ଭାରତର ଏହି ପ୍ରସିଦ୍ଧ ମନ୍ଦିର ; ଏଠାରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା-ଚାନ୍ଦିର ଟଙ୍କା

ଭାରତରେ ଏପରି ବହୁ ମନ୍ଦିର ରହିଛି, ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ଏପରି ହିଁ ଏକ ମନ୍ଦିର ମଧ୍ୟପ୍ରଦେଶର ରତଲାମ ସହରର ମାଣକରେ ରହିଛି। ସାଧାରଣତଃ ଅନ୍ୟ ମନ୍ଦିରରେ ଭକ୍ତ, ଶ୍ରଦ୍ଧାଳୁଙ୍କୁ ଭୋଗ ଭାବେ ମିଠା କିମ୍ବା ଖାଦ୍ୟର ଅନ୍ୟାନ୍ୟ ଜିନିଷ ମିଳିଥାଏ। ମାତ୍ର ମା’ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ସବୁଠାରୁ ବିଶେଷ କଥା ହେଉଛି, ଏଠାରୁ ଶ୍ରଦ୍ଧାଳୁଙ୍କୁ ଭୋଗ ରୂପରେ ଅଳଙ୍କାର ମିଳିଥାଏ। ଏହି ମନ୍ଦିରକୁ ଆସୁଥିବା ଭକ୍ତମାନେ ସୁନା-ଚାନ୍ଦିର ଟଙ୍କା ନେଇ ଘରକୁ ଯାଇଥାଆନ୍ତି।
ମା’ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗିରହିଥାଏ। ଭକ୍ତମାନେ ଏଠାକୁ ଆସି ମା’ଙ୍କ ନିକଟରେ କୋଟି କୋଟି ଟଙ୍କାର ଅଳଙ୍କାର ଅର୍ପଣ କରିଥାଆନ୍ତି। ବିଶେଷ କରି ମା’ଙ୍କ ଏହି ମନ୍ଦିରରେ ଧନତେରସ ଠାରୁ ଆରମ୍ଭ କରି ୫ ଦିନ ଦୀପୋତ୍ସବର ଆୟୋଜନ କରାଯିବା ସହ ଏହି ଦିନମାନଙ୍କରେ ମନ୍ଦିରକୁ ଫୁଲ ବଦଳରେ ଭକ୍ତଙ୍କ ଦ୍ୱାରା ଅର୍ପଣ ହୋଇଥିବା ଅଳଙ୍କାରରେ ସଜାଯାଇଥାଏ।
ଦୀପୋତ୍ସବ ଦିନ ମନ୍ଦିରରେ କୁବେରଙ୍କ ଦରବାରର ଆୟୋଜନ କରାଯାଏ। ଏହି ସମୟରେ ଏଠାକୁ ଆସୁଥିବା ଭକ୍ତଙ୍କୁ ପ୍ରସାଦ ରୂପରେ ଅଳଙ୍କାର ଓ ରୂପା ଟଙ୍କା ଦିଆଯାଏ।
ଦୀପାବଳି ସମୟରେ ଏହି ମନ୍ଦିର ୨୪ ଘଣ୍ଟା ଖୋଲା ରହିଥାଏ। ଆସୁଥିବା ସମସ୍ତ ଭକ୍ତ ଏଠାରୁ ଖୁସି ମନରେ ଯାଆନ୍ତି।
ମନ୍ଦିରରେ ମା’ଙ୍କୁ ଅଳଙ୍କାର ଓ ଟଙ୍କା ଅର୍ପଣ କରିବାର ପରମ୍ପରା ବହୁ ପୁରାତନ କାଳରୁ ଚାଲୁ ଆସୁଛି। ପ୍ରଥମେ ଏଠାରେ ରାଜା ରାଜ୍ୟର ସମୃଦ୍ଧି ପାଇଁ ମନ୍ଦିରରେ ଧନ ଅର୍ପଣ କରନ୍ତି। ଏହାସହ ଭକ୍ତମାନେ ମଧ୍ୟ ଏଠାରେ ଅଳଙ୍କାର, ଟଙ୍କା ମା’ଙ୍କୁ ଅର୍ପଣ କରିଥାଆନ୍ତି। ମାନ୍ୟତା ଅନୁଯାୟୀ , ଏପରି କରିବା ଦ୍ୱାରା ଭକ୍ତଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ଅଭାବ ହୋଇନଥାଏ। ଧନସମ୍ପତ୍ତିର ଆଗମନ ହୋଇଥାଏ।

Comments are closed.