ଓଡିଆ ଭାଷାର ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମନେ ରହିବେ ଫକୀରମୋହନ

ଆଧୁନିକ ଓଡିଆ ଗଳ୍ପର ଜନକ ତଥା ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଏବଂ ସମାଜ ସଂସ୍କାରକ ଭାବେ ସୁପରିଚିତ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କର କାଳଜୟୀ ଲେଖା ପାଇଁ ଓଡିଶାର ଘରେ ଘରେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ୧୮୪୩ ମସିହା ମକର ସଂକ୍ରାନ୍ତିରେ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରରେ ଜନ୍ମଗ୍ରହଣ କରି ଫକୀର ମୋହନ, ପରବର୍ତୀ ସମୟରେ ଓଡିଆ ଭାଷାର ସୁରକ୍ଷା, ଓଡିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।

ଓଡିଆ ଭାଷା ଏବଂ ଓଡିଆ ଜାତିର ବିକାଶ ପାଇଁ ତାଙ୍କର ରହିଥିବା ଅମୂଲ୍ୟ ଅବଦାନକୁ ସ୍ମରଣ ଏବଂ ସମ୍ମାନ ଉଦ୍ଦେଶ୍ୟରେ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ସମ୍ମୁଖରେ ଅବସ୍ଥାପିତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୦ ତମ ଜୟନ୍ତୀ ପାଳନ ଅବସରରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବ୍ୟାସକବିଙ୍କ ପ୍ରତିମୂର୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ କବିଙ୍କର କାଳଜୟୀ ଗଳ୍ପ, ଉପନ୍ୟାସାଦି ସାରସ୍ୱତ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ମାନସ ରଞ୍ଜନ ଖୁଂଟିଆ, ସହକାରୀ ନିର୍ଦ୍ଦେଶକ ସୂଚେତା ପ୍ରିୟଦର୍ଶିନୀ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ବ୍ୟାସକବି ଫକୀରମୋହନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବ୍ୟାସକବିଙ୍କ ଜୟନ୍ତୀ ପାଳନ ଅବସରରେ ଏଠାରେ ପ୍ରତିମୂର୍ତିସ୍ଥଳକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆକର୍ଷଣୀୟ ଢଙ୍ଗରେ ସାଜସଜ୍ଜା କରାଯାଇଥିଲା। ସେହିପରି ରାଜ୍ୟସ୍ତରୀୟ ବ୍ୟାସକବି ଫକୀରମୋହନ ସେନାପତି ସ୍ମୃତି ସଂସଦ ଭୁବନେଶ୍ୱର, ଉତ୍କଳ ସମ୍ମିଳନୀ ଓ ଅନ୍ୟାନ୍ୟ ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାମାନେ ଯୋଗଦେଇ ବ୍ୟାସକବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Comments are closed.