୧୧ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସ ନେଲେ ପରିବାର

ଭୋପାଳ/ଜୟପୁର: ବିଶ୍ବାସ ହେଉ ନ ଥିଲେ ମଧ୍ୟ ଏହା ସତ୍ୟ। ମଧ୍ୟ ପ୍ରଦେଶ ଅନ୍ତର୍ଗତ ବାଲାଘାଟର ପ୍ରତିଷ୍ଠିତ ସୁନା ବ୍ୟବସାୟୀ ରାକେଶ ସୁରାଣା ପ୍ରାୟ ୧୧କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ ସହ ସାଂସାରିକ ଜୀବନ ପରିତ୍ୟାଗ କରି ସପରିବାର ସନ୍ନ୍ୟାସ ଗ୍ରହଣ କରିଛନ୍ତି। ରବିବାର ରାଜସ୍ଥାନର ଜୟପୁରଠାରେ ସେ ଜୈନ ସନ୍ଥ ମହେନ୍ଦ୍ର ସାଗର ଜୀ ମହାରାଜଙ୍କ ଉପସ୍ଥିତିରେ ସେ ଜୈନ ଧର୍ମ ଗ୍ରହଣ ସହ ଜୈନ ଭଗବତୀ ଦୀକ୍ଷା ଗ୍ରହଣ କରିଛନ୍ତି। ସମସ୍ତ ସମ୍ପତ୍ତି ସେ ପାଶ୍ବନାଥଙ୍କୁ ଦାନ କରିଛନ୍ତି। ମହାକୁଶଳ ଅଞ୍ଚଳରେ ଜଣେ ଭଦ୍ର ବ୍ୟବସାୟୀ ଭାବେ ରାକେଶ ପରିଚିତ। ତାଙ୍କ ପତ୍ନୀ ଲୀନା ଆମେରିକାରୁ ଅଧ୍ୟୟନ ଶେଷ କରି ଫେରିବା ପରେ ସମ୍ପୃକ୍ତ ଅଞ୍ଚଳରେ ଏକ ଶିକ୍ଷାନୁଷ୍ଠାନ ଚଳାଉଥିଲେ। ସେମାନଙ୍କ ୧୧ ବର୍ଷର ପୁଅ ଅମୟ ଉକ୍ତ ସ୍କୁଲର ଛାତ୍ର। ଦୀକ୍ଷା ଗ୍ରହଣ କରିବା ପରେ ସେମାନଙ୍କ ନାମ ପରିବର୍ତ୍ତନ ହୋଇଛି। ରାକେଶଙ୍କ ନାମ ଶ୍ରୀୟାଶୋଭାର୍ଦ୍ଧନଜୀ ମାସା ରଖାଯାଇଥିବା​‌ବେଳେ ଲୀନାଙ୍କ ନାମ ଶ୍ରୀ ସାନୱାରୁଚି ଜୀ ମାସା ଓ ଅମୟଙ୍କ ନାମ ଶ୍ରୀଜିନାବର୍ଦ୍ଧନଜୀ ମାସା ରଖାଯାଇଛି। ଦୀକ୍ଷା ପାଇଁ ସେମାନେ ଗଲାବେଳେ ସ୍ଥାନୀୟ ଅଞ୍ଚଳର ଶହଶହ ଜନତା ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ସୁରାଣା ପରିବାରର ସମସ୍ତଙ୍କୁ ବର-କନ୍ୟା ଭଳି ସଜାଇ ରଥରେ ବସାଇ ବିଦାୟ ଜଣାଇଥିଲେ। ବାଲଘାଟର ପ୍ରାୟ ୩୦୦ଲୋକ ଦୀକ୍ଷା ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଜୟପୁର ଯାଇଥିଲେ। ବାଲଘାଟ ଅଞ୍ଚଳରେ ଏକ ପ୍ରତିଷ୍ଠିତ ପରିବାର ଏଭଳି ସନ୍ନ୍ୟାସ ନେବା ପ୍ରଥମ।

Comments are closed.