‘ଫଣି’କୁ ମାସେ ପୂରିଲା; ସରୁନି କ୍ଷତି ଆକଳନ, ହଟୁନି ଅନ୍ଧାର

ଭୁବନେଶ୍ୱର : ବାତ୍ୟା ‘ଫଣି’ ଯିବାର ଏକମାସ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ପୁରୀର ଅର୍ଦ୍ଧାଧିକ ଓ ଖୋର୍ଦ୍ଧାର କେତେକ ଅଞ୍ଚଳରୁ ଅନ୍ଧାର ହଟି ପାରିଲା ନାହିଁ। ରାସ୍ତାଘାଟର ଅଳିଆ ଆବର୍ଜନା ଗାଁ ଗଣ୍ଡା ପରିବେଶକୁ ରୁନ୍ଧି ଦେଉଥିବାବେଳେ ଆଉ ଦିନ କେଇଟା ପରେ ଆସିବ ମୌସୁମି। ଭଙ୍ଗାଘରେ ପିଲାଛୁଆ ଓ ଗାଈଗୋରୁଙ୍କୁ ନେଇ ଗାଁ ଲୋକେ କିଭଳି ବର୍ଷା ଦିନେ ରହିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି। ଅନ୍ୟପକ୍ଷରେ ଫଣି ବାତ୍ୟାରେ ଯୋଗୁଁ ସହରାଞ୍ଚଳର ଅବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଥିଲା। ସରକାର ୧୫ଦିନ ମଧ୍ୟରେ ସବୁ ପରିମଳ ବ୍ୟବସ୍ଥାକୁ ସଜାଡି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ମାସକ ପରେ ବି ଦ୍ବୀପ ତଳ ଅନ୍ଧାର ନ୍ୟାୟରେ ସ୍ମାର୍ଟସିଟି ଭୁବନେଶ୍ବରର ରାସ୍ତାଘାଟ ଓ ଗଳିକନ୍ଦିରେ କୁଢ଼ କୁଢ଼ ଆବର୍ଜନା ଶଢ଼ୁଛି। ଯଦି ଅସରାଏ ବର୍ଷା ହେବ ତେବେ ମଶା, ଡାଆଁଶଙ୍କ ଠାରୁ ଆରମ୍ଭ କରି
ରାଜଧାନୀରେ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବ ବୋଲି ସ୍ବାସ୍ଥ୍ୟବିଭାଗର ଅଧିକାରୀମାନେ ଏବେଠାରୁ ଆଶଙ୍କା କଲେଣି। ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ମେ’ ସୁଦ୍ଧା କ୍ଷୟକ୍ଷତି ଆକଳନ ଓ ଘରଭଙ୍ଗା ତଦନ୍ତ ରିପୋର୍ଟ ପ୍ରସ୍ତୁତ ହେବ ଏବଂ ଜୁନ୍ ପହିଲାରୁ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ହେଲେ ଏପର୍ଯ୍ୟନ୍ତ ସରକାରଙ୍କ ନିକଟରେ ସମସ୍ତ ବାତ୍ୟା ପ୍ରପୀଡ଼ିତ ଜିଲାରୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିନାହିଁ। ପୁରୀ ଜିଲାର ଅନେକ ଅଞ୍ଚଳରୁ ଏପର୍ଯ୍ୟନ୍ତ ବାସ୍ତବ ରିପୋର୍ଟ ଅଣାଯାଇନାହିଁ।
ଇତିମଧ୍ୟରେ ୧୪ଟି ଜିଲାରୁ ୧୦ଟି ଜିଲାର ରିପୋର୍ଟ ଆସିଥିବାବେଳେ ପୁରୀ, ଖୋର୍ଦ୍ଧା, କଟକ ଓ ବାଲେଶ୍ବରରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପହଞ୍ଚି ପାରିନାହିଁ। ସରକାରୀ ଅଧିକାରୀଙ୍କ ରିପୋର୍ଟ କେବେ ଆସିବ ସେନେଇ ସରକାର ଅନାଇଁ ବସିଥିବାବେଳେ ସରକାରଙ୍କ ପ୍ରତିଶ୍ରୁତିକୁ କ୍ଷତିଗ୍ରସ୍ତ ଲୋକେ ଚାହିଁ ବସିଛନ୍ତି।
ସୂଚନାଯୋଗ୍ୟ ମେ’ ୩ରେ ଫଣି ବାତ୍ୟାଯୋଗୁଁ ରାଜ୍ୟର ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର,କଟକ ଓ ଜଗତସିଂହପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଗଜପତି, ରାୟଗଡା ଓ ଢ଼େଙ୍କାନାଳ, ଗଞ୍ଜାମ, ମୟୂରଭଞ୍ଜ ପ୍ରଭୃତି ୧୪ଟି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଯୁଦ୍ଧକାଳନୀ ଭିତ୍ତିରେ କରାଯାଉଛି ବୋଲି କୁହାଯାଇଥିଲା। ୧୫ଦିନ ମଧ୍ୟରେ ସମସ୍ତ ସହରାଞ୍ଚଳରେ ବିଦ୍ୟୁତ୍ ସଂଯୋଗ ସାଙ୍ଗକୁ ଶତପ୍ରତିଶତ ପରିମଳ ବ୍ୟବସ୍ଥା ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସଜଡା ହୋଇଯିବ ବୋଲି ଏସ୍ଆରସି ବିଷ୍ଣୁପଦ ସେଠୀ କହିଥିଲେ। ପୁରୀରେ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବାରୁ ସେଠାରେ ପୁନରୁଦ୍ଧାର କାର୍ଯ୍ୟ ୧ମାସ ଲାଗିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂ ଗଣମାଧ୍ୟମକୁ କହିଥିଲେ। ବାତ୍ୟାର କ୍ଷୟକ୍ଷତି ଏତେ ସାଂଘାତିକ ଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି କ୍ଷୟଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କୁ ତୁରନ୍ତ ସହାୟତା ବାବଦକୁ ୧ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିବା ସହିତ ପୁନରୁଦ୍ଧାର ଲାଗି ଏନଡିଆରଏଫ୍ ଟିମ୍ ଓ ଅନ୍ୟାନ୍ୟ ସହାୟତା ପଠାଇବାକୁ କହି ଯାଇଥିଲେ। ଏନଡିଆରଏଫର ୫୦ଟି ଟିମ୍ ପୁରୀ ଓ ଅନ୍ୟାନ୍ୟ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଇତିମଧ୍ୟରେ ୩୨ଟି ଟିମ୍ କେନ୍ଦୟକୁ ଫେରି ଯାଇଛନ୍ତି। କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତି ଆକଳନ କରି ମେ’ ୧୫ରୁ ଫେରି ଗଲେଣି। ସରକାରଙ୍କ ପକ୍ଷରୁ ସେତେବେଳେ ୧୧ହଜାର ୯୪୨କୋଟି ଟଙ୍କାର ପ୍ରାକ୍ ଆକଳନ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରୀୟ ଟିମକୁ ପ୍ରଦାନ କରାଯାଇଥିଲା। ୨୨ତାରିଖ ସୁଦ୍ଧା କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରାଯିବ ବୋଲି ଏସଆରସି ଶ୍ରୀ ସେଠୀ କହିଥିଲେ। ହେଲେ ଇତିମଧ୍ୟରେ ୧୦ଦିନ ବିତି ଯାଇଥିଲେ ବି ଜିଲାସ୍ତରରୁ ସମ୍ପୂର୍ଣ୍ଣ ରିପୋର୍ଟ ଆସି ପାରିନାହିଁ। ଅନ୍ୟାନ୍ୟ ଜିଲାରୁ ଯେଉଁସବୁ ରିପୋର୍ଟ ଆସିଛି ତାହାକୁ ମଧ୍ୟ ସମୟାନୁସାରେ ବଦଳା ଯାଉଛି। ସରକାରଙ୍କ ଆକଳନ କେବେ ଶେଷ ହେବ ଏବଂ କେନ୍ଦ୍ର ସରକାର କେବେ ସହାୟତା ଦେବେ ତାହାର ଠିକଣା ନାହିଁ। ଆଉ ଗୋଟିଏ ସପ୍ତାହ ପରେ ମୌସୁମି ଓଡ଼ିଶା ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପ୍ରାକ ଆକଳନ କରିଛି। ଯଦି ଦି’ଅସରା ବର୍ଷା ହେବ ତେବେ ଲୋକଙ୍କ ଅବସ୍ଥା କ’ଣ ହେବ ସେନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଲାଣି।
ସୂଚନା ଅନୁଯାୟୀ ଏସଆରସିଙ୍କ ପକ୍ଷରୁ କେନ୍ଦ୍ରକୁ ଦିଆଯାଇଥିବା ପ୍ରାଥମିକ ରିପୋର୍ଟରେ ରାଜ୍ୟର ୫ଲକ୍ଷ ୮ହଜାର ବାସଗୃହ ଭାଙ୍ଗିଥିବା ଦର୍ଶାଯାଇଥିଲା। ସେହିପରି ପୁରୀରେ ସର୍ବାଧିକ ୧୯.୬୮ ଲକ୍ଷ ପ୍ରଭାବିତ ହୋଇଥିବାବେଳେ ୩୯ ଜଣ ପ୍ରାଣ ହରାଇଥିଲେ। ରିପୋର୍ଟରେ ବାତ୍ୟା ଓ ବର୍ଷାରେ ପ୍ରାୟ ୧.୪୩ ଲକ୍ଷ ହେକ୍ଟରରେ କୃଷି ଓ ୨୬୩୮ ହେକ୍ଟର ଉଦ୍ୟାନକୃଷି ଫସଲ ୩୩ଭାଗରୁ ଅଧିକ ନଷ୍ଟ ହୋଇଥିବା ଦର୍ଶାଯାଇଥିଲା।
ସେହିପରି ୧୪ଟି ଜିଲାରେ ୩୪.୩୧ଲକ୍ଷ ପ୍ରାଣୀ ସମ୍ପଦ ଏବଂ ୫୩.୫୨ଲକ୍ଷ କୁକୁଡ଼ା ଓ ଅନ୍ୟ ପକ୍ଷୀ ପ୍ରଭାବିତ ହୋଇଥିବାବେଳେ ପଞ୍ଚାୟତିରାଜ ବିଭାଗର ୫୮୭୦୩.୩୩ଲକ୍ଷ କ୍ଷୟକ୍ଷତି ଦର୍ଶାଯାଇଥିବାବେଳେ କୃଷି ବିଭାଗର ୧୦୨୩୦.୫୩ଲକ୍ଷ, ଶକ୍ତି ବିଭାଗର ୧୧୫୯୮୦ଲକ୍ଷ, ଶିଳ୍ପ ବିଭାଗର ୧୫୨୬୯.୦୭ଲକ୍ଷ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ୭୨୭୪ଲକ୍ଷ, ଶ୍ରୀଜଗନ୍ନାଥ ମନ୍ଦିରର ୫୧୦ଲକ୍ଷ ନଷ୍ଟ ହୋଇଛି। ଜଳସମ୍ପଦ ବିଭାଗର ୩୭୩୦୧.୨୦ଲକ୍ଷ, ପୂର୍ତ୍ତ ବିଭାଗର ୫୯୭୩୨.୩୦ଲକ୍ଷ, ଗ୍ରାମ୍ୟ ଉନ୍ନୟନ ବିଭାଗର ୪୩୫୧୭.୬୮ଲକ୍ଷର ସମ୍ପତ୍ତି ନଷ୍ଟ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗର ୫୨୪୩୪ ଲକ୍ଷ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୫୫୪୩.୯୭ଲକ୍ଷ, ତଫସିଲଭୁକ୍ତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗର ୫୯୨.୨୪ ଲକ୍ଷ, ମହିଳା ଓ ଶିଶୁ ବିଭାଗର ୭୨୪୮.୫୦ ଲକ୍ଷ, ବୟନ ଓ ହସ୍ତତନ୍ତ ବିଭାଗର ୭୪୩୧.୩୬ଲକ୍ଷ, ସମବାୟ ବିଭାଗର ୧୭୪୧ଲକ୍ଷ, ଉଚ୍ଚଶିକ୍ଷାର ୨୯,୬୦୦ଲକ୍ଷ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୨୭୬.୨୫ଲକ୍ଷ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ୧୮୨୫ଲକ୍ଷ,, ଶ୍ରମ ଓ ଇଏସଆଇ ବିଭାଗର ୭୮ଲକ୍ଷ, ଜଙ୍ଗଲ ଓ ପରିବେଶ ବିଭାଗର ୫୩୭୮୦ଲକ୍ଷ, ପର୍ଯ୍ୟଟନ ବିଭାଗର ୧୯୧୭ଲକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୦୯୪ଲକ୍ଷ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୩୦୫୭ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବାତ୍ୟା ପ୍ରଭାବରେ ୬୭୫୩ଟି ବୋଟ ଏବଂ ୭୬୮୦ ମାଛଧରା ଜାଲ ନଷ୍ଟ ହୋଇଥିବାବେଳେ ୧୪ଟି ପ୍ରଭାବିତ ଜିଲାରେ ୭୧,୦୬୦ ହସ୍ତତନ୍ତ ବୁଣାକାର କ୍ଷତିଗ୍ରସ୍ତ ହୋଇଛନ୍ତି।
ମାସକ ପରେ ଜିଲାସ୍ତରରୁ ଯେଉଁ କ୍ଷୟକ୍ଷତି ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଛି ତାହା ପ୍ରାକ୍ ରିପୋର୍ଟଠାରୁ ବେଶିକିଛି ବଢ଼ିବ ନାହିଁ ବୋଲି ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି। ସରକାରଙ୍କ ଆକଳନ କେବେ ଶେଷ ହେବ ଏବଂ ପ୍ରପୀଡ଼ିତଙ୍କୁ କେବେ ସରକାରୀ ବାସଗୃହ ମିଳିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଚଳିତମାସ ୧୯ରୁ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ। ରାଜ୍ୟରେ ଭାଙ୍ଗିଥିବା ୬୪୮୦ ବିଦ୍ୟାଳୟ ଏବେ ବି ମୁକୁଳା ହୋଇ ପଡି ରହିଛି। ବର୍ଷା ବେଳେ କିଭଳି ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ ସେନେଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି।

Comments are closed.