପ୍ରାଥମିକ ଆକଳନ, ଅନୁଧ୍ୟାନ ଏବଂ ସେଚ୍ଛାକୃତ ଭାବେ ବର୍ଜ୍ୟବସ୍ତୁ ସଫେଇ, ଜଳ ଯୋଗାଣ, ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆଣିବା, ଜଳ, ପରିମଳ ଓ ସ୍ବଚ୍ଛତା ସମ୍ପର୍କରେ ସଚେତନତା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।
ପ୍ରତିନିଧ ଦଳଙ୍କ ଗସ୍ତ ସମୟରେ ଅନୁଧ୍ୟାନ କରିଥିବା ସମସ୍ୟା:-
୧- ଅଧିକାଂଶ ଗ୍ରାମରେ ରନ୍ଧା ଖାଦ୍ୟ ଉପଲବ୍ଧ ହେଉ ନ ଥିଲା। ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଦିଆଯାଉଥିାବ ଶୁଖିଲା ଖାଦ୍ୟ ବି ପର୍ଯ୍ୟାପ୍ତ ନ ଥିଲା। ମେ ୬ ତାରିଖ ଦିନ ସାତପଡ଼ା ଡିଗ୍ରୀ ଓ ଯୁକ୍ତ ୨ କଲେଜରେ ଆଶ୍ରିତମାନଙ୍କୁ ୨୦୦ ଗ୍ରାମ ଲେଖାଏ ଚୂଡ଼ା ଦିଆଯାଇଥିବାବେଳେ ରନ୍ଧାଖାଦ୍ୟ ମିଳି ନ ଥିଲା।
୨- କେବଳ ରାସନ କାର୍ଡ ହିତାଧିକାରୀମାନଙ୍କୁ ତୁରନ୍ତ ରିଲିଫ ସହାୟତା ବାବଦରେ ୨ ହଜାର ଟଙ୍କା ଏବଂ ୫୦ କିଲୋ ଚାଉଳ ଯୋଗାଇ ଦିଆଯାଇଛି। ମାତ୍ର ରାସନ କାର୍ଡ ନ ଥିବା ଅନେକ ପ୍ରଭାବିତ ଲୋକ ଅଛନ୍ତି, ଯେଉଁମାନେ ସହାୟତାରୁ ବଞ୍ଚିତ ଅଛନ୍ତି।
୩- ରିଲିଫ ସାମଗ୍ରୀ ଭିତରେ କିରୋସିନ ବ୍ୟବସ୍ଥା ନ ଥିବାରୁ ଲୋକମାନେ ଲିଟର ପ୍ରତି ୩୫ ଟଙ୍କା ଦରରେ ସୁଲଭ ଯୋଗାଣ କେନ୍ଦ୍ରରୁ କିଣୁଛନ୍ତି, ଯାହା କଳାବଜାର ଦରଠାରୁ ବି ଅଧିକ।
୪- ରିଲିଫ ପରେ ଦ୍ବିତୀୟ ସର୍ବାଧିକ ଆବଶ୍ୟକତା ଥିବା ତାର୍ପୋଲିନ ଜରି ଏ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ପାରିନାହିଁ। ଯେଉଁ କେତେଜଣଙ୍କୁ ମିଳିଳଛି ତାହାର ଆକାର ଅତ୍ୟନ୍ତ ଛୋଟ(୮ଫୁଟ* ୯ଫୁଟ) ରହିଛି।
୫- ଦଳିତମାନେ ବହୁମୁଖୀ ଆଶ୍ରୟସ୍ଥଳୀ, ଜଳ ଉତ୍ସ ଓ ରନ୍ଧା ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି।
୬- ରିଲିଫ ସାମଗ୍ରୀ ପରିବହନ କରୁଥିବା ଲୋକମାନେ ରାସ୍ତାରେ ଲୁଟ୍ର ଶିକାର ହେଉଛନ୍ତି ଏବଂ ରାସ୍ତାରୋକୋ ଆନ୍ଦୋଳନ ପାଇଁ ଠିକ୍ ସ୍ଥାନରେ ପହଞ୍ଚିପାରୁ ନାହାନ୍ତି।
୭- ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ଆଦୌ ହେଉନାହିଁ।
୮- ଗଛ ଓ ପତ୍ର ପଡ଼ିବା ଏବଂ ମୃତ ପକ୍ଷୀ ଓ ମାଛ ଯୋଗୁ ପୋଖରୀ ଏବଂ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକ ପ୍ରଦୂଷିତ ହୋଇଛି।
୯- ପ୍ରଭାବିତ ଗୋଷ୍ଠୀ ତଥା ଲୋକମାନଙ୍କ ପାଖରୁ ଏନଡିଆରଏଫ କର୍ମଚାରୀମାନଙ୍କୁ ସହଯୋଗ ମିଳୁନାହିଁ।
୧୦- ଅଧିକାଂଶ ରବି ଧାନ ନଷ୍ଟ ହୋଇଯାଇଛି ଓ ଏହାର ଗୁଣାତ୍ମକ ମାନରେ ହ୍ରାସ ଘଟିଛି ଏବଂ ଅଭାବୀ ବିକ୍ରିର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି।
୧୧- ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ଖାଦ୍ୟାଭାବ ଦେଖାଦେଇଛି।
୧୨- ବାତ୍ୟା ସହାୟତାରୁ ବଞ୍ଚିତ ହେବା ଭୟରେ ଲୋକମାନେ ବର୍ଜ୍ୟବସ୍ତୁ ସଫା କରୁନାହାନ୍ତି। ଅନ୍ୟ ବ୍ଲକକୁ କ୍ଷୟକ୍ଷତି ଆକଳନ ପାଇଁ ନ ଯିବା ଦାବିରେ ନିମାପଡ଼ା ବ୍ଲକର ରାଜସ୍ବ ନିରୀକ୍ଷକମାନେ କାର୍ଯ୍ୟବନ୍ଦ ଡାକରା ଦେଇଥିବାରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ମନ୍ଥର ପଡ଼ିଯାଇଛି।
୧୩- ଅନ୍ୟ ଜିଲା ଏବଂ ରାଜ୍ୟରୁ ଆସିଥିବା ଲୋକମାନେ ରିଲଇଫ ପାଇବାରୁ ବଞ୍ଚିତ ହେଉଛନ୍ତି।
୧୪- ଏମିତି ଏକ ବିପର୍ଯ୍ୟୟ ପରେ ବି ଭୁବନେଶ୍ଵରରୁ ପୁରୀ ମଧ୍ୟରେ ଟୋଲ ଟିକସ ନିଆଯାଉଛି।
ତ୍ଵରିତ ରିଲିଫ ସମ୍ପର୍କରେ ପ୍ରତିନିଧି ଦଳର ସୁପାରିସ:-
୧- ଶିଶୁ ଖାଦ୍ୟ ସମେତ ଏନଡିଆରଏଫ/ଏସଡିଆରଏଫ ନିୟମାନୁସାରେ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଣ।
୨- ଗୋଷ୍ଠୀ ରୋଷଶାଳ ଓ ରନ୍ଧା ଖାଦ୍ୟର ସୁନିଶ୍ଚିତ କରିବା।
୩- ରିଲିଫ ସାମଗ୍ରୀରେ ଏକ ଲିଟର କିରୋସିନ ମାଗଣା ଯୋଗାଣ ବ୍ୟବସ୍ଥା।
୪- ଏନଡିଆରଏଫର ନିୟମାନୁସାରେ ଗୃହପାଳିତ ପଶୁ ଖାଦ୍ୟ ଯୋଗାଣ।
୫- ମଣିଷ, ଗୃହପାଳିତ ପଶୁ ଓ ଖାଦ୍ୟଶସ୍ୟର ସୁରକ୍ଷା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଏବଂ ମଶାରୀ ଯୋଗାଣ। ଆଗାମୀ ମୌସୁମୀକୁ ନଜରରେ ରଖି ପ୍ରତ୍ୟେକ ପ୍ରଭାବିତ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ତାର୍ପୋଲିନ ଯୋଗାଣ।
୬- ଜରୁରିକାଳୀନ ଭିତ୍ତିରେ ଜଳ ଉତ୍ସଗୁଡ଼ିକର ସଫା ଓ ବିଶୋଧନ। କ୍ଷୟକ୍ଷତି ଆକଳନ ପ୍ରକ୍ରିୟାରେ ମୃତାବଶେଷକୁ ବିଚାରକୁ ନିଆ ନ ଯାଇ ସଫେଇ ପଦ୍ଧତିକୁ ତ୍ଵାରାନ୍ବିତ କରିବା।
୭- ରିଲିଫ ଯୋଗାଣକାରୀମାନଙ୍କୁ ପୁଲିସ ସୁରକ୍ଷା ପ୍ରଦାନ।
୮- ଏନଡିଆରଏଫ କର୍ମୀମାନଙ୍କ ସହ ସାମାଜିକ ଅନୁଷ୍ଠାନଗୁଡ଼ିକର ସ୍ଵେଚ୍ଛାସେବୀମାନଙ୍କ ସହଯୋଗରେ ଗୋଷ୍ଠୀ ସହଭାଗିତା ଆଣିବା।
୯- ଶକ୍ତି ଏବଂ ଅନ୍ୟାନ୍ୟ ଥଇଥାନ ପ୍ରକ୍ରିୟାରେ ସେନାର ସହଯୋଗ।
୧୦- ରିଲିଫ ଓ ଥଇଥାନ ପ୍ରକ୍ରିୟାରେ ମହିଳା(ବିଶେଷ କରି ଏକାକିନୀ ମହିଳା), ବୟୋଜ୍ୟେଷ୍ଠ ଲୋକ, ଦିବ୍ୟାଙ୍ଗ, ଅନୁସୂଚିତ ଜାତି ଓ ଜନଜାତି ଯେପରି ବାସନ୍ଦ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା। କ୍ଷୟକ୍ଷତି ଆକଳନ ସମୟରେ ଲିଙ୍ଗ ଓ ଜାତିଗତ ଭେଦଭାବକୁ ଦୂରେଇବା ପାଇଁ ଯତ୍ନବାନ ହେବା।
୧୧- ଆଶିଂକ ଭାଙ୍ଗିଥିବା କିମ୍ବା ଅଧା ଉପୁଡିଥିବା ଗଛଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ ନ କରି ପୁନଃ ଲଗାଇବାର ବ୍ୟବସ୍ଥା କରିବା ଆବଶ୍ୟକ।
ରିଲିଫ ଓ ଥଇଥାନ ପ୍ରକ୍ରିୟାକୁ ଫଳପ୍ରଦ କରିବା ପାଇଁ ନୀତି ସମ୍ପର୍କିତ ସୁପାରିସ:-
୧- ରାସନ କାର୍ଡ ନ ଥିବା ଲୋକମାନଙ୍କୁ ଭୋଟର କାର୍ଡ ଆଧାରରେ ରିଲିଫ ଯୋଗାଇବା।
୨- ରବି କ୍ରୟ, ଏଫଏକ୍ୟୁ ନିୟମରେ କୋହଳ ଏବଂ ଭାଗଚାଷୀମାନଙ୍କ ଉତ୍ପାଦ କ୍ରୟ ଓ ସହାୟତା ଯୋଗାଇବାକୁ ସୁନିଶ୍ଚିତ କରିବା।
୩- ଏମଜିଏନଆରଇଜିଏସରେ ବର୍ଜ୍ୟ ସଫେଇ ପାଇଁ ବ୍ୟବସ୍ଥା।
୪- ବେସରକାରୀ ଓ ସରକାର ଉତ୍ସରୁ ଋଣ ଆଣିଥିବା ଚାଷୀମାନଙ୍କୁ(ବିଶେଷ କରି ମହିଳା ଚାଷୀ) ଏହି କଠିନ ପରିସ୍ଥିତିରେ କିସ୍ତି ପରିଶୋଧ ପାଇଁ ଚାପ ନ ପକାଇବା ଏବଂ ପରିଶୋଧ ପାଇଁ ଅନ୍ତତଃ ୩ମାସର ଋଣ ଛୁଟି ଦେବା।
୫- କ୍ଷୟକ୍ଷତି ଆକଳନ ଓ ପରିବାର ପିଛା ୨୦୦୦୦ ଟଙ୍କାରୁ କମ୍ ସହାୟତା ପାଇଁ ସରକାର ଗୋଷ୍ଠୀ ଭିତ୍ତିକ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆପଣେଇବା ଉଚିତ। ଫଳରେ ଠିକ ସମୟରେ ବର୍ଜ୍ୟ ନିଷ୍କାସନ ହୋଇପାରିବ ଏବଂ ମହାମାରୀ ବ୍ୟାପିବାକୁ ରୋକାଯାଇପାରିବ।
୬- ପ୍ରଭାବିତମାନଙ୍କ ଜନ୍ମ ସ୍ଥାନ ଯେଉଁଠି ହୋଇଥାଉ ନା କାହିଁକି ଅନ୍ୟାନ୍ୟ ପରିଚୟ ପ୍ରକ୍ରିୟାରେ(ଭୋଟର କାର୍ଡ, ଏମଜିଏନଆରଇଜିଏସ କାର୍ଡ, ଆଧାର କାର୍ଡ ଭତ୍ତିରେ) ସମସ୍ତଙ୍କୁ ରିଲିଫ ଯୋଗାଣ।
୭- ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏନଏଚଏଆଇ ଟୋଲ ଛାଡ଼ ଘୋଷଣା କରିବା।
୮- ଅସ୍ଥାୟୀ ଆଶ୍ରୟସ୍ଥଳୀ ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସଟିକୁ ସମ୍ପୂର୍ଣ୍ଣ ଛାଡ଼ କରିବା।
ସିଭିଲ ସୋସାଇଟିର ସଦସ୍ୟ ଭାବେ ଜଗଦାନନ୍ଦ, ପୂର୍ବତନ ସୂଚନା ଆୟୁକ୍ତ , ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର , ସାମାଜିକ କର୍ମୀ ମାନସ ରଞ୍ଜନ ମିଶ୍ର , ସ୍ନେହା ମିଶ୍ରସ ମହମ୍ମଦ ଅମିନ , ବିକାଶ ଭଞ୍ଜ ଓ ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।