ପରଲୋକରେ ‘ଜୀବନ ପାତ୍ର ମୋ ଭରିଛ କେତେ ମତେ’ର ଲୋକପ୍ରିୟ ଗାୟିକା ସୁନନ୍ଦା ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟ ଗାୟିକା ତଥା ଘରେ ଘରେ ଗୁରୁ ମା’ ନାଁରେ ପରିଚିତ ସୁନନ୍ଦା ପଟ୍ଟନାୟକ ଆଜି (ରବିବାର) ସକାଳେ ୮୫ ବର୍ଷ ବୟସରେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ କୋଲକାତାର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ଆଜି ସକାଳ ୪ଟା ୩୦ ମିନିଟରେ ପରଲୋକ ଘଟିଥିଲା। କାଳଜୟୀ କବି ସ୍ବର୍ଗତ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦା ୧୯୩୪ ମସିହା ନଭେମ୍ବର ୭ରେ ଜନ୍ମ ଗ୍ରହଣ କରିଥିଲେ। ୧୯୪୮ରେ ମାତ୍ର ୧୪ ବର୍ଷ ବୟସରେ ସୁନନ୍ଦା ଆକାଶବାଣୀ କଟକ କେନ୍ଦ୍ରରେ ଗୀତ ପରିବେଷଣ କରିଥିଲେ। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଆସଫ ଅଲ୍ଲୀ ଆକାଶବାଣୀରେ ତାଙ୍କ ସୁଲଳିତ କଣ୍ଠସ୍ୱର ଶୁଣିବା ପରେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଓ ରାଜ୍ୟପାଳ ଭବନରେ ହେଉଥିବା ଅନେକ କାର୍ଯ୍ୟକ୍ରମରେ ସୁନନ୍ଦାଙ୍କୁ ସଂଗୀତ ପରିବେଷଣ ପାଇଁ ସୁଯୋଗ ଦେଇଥିଲେ। ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ପୁରୀ ଆସିଥିବା ବେଳେ ସୁନନ୍ଦାଙ୍କ କଣ୍ଠସ୍ୱରର ଯାଦୁରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କ ପାଇଁ ଛାତ୍ରବୃତ୍ତି ସହ ପୁନେଠାରେ ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଦ୍ଧନଙ୍କ ଠାରୁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ବ୍ୟବସ୍ତା କରାଇଥିଲେ।

୧୯୫୬ରେ ପୁନେ ସଂଗୀତ ବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ୧୯୫୭ ସେପ୍ଟେମ୍ବରରେ ସୁନନ୍ଦା କଲିକତାରେ ସର୍ବ ଭାରତୀୟ ସଦରଙ୍ଗ ସଂଗୀତ ସମ୍ମେଳନରେ ସଂଗୀତ ପରିବେଷଣ କରି ୧୩ଟି ସ୍ଵର୍ଣ ମୁଦ୍ରା ପୁରସ୍କାର ପାଇଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଶୀ ସଙ୍ଗୀତକୁ ଅତୁଳନୀୟ ଅବଦାନ ପାଇଁ ସୁନନ୍ଦା ପଟ୍ଟନାୟକ ୧୦୭୦ ଏବଂ ୧୯୭୧ରେ ଜାତୀୟ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ। ୧୯୯୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁନନ୍ଦାଙ୍କୁ ପିଏଚଡି ଉପାଧିରେ ସମ୍ମାନିତ କରାଯାଇଥିଲା

୧୯୮୩ ମସିହାରୁ କୋଲକାତାରେ ରହୁଥିବା ସୁନନ୍ଦା ‘ତରାନା’ ଗାୟନ ଲାଗି ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ୨୦୧୦ରେ ତାଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’ ୫୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା। ସୁନନ୍ଦା ଗାଇଥିବା କେତୋଟି ଲୋକପ୍ରିୟ ଗୀତ ମଧ୍ୟରୁ ଜୀବନ ପାତ୍ର ମୋ ଭରିଛ କେତେ ମୋତେ, କେତେ ମୋତେ ଦୁଃଖେ ଜାଳି, ନିଶବ୍ଦ ଶରଦ ପ୍ରାତେଃ, ଦୁଃଖେ ତୁମରି ଉତ୍ସବ ଦୀପ ଓ ଜୀବନ ବନ୍ଧୁ ଯାଏ ଅନ୍ୟତମ।

Comments are closed.