ଭୁବନେଶ୍ବର ଫ୍ୟାମିଲି କୋର୍ଟ; ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଛାଡ଼ପତ୍ର ମାମାଲାର ସାକ୍ଷ୍ୟଗ୍ରହଣ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଫ୍ୟାମିଲି କୋର୍ଟରେ ଭିଡ଼ିଓ କନଫରେନ୍ସ ଜରିଆରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି ହୋଇଛି। ଫ୍ୟାମିଲି କୋର୍ଟର ଜଜ୍‌, ଜଷ୍ଟିସ ଆର୍.କେ ଦାସଙ୍କ ଚାମ୍ବରରେ ଏହି ଛାଡ଼ପତ୍ର ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀ ଭୁବନେଶ୍ବର ଫ୍ୟାମିଲି କୋର୍ଟରେ ଉପସ୍ଥିତ ରହିଥିବା ବେଳେ ତାଙ୍କ ପ୍ରତିପକ୍ଷ ମୁମ୍ବଇରୁ ଭିଡ଼ିଓ କନଫରେନ୍ସ ଜରିଆରେ ଜଜ୍‌ଙ୍କ ସାମ୍ନାରେ ନିଜର ପକ୍ଷ ରଖିଥିଲେ ।
ଭୁବନେଶ୍ବରରେ ରହୁଥିବା ଜଣେ ଯୁବକ ସହମତିଭିତ୍ତିକ ବିବାହ ବିଚ୍ଛେଦ ନେଇ କୋର୍ଟରେ ଆବେଦନ କରିଥିଲେ ।୨୦୧୯ ଡ଼ିସେମ୍ବର ୧୯ରେ ଏନେଇ କୋର୍ଟରେ ଆବେଦନ କରିଥିଲେ। ରାଜ୍ୟରେ ବଢୁଥିବା କାରୋନା ସଂକ୍ରମଣ କାରଣରୁ ତାଙ୍କ ମାମଲାର ଶୁଣାଣିରେ ବିଳମ୍ବ ହୋଇଚାଲିଥିଲା। ତାଙ୍କର ପତ୍ନୀ ଏବେ ମୁମ୍ବାଇରେ ରହୁଛନ୍ତି। କୌଣସି କାରଣରୁ ଅଦାଲତକୁ ଆସିବାରେ ସକ୍ଷମ ହୋଇପାରି ନ ଥିଲେ। ଫଳ‌େ‌ର ତାଙ୍କ ଛାଡ଼ପତ୍ର ମାମାଲାର ଶୁଣାଣି ହୋଇପାରୁନଥିଲା। ଛାଡପତ୍ର ଆବେଦନକାରୀ ଯୁବକଙ୍କ ଆଇନଜୀବୀ ସୂର୍ଯ୍ୟ ନାରାୟଣ ଦାସ ଅନଲାଇନ ମାଧ୍ୟମରେ ଉକ୍ତ ମାମାଲାର ଶୁଣାଣି କରିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଜଷ୍ଟିସ ବିଶ୍ବନାଥ ରଥଙ୍କ ନିର୍ଦେଶକ୍ରମେ ଭୁବନେଶ୍ବର ଫ୍ୟାମିଲି କୋର୍ଟରେ ଶୁକ୍ରବାର ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଣାଣି ହୋଇଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ଭୟ ରହୁଥିବାରୁ କାରଣରୁ କୋର୍ଟରେ ଅଧିକ ଭିଡ଼ କରାଯାଉନାହିଁ। ଏହି କାରଣରୁ ଅନେକ ମାମଲାର ଶୁଣାଣି ବିଳମ୍ବ ହେଉଛି। ଅନ୍‌ଲାଇନ ମାଧ୍ୟମରେ ଜାମିନ୍ ଆଦି ଶୁଣାଣି କରାଯାଉଥିବା ବେଳେ ପ୍ରଥମ ଥର ଲାଗି ସାକ୍ଷ୍ୟ ଗ୍ରହଣ କରାଯାଇଛି। ତେବେ ଏହି ସାକ୍ଷ୍ୟଗ୍ରହଣ କୋର୍ଟରେ ଆଇନଜୀବୀମାନଙ୍କୁ ମାମଲାଗୁଡ଼ିକର ଶୁଣାଣି ଆରମ୍ଭ କରିବା ଲାଗି ଏକ ପ୍ରେରଣା ଯୋଗାଇଛି ବୋଲି ବରିଷ୍ଠ ଆଇନଜୀବୀମାନେ ମତ ଦେଇଛନ୍ତି ।

Comments are closed.