ବିଶ୍ବପ୍ରସିଦ୍ଧ ଚା’ ବଗିଚା ଏବେ ଶ୍ରୀହୀନ

-ଓଟିପିଏଲ୍‌ ଚା’ ଦେଶବିଦେଶକୁ ହେଉଥିଲା ରପ୍ତାନି,-ପୁନରୁଦ୍ଧାର ହେଲେ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇପାରିବ

କେନ୍ଦୁଝର : (ସତ୍ୟନାରାୟଣ ମିଶ୍ର): କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ତରମାକାନ୍ତ ଅଞ୍ଚଳ ଉନ୍ନତମାନର ଚା’ ଚାଷ ପାଇଁ ପ୍ରକୃଷ୍ଟ ସ୍ଥାନ, ଏହା ପ୍ରମାଣିତ ହୋଇସାରିଛି। ଏଇ ମାଟିରେ ଉନ୍ନତମାନର ଚା’ ଚାଷ କରାଯାଇପାରିବ ବୋଲି ବହୁ ଗବେଷଣା ଓ ତର୍ଜମା ପରେ ଜଣାପଡିଥିଲା। ଏହାକୁ ଭିତ୍ତି କରି ୧୯୮୨ ମସିହାରେ ଓଡିଶା ସରକାରଙ୍କର ଇପିକଲ ସଂସ୍ଥା ଓ କଲକାତାର ଶିଳ୍ପପତି ବସନ୍ତ କୁମାର ଦୁବେଙ୍କ ମିଳିତ ସହଯୋଗରେ ଓଡିଶା ଟି ପ୍ଲାଣ୍ଟେସନ୍‍ ଲିମିଟେଡ (ଓଟିପିଏଲ୍‍) ନାଁରେ ତରମାକାନ୍ତଠାରେ ଏକ ଚା’ ବଗିଚା ଆରମ୍ଭ ହୋଇଥିଲା। ଏହି ଓଟିପିଏଲ୍‍ ଚା’ର ଖୁବ୍‍ ସୁନାମ ଥିଲା ରାଜ୍ୟ, ଦେଶ ତଥା ଦେଶ ବାହାରେ। ପରିତାପର ବିଷୟ ଯେ ତରମାକାନ୍ତର ଏହି ଚା ବଗିଚା ଏବେ ଉଜୁଡି ଯାଇଛି। ଏହି ଅଞ୍ଚଳ ଦିନେ କେନ୍ଦୁଝର ଜିଲାର ଦାର୍ଜିଲିଂ ଭାବେ ପରିଗଣିତ ହେଉଥିଲା। ଏଠାକାର ଚା’ କେବଳ ଓଡିଶା ଓ ଭାରତବର୍ଷ ନୁହେଁ, ଜାପାନ, ଫ୍ରାନ୍ସ, ଜର୍ମାନ, ଲଣ୍ଡନ, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, କାନାଡା ଭଳି ଦେଶମାନଙ୍କରେ ବେଶ୍‍ ନାଁ କରିଥିଲା। ଏହି ଚା’ ବଗିଚା ଏବେ ବୃକ୍ଷଶୂନ୍ୟ ହୋଇ ମରୁଭୂମି ପ୍ରାୟ ପାଲଟି ଯାଇଛି। ଏଠାରେ ବର୍ତ୍ତମାନ ଥିବା ଚା’ ଗଛମାନଙ୍କୁ ଦେଖିଲେ ଏବଂ ବଗିଚା ମଧ୍ୟରେ ପଡି ରହିଥିବା ପରିତ୍ୟକ୍ତ ଭଙ୍ଗା ଗାଡି ଓ କୋଠାଘରକୁ ଦେଖିଲେ ମନରେ ଭାବାନ୍ତର ସୃଷ୍ଟି ହୁଏ। କେବଳ ରାଜ୍ୟ ସରକାରଙ୍କ ଅବହେଳାରୁ ଏକ ଲାଭଦାୟକ ଚା’ ପ୍ରକଳ୍ପ ଚାହୁଁଚାହୁଁ ବୁଡିଗଲା ବୋଲି ଅଭିଯୋଗ କରାଯାଏ।
ଆଜିର ଦିନରେ ତରମାକାନ୍ତ ଚା’ ବଗିଚାରେ ଲକ୍ଷାଧିକ ଥୁଣ୍ଟା ଚା’ ଗଛ ନିରବରେ ଠିଆ ହୋଇ ଅତୀତର ହୃତଗୌରବକୁ ମନେ ପକାଉଛନ୍ତି। ଦିନେ ଏହି ଚା’ ବଗିଚାରେ ସୌଖୀନ ଗାଡି ଲାଗୁଥିଲା, ବଡବଡ ଟ୍ରକ୍‍ ଆସୁଥିଲା; ଏଠାରେ ବେଲଜିୟମ କାଚରେ ଏକ ସୌଖୀନ ଅତିଥି ଗୃହ ପ୍ରତିଷ୍ଠା ହୋଇଥିଲା, ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ, ବିଶେଷଜ୍ଞ ଓ ବ୍ୟବସାୟୀ ଏଠାକୁ ଆସୁଥିଲେ। ପ୍ରତିଦିନ ଏଠାରୁ ସ୍ଥାନୀୟ ଭୁୟାଁ, ଜୁଆଙ୍ଗ ମହିଳା, ପୁରୁଷମାନେ ଚା’ ପତ୍ର ସଂଗ୍ରହ କରୁଥିଲେ, ଚା’ ପତ୍ରର ପ୍ରକ୍ରିୟାକରଣ ପରେ ପ୍ୟାକେଟିଂ କରାଯାଉଥିଲା। ଏଠାରେ ଦିନେ ଶହଶହ ସଂଖ୍ୟାରେ ଚା’ କମ୍ପାନୀ କର୍ମଚାରୀ, ଚା’ ପତ୍ର ତୋଳାଳି ଏବଂ ବିଦେଶୀ ପର୍ଯ୍ୟଟକ, ବ୍ୟବସାୟୀଙ୍କ କୋଳାହଳରେ ତରମାକାନ୍ତର ଏହି ଭୁୟାଁଜୁଆଙ୍ଗ ପୀଢ ଅଞ୍ଚଳ ବେଶ ଚଳଚଞ୍ଚଳ ହୋଇଉଠୁଥିଲା। ଆଜି କିନ୍ତୁ ଶ୍ରୀହୀନ ହୋଇପଡିଛି ବିଶ୍ବପ୍ରସିଦ୍ଧ ଏହି ଚା’ ବଗିଚା। ସବୁ ଖାଁ ଖାଁ ଓ ଶୁନ୍‍ଶାନ୍‍।
ଏହି ଚା’ ବଗିଚାଟି ବିଭିନ୍ନ କାରଣରୁ ୨୦୦୧ ମସିହାରୁ ବନ୍ଦ ହୋଇଗଲା। ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ତଥା ଶ୍ରମିକମାନେ ଚା’ ବଗିଚା ଉଜୁଡିଯିବା କାରଣରୁ କାମଧନ୍ଦା ନପାଇ ଡହଳବିକଳ ହେବା ସାର ହେଲା। ଏଠାରେ କାମ କରୁଥିବା ଶ୍ରମିକଙ୍କ ପାଉଣା ବି ବାକି ରହିଯାଇଛି। ପ୍ରକାଶ ଯେ, ୧୯୮୨ ମସିହାରେ ଚା’ ଗଛ ଲଗାଇବା ଆରମ୍ଭ ହୋଇଥିଲା। ଏଥିପାଇଁ ଦୁଇକୋଟି ଚବିଶ ଲକ୍ଷ ଟଙ୍କା ସେତେବେଳେ ୟୁନାଇଟେଡ୍‍ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆରୁ ଋଣ କରାଯାଇଥିଲା। ତରମାକାନ୍ତଠାରେ ଚା’ ବଗିଚା କରିବା ପାଇଁ ଏ ଅଞ୍ଚଳର କେତେକ ଆଦିବାସୀଙ୍କର ଜମି ସହିତ କିଛି ଜଙ୍ଗଲ ଜମିକୁ ମିଶାଇ ମୋଟ ୮୯୬.୫୪ ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିଲା। ପ୍ରାୟ ୨୧୪ ହେକ୍ଟର ଜମିରେ ପ୍ରଥମେ ଉନ୍ନତମାନର ଚା ଚାରା ରୋପଣ କରାଯାଇଥିଲା। ଓଡିଶା ସରକାର ଓ ଉକ୍ତ କମ୍ପାନୀର ମିଳିତ ଉଦ୍ୟମରେ ଗଢାଯାଇଥିବା ‘ଓଡିଶା ଟି ପ୍ଲାଣ୍ଟେସନ ଲିଃ’ ଦେଶବିଦେଶର ବିଭିନ୍ନ ସ୍ଥାନକୁ ଚା’ ରପ୍ତାନି କରି ବେଶ୍‍ ଲାଭବାନ ହୋଇଉଠିଲା। ଏହି ଲାଭ ଯୋଗୁଁ ଚା’ ବଗିଚାରେ କାମ କରୁଥିବା କେନ୍ଦୁଝର ଜିଲାର ଜୁଆଙ୍ଗ, ଭୂୟାଁମାନେ ମଧ୍ୟ ଦି’ ପଇସା ପାଇପାରିଲେ ଏବଂ ସେମାନଙ୍କର ସଂସାର ବେଶ ସୁରୁଖୁରୁରେ ଚାଲିବା ଆରମ୍ଭ କରିଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏକହଜାର ପାଖାପାଖି ଶ୍ରମିକ କାମଧନ୍ଦା କରୁଥିଲେ ତରମାକାନ୍ତ ଚା’ ବଗିଚାରେ। ତରମାକାନ୍ତ ଚା’ ଅଧିକ ସ୍ୱାଦଯୁକ୍ତ ଥିବାରୁ ବିଦେଶୀ ବଜାରରେ ଏହା ଦାର୍ଜିଲିଂ ଚା’କୁ ମଧ୍ୟ ପଛରେ ପକାଇ ନିଜର ବ୍ୟାବସାୟିକ ସଫଳତା ଅବ୍ୟାହତ ରଖିଥିଲା।
ଅପରପକ୍ଷେ, ଚା’ ଚାଷ ପାଇଁ ଯେଉଁଭଳି ମାଟି, ଜଳବାୟୁ,ପାଣିପାଗ, ତାପମାତ୍ରା, ଆର୍ଦ୍ରତା ଆବଶ୍ୟକ ତାହା ତରମାକାନ୍ତ ଜଙ୍ଗଲରେ ମିଳିବାରୁ ଚା’ ଚାଷ ସୁରୁଖୁରୁରେ ଆଗେଇ ଚାଲିଥିଲା। ଏହି ଅଞ୍ଚଳଟି ସମୁଦ୍ରପତ୍ତନଠାରୁ ୧୮୦୦ ଫୁଟରୁ ୨୨୦୦ ଫୁଟ ଉଚ୍ଚତାରେ ଥିବା ସହିତ ଏଠାରେ ପୁଣ୍ୟତୋୟା ନଦୀ ଓ ଏହାର ଦୁଇଟି ପ୍ରମୁଖ ଉପନଦୀ ରାଣୀମା ନାଳ ଓ ଅନ୍ୟ ଏକ ଜଳ ଉତ୍ସର ଜଳ ମଧ୍ୟ ଚା’ ଚାଷ ପାଇଁ ସହାୟକ ହୋଇଥିଲା। ୧୯୮୩ ମସିହାରୁ ଏଠାରେ କାରବାର ଆରମ୍ଭ ହୋଇ ୨୦୦୨ ମସିହା ବେଳକୁ ବ୍ୟବସାୟ ସଫଳତାର ଶୀର୍ଷକୁ ଛୁଇଁପାରିଥିଲା। ତେବେ ଏହି ପ୍ରକଳ୍ପଟି ହଠାତ୍‍ ୨୦୦୩ ମସିହା ବେଳକୁ ଧିମେଇ ଯାଇଥିଲା। ସରକାରଙ୍କ ଆନ୍ତରିକତାର ଅଭାବ କିମ୍ବା ପରିଚାଳନାଗତ ତ୍ରୁଟି କାରଣରୁ ହେଉ ଏହି ପ୍ରକଳ୍ପଟି କ୍ରମେ ବନ୍ଦ ହୋଇଯିବାକୁ ବସିଲା। ୨୦୦୩-୦୪ ମସିହା ବେଳକୁ ଏହା ସଂପୂର୍ଣ୍ଣ ବନ୍ଦ ହୋଇଗଲା।
ଜିଲାରେ କର୍ମସଂସ୍ଥାନର ଅଭାବ ଏକ ପ୍ରମୁଖ କାରଣ ହୋଇଥିବାବେଳେ ପଛୁଆ ଅଞ୍ଚଳ ଭାବେ ପରିଗଣିତ ବାଂଶପାଳ ବ୍ଲକର ତରମାକାନ୍ତ ଅଞ୍ଚଳରେ ନିଯୁକ୍ତି ସୃଷ୍ଟିକାରୀ ତଥା ଫଳଦାୟୀ ଏକ ଚା’ ବଗିଚାକୁ ବିନା କାରଣରେ ବନ୍ଦ କରିଦେବା ଯୋଗୁଁ ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ନିରାଶା ସୃଷ୍ଟି କରିଛି। ରାଜ୍ୟ ସରକାର କିମ୍ବା ଡିଏମ୍‍ଏଫ୍‍ ପକ୍ଷରୁ ଏହି ପ୍ରକଳ୍ପକୁ ନିଜ ହାତକୁ ନେଇ ପୁନରୁଦ୍ଧାର କଲେ ତରମାକାନ୍ତ ସମେତ ବାଂଶପାଳ ଅଞ୍ଚଳର ଆଦିବାସୀଙ୍କ ପାଇଁ ବ୍ୟାପକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
ସାଂପ୍ରତିକ ପରିସ୍ଥିତିରେ ରାଜ୍ୟ ସରକାର ନିଜ ଅଞ୍ଚଳରେ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ଦେବାର ଆଭିମୁଖ୍ୟ ରଖିଥିବାବେଳେ ତରମାକାନ୍ତ ଚା’ ବଗିଚା ପ୍ରତି ସରକାରୀ ଓ ବେସରକାରୀ ତଥା ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଳିତ ଭାବେ ସମନ୍ୱୟ ରକ୍ଷା କରି ଏହାର ପୁନରୁଦ୍ଧାର କରାଗଲେ ଜିଲା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହୋଇପାରିବ।

Comments are closed.