ପରିବାରକୁ ଗାଁରେ ବାସନ୍ଦ ଘଟଣା ; ମହଙ୍ଗା ପଡ଼ିଲା କଙ୍ଗାରୁ କୋର୍ଟ ନିଷ୍ପତ୍ତି, ୩୩ ଜଣଙ୍କ ନାମରେ ମାମଲା

ବୌଦ୍ଧ : କଙ୍ଗାରୁ କୋର୍ଟରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରିବା ମହଙ୍ଗା ପଡିଛି। ଅଦାଲତଙ୍କ ନିର୍ଦେଶ ପରେ ଗ୍ରାମର ୩୩ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ ନୂଆବର୍ଷ ଭୋଜିରେ ମଦ୍ୟପାନ କରି ଗ୍ରାମରେ ବିଶୃଙ୍ଖଳା କରିବାରୁ ଗ୍ରାମସଭାରେ ଏକ ଗରିବ ପରିବାରକୁ ୧୮ ହଜାର ଟଙ୍କା ଜୋରିମାନା ଦେବାକୁ ବାଧ୍ୟ କରାଯାଇଥିଲା। ତେବେ ଉକ୍ତ ଗରିବ ପରିବାର ଟଙ୍କା ଦେବାରେ ଅସମର୍ଥ ହେବାରୁ ଏହି ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହିଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପରଗଳପୁର ଗ୍ରାମର ବୁଦ୍ଧଦେବନଗରରେ। ଏହି ଗ୍ରାମର ରାମଚନ୍ଦ୍ର ପ୍ରଧାନଙ୍କ ସାନଭାଇ ଲକ୍ଷ୍ମଣ ଜାନୁୟାରୀ ୧ ତାରିଖରେ (ନୂଆବର୍ଷରେ) ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇ ସେଠାରେ ମଦ୍ୟପାନ କରି ସନ୍ଧ୍ୟାରେ ଗ୍ରାମକୁ ଫେରିବା ପରେ ନିଶାସକ୍ତ ଅବସ୍ଥାରେ ଗାଁ ନିକଟରେ ଅଶ୍ରାବ୍ୟ ଭାଷାରେ ପାଟିତୁଣ୍ଡ କରିଥିଲେ। ଏହି ଘଟଣା ପରେ ଜାନୁଆରୀ ୪ ତାରିଖରେ ଗ୍ରାମସଭା ଡକାଯାଇ ଅଭିଯୁକ୍ତ ଲକ୍ଷ୍ମଣଙ୍କୁ ଡକାଯାଇଥିଲା। ସଭାରେ ରାମ ଓ ଲକ୍ଷ୍ମଣ ପହଞ୍ଚିବା ପରେ ମଦ୍ୟପାନ କରି ଗ୍ରାମ ନିକଟରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୮ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଥିଲା ଏବଂ ଅର୍ଥ ନଦେଲେ ସାମାଜିକ ବାସନ୍ଦ କରାଯିବାକୁ ନିଷ୍ପତ୍ତି ଶୁଣାଇ ଦିଆଯାଇଥିଲା। ମାମଲାରେ ନିଜର ଭୁଲ ପାଇଁ ୨୧ ଟଙ୍କା ଜୋରିମାନା ପ୍ରଦାନ କରିବାକୁ ଅନୁରୋଧ କରିବା ସହ ରାମ ଓ ଲକ୍ଷ୍ମଣ ଉଭୟ ଭାଇ ଗ୍ରାମସଭା ସମ୍ମୁଖରେ ମୁଣ୍ଡତଳକୁ କରି ନିଜ ଦୋଷ ସ୍ୱୀକାର କରିଥିଲେ। କିନ୍ତୁ ସେମାନଙ୍କ ଅନୁରୋଧକୁ ନଶୁଣି ଗ୍ରାମସଭାରେ ରାମଚନ୍ଦ୍ରଙ୍କ ପରିବାରକୁ ବାସନ୍ଦ ଘୋଷଣା କରାଯାଇଥିଲା। ଗ୍ରାମରେ ସେମାନଙ୍କ ସହ ଅନ୍ୟ କୌଣସି ବ୍ୟକ୍ତିବିଶେଷ କଥାବାର୍ତ୍ତା ନକରିବାକୁ କୁହାଯାଇଥିଲା। ଏଥିସହ ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତା, ପାଣି ଆଦି ସେମାନେ ବ୍ୟବହାର କରିବା ଉପରେ କଟକଣା ଜାରି କରାଯାଇଥିଲା। ଏପରିକି ମାଛମାରି ଓ ସ୍ୱଳ୍ପ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ରାମଚନ୍ଦ୍ରଙ୍କ ପରିବାରକୁ ଗ୍ରାମର ଉଠାଜଳସେଚନ ପ୍ରକଳ୍ପରୁ ତାଙ୍କ ଜମିକୁ ପାଣି ମଧ୍ୟ ଦିଆଯାଇ ନ ଥିଲା। ଫଳରେ ତାଙ୍କର ଧାନଚାଷ କ୍ଷତିଗ୍ରସ୍ତ ହେବା ସହିତ ପରିବାରର ସମସ୍ତ ଆୟ ପନ୍ଥା ବନ୍ଦ ହୋଇଯିବା ସହ ଗ୍ରାମରେ ରହିବା ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା। ଗ୍ରାମବାସୀଙ୍କୁ ଅନୁରୋଧ ସତ୍ତ୍ବେ କୌଣସି ଫଳ ନ ମିଳିବାରୁ ସ୍ଥିତି ଏଭଳି ହୋଇଥିଲା ଯେ, ରାମଚନ୍ଦ୍ର ଝିଅର ନିର୍ବନ୍ଧକୁ ସ୍ଥଗିତ କରି ଗତ ଜାନୁୟାରୀ ୨୭ ତାରିଖ ଦିନ ଏନେଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅପରପକ୍ଷରେ ଗ୍ରାମବାସୀ ଲକ୍ଷ୍ମଣଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ଉଦ୍ୟମ ବିଫଳ ହୋଇଥିବା ଥାନା ଅଧିକାରୀ ତପସ୍ବିନୀ କହଁର କହିଛନ୍ତି। ଏନେଇ ପରେ ରାମଚନ୍ଦ୍ର ବୌଦ୍ଧ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଓକିଲଙ୍କ ଜରିଆରେ ଆବେଦନ କରିଥିଲେ। ଅଦାଲତ ଆବେଦନକାରୀଙ୍କ ଅଭିଯୋଗକୁ ଗ୍ରହଣ କରି ୩୩ ଜଣ ଗ୍ରାମବାସୀଙ୍କ ନାମରେ ମକଦ୍ଦମା ରୁଜୁ କରିବାକୁ ବୌଦ୍ଧ ଥାନାକୁ ନିର୍ଦେଶ ଦେଇଥିଲେ। ଫଳରେ ପୁଲିସ ପକ୍ଷରୁ ମୋକଦ୍ଦମା ରୁଜୁ କରାଯାଇଥିବା ଜଣାଯାଇଛି।

Comments are closed.