ଯେଉଁ ଜାତି ଭାଷାହୀନ…

ମଣୀନ୍ଦ୍ର କୁମାର ମେହେର

ମାତୃଭାଷା ପ୍ରତି ବ୍ୟାସକବି ଫକିରମୋହନଙ୍କ ମମତାର ଗଭୀରତା ବର୍ଣ୍ଣନା କରିବା ନିଷ୍ପ୍ରୟୋଜନ। ତେବେ ଏ ପ୍ରସଙ୍ଗରେ ଆଉ ଏକ ଭିନ୍ନ ଦିଗକୁ ଆମେ ଯାତ୍ରା କରିପାରିବା ଓ ଫକିରମୋହନଙ୍କ ରଚିତ ପଦପଂକ୍ତି ମଧ୍ୟରୁ ଆହୁରି ଗଭୀରତର ଅର୍ଥ-ଦ୍ୟୋତକ ଅନୁଭବକୁ ସଂପ୍ରସାରିତ କରିଦେଇପାରିବା।

ଫକିରମୋହନଙ୍କ ଏକ ଭାବ-ଉଦ୍‌ବୋଧକ ପଦ ଉପରେ ଆମର ଧ୍ୟାନ କେନ୍ଦ୍ରୀଭୂତ ହେଉ। ସେ ଲେଖିଛନ୍ତି:- ‘ଭାଷା ହିଁ ଜୀବନୀଶକ୍ତି ଜାତିମାନଙ୍କର, ଯେଉଁ ଜାତି ଭାଷାହୀନ ସେ ଜାତି ବର୍ବର।’ ମଣିଷର ଭାଷା ଯେ, ତାହାର ଶକ୍ତିଶାଳୀ ପ୍ରାଣପ୍ରାଚୁର୍ଯ୍ୟର ପରିଚୟ, ଏହା ପ୍ରତିପାଦନ କରିବା ଅନାବଶ୍ୟକ। ଫକିରମୋହନଙ୍କ ଭାଷାରେ ଯଥାର୍ଥରେ- ଭାଷା ହିଁ ପ୍ରତ୍ୟେକ ଜାତିର ଜୀବନୀଶକ୍ତିର ଏକ ଶ୍ରେଷ୍ଠ ସଙ୍କେତ। ଏହା ବୁଝି ପାରିବାରେ କୌଣସି କ୍ଳିଷ୍ଟତା କଦାପି ନାହିଁ। ଦ୍ବିତୀୟ ଧାଡ଼ିଟିରେ ଫକିରମୋହନ ଲେଖିଲେ ଯେ,- ‘ଯେଉଁ ଜାତି ଭାଷାହୀନ, ସେ ଜାତି ବର୍ଗର।’ ଏ ପୃଥିବୀରେ ଯେଉଁଠି ଯେଉଁଠି ମନୁଷ୍ୟ ସମାଜର ପ୍ରତିଷ୍ଠା ସମ୍ଭବ ହୋଇପାରିଛି, ସେଇଠି ସେଇଠି ଭାଷାର ବିକାଶ ମଧ୍ୟ ସାଧିତ ହୋଇଛି, ଆଶ୍ଚର୍ଯ୍ୟଜନକ ସଫଳତାର ପରିଚୟ ପ୍ରଦାନ କରି। ଏ କ୍ଷେତ୍ରରେ ତେଣୁ ମନ ଭିତରେ ଏକ ପ୍ରଶ୍ନ ଆଲୋଡ଼ିତ କରେ ହୃଦୟକୁ ଯେ- ‘ଯେଉଁ ଜାତି ଭାଷାହୀନ, ସେ ଜାତି ବର୍ବର।’ କିପରି?

ଭାଷା କହୁନଥିବା ଜାତି ଠାବ କରିବା ଆମ ପାଇଁ ଏକାନ୍ତ ଅସମ୍ଭବ। ଏମିତି କ’ଣ ନିର୍ଦିଷ୍ଟ କୌଣସି ଜାତି ଏ ଧରାପୃଷ୍ଠରେ ଅଛନ୍ତି, ଯେଉଁମାନେ କଥା ସୁଦ୍ଧା କହିପାରନ୍ତି ନାହିଁ? ଏହା ନିଶ୍ଚୟ ଏକ ବିରଳ ଘଟଣା ହୋଇପାରେ। ପ୍ରାୟତଃ ଏ ପୃଥିବୀର ସବୁ ଜାତିଙ୍କର ନିଜସ୍ବ ଭାଷା ରହିଥିବାର ପ୍ରମାଣ ଦର୍ଶାଇଦେବାର ଆବଶ୍ୟକତା ନାହିଁ। କାରଣ ପ୍ରତ୍ୟେକ ଜାତି ଆପଣା ଭାଷାଦ୍ବାରା ସୁନ୍ଦର, ଶ୍ରୀମଣ୍ଡିତ ତଥା ଭାବ ବିନିମୟ କରିବା ସକାଶେ ଏକ ଏକ ଶ୍ରେଷ୍ଠ ଅଭିବ୍ୟକ୍ତି। ଏହା ଫକିରମୋହନଙ୍କୁ କଦାପି ଅଜଣା ନଥିଲା। ତଥାପି ସେ କହିଲେ ‘ଯେଉଁ ଜାତି ଭାଷାହୀନ, ସେ ଜାତି ବର୍ଗର।’ ସବୁଜାତି ଯଦି ଭାଷା ଉଦ୍ଭାବନରେ ସମର୍ଥ, ତା’ହେଲେ ଆଉ ବର୍ବରତା ରହିଲା କେଉଁଠି? ବାସ୍ତବରେ ଏହି ଉଦ୍ଧୃତ ଗୋଟିଏ ପଦପଂକ୍ତି ମଧ୍ୟରେ ଲୁକ୍‌କାୟିତ ହୋଇରହିଛି ଭିନ୍ନ ଏକ ଗୂଢ଼ାର୍ଥ। ତାହାକୁ ତା’ମଧ୍ୟରୁ ଆବିଷ୍କାର କରିବା ହେଉଛି ଆଜିର ଏକ ଶ୍ରେଷ୍ଠ ଆହ୍ବାନ। ଭାଷା ତ ପ୍ରତ୍ୟେକ ମଣିଷ କହନ୍ତି। କିନ୍ତୁ ତା’ ମଧ୍ୟରୁ ତଥାପି ଏମିତି କେତେକ ଅମନୁଷ୍ୟ ଥାଆନ୍ତି, ଯେଉଁମାନେ ନିଜସ୍ବ ବାର୍ତ୍ତାଳାପରେ ଶାଳୀନତା ଲଙ୍ଘନ କରିଥାନ୍ତି ନିର୍ବିଚାର ଭାବରେ।

ଏ ଦୃଷ୍ଟିରୁ ଯଦି ଆମେ ପଦଟିର ଅନ୍ତର୍ନିହିତ ଅର୍ଥ ସଂପ୍ରସାରିତ କରି ବୁଝିବାକୁ ଆନ୍ତରିକ ଉଦ୍ୟମ ଅବ୍ୟାହତ ରଖିପାରିବା, ତା’ହେଲେ ଆମ ସମ୍ମୁଖରେ ଆହୁରି ଅନେକ ସୌନ୍ଦର୍ଯ୍ୟ ଉକୁଟି ଉଠିବ ନିଶ୍ଚୟ। ପ୍ରତିଟି ମଣିଷ ଯେଉଁ ଭାଷା ଉଚ୍ଚାରଣ କରିଥାଏ, ତା’ ମଧ୍ୟରେ ମାତୃଭାଷା ଶ୍ରେଷ୍ଠ ନିଶ୍ଚିତ ରୂପେ। ଜନନୀ ବକ୍ଷରୁ ନିଃସୃତ କ୍ଷୀରପାନ କରି ଯାହାର ଶରୀର ଓ ଆତ୍ମା ଅମୃତସିକ୍ତ ହୋଇଛି, ସେ କେବେହେଲେ ନିଜ ଜୀବନରେ କୁଭାଷା ପ୍ରୟୋଗ କରବା ସମ୍ଭବ ନୁହେଁ। ଯେଉଁମାନଙ୍କର ଶବ୍ଦ ଉଚ୍ଚାରଣରେ ପବିତ୍ରତା, ମାଧୁର୍ଯ୍ୟ ଓ କଲ୍ୟାଣକର ଭାବନା ନିହିତ ନୁହେଁ, ସେ ସତକୁସତ ହେଉଛି ମାତୃଦ୍ରୋହୀ। ନିଜ ଦୈନନ୍ଦିନ ଜୀବନଯାପନ କରିବା ସମୟରେ ଯିଏ ଯେତିକି ମଙ୍ଗଳାଭିଳାଷରେ ପରିପୂର୍ଣ୍ଣ, ସେ ସେତିକି ଭାଷାଭିବ୍ୟକ୍ତିରେ ସଂପୂର୍ଣ୍ଣ। ବାକ୍ୟ ଭିତରେ ରସ ନଥିଲେ ତାକୁ କାବ୍ୟର ସ୍ବୀକୃତି ଦିଆଯାଇନାହିଁ। ତେଣୁ କୁହାଯାଇଛି- ‘ବାକ୍ୟଂ ରସାତ୍ମକଂ କାବ୍ୟମ୍‌’। ଏ ରସଟି କ’ଣ? ଏହା ହିଁ ହେଉଛି ଭାଷା ଅନ୍ତଃସ୍ଥଳରେ ସଞ୍ଚରିତ ହେଉଥିବା ପ୍ରେମାନୁରାଗ। ଭାଗବତକାର ସେଥିପାଇଁ ସିଧାସଳଖ କହିଦେଇଛନ୍ତି- ‘ମଧୁର ବିନୟ ବଚନ/ କହି ତୋଷିବ ପ୍ରାଣୀମନ।’ ଅର୍ଥାତ୍‌ ଭାଷା କହିଲେ ହିଁ ଏହି ବିନୟବୋଧ ଓ ମାଧୁର୍ଯ୍ୟ ପ୍ରକଟନ କରୁଥିବା ଧ୍ବନିକୁ ବୁଝାଏ। ଯେଉଁମାନେ ଉତ୍ତେଜନାପୂର୍ଣ୍ଣ, ଅହଂକାରଯୁକ୍ତ ଆତ୍ମା-ପରିପନ୍ଥୀ ବାକ୍ୟ ଉଚ୍ଚାରଣ କରନ୍ତି, ତାହାକୁ ଭାଷା ଭାବରେ ହିଁ ଗଣନା କରାଯାଇପାରିବ ନାହିଁ।

ଫକିରମୋହନ ‘ଯେଉଁ ଜାତି ଭାଷାହୀନ’ ବୋଲି କହିବାର ତାତ୍ପର୍ଯ୍ୟ କି ଗଭୀର ଓ ଯଥାର୍ଥ, ଓ ତାହାର ପୁନଃମନ୍ଥନ କରିବା ଏକାନ୍ତ ଆବଶ୍ୟକ। ଭାଷାହୀନ ହେଲେ କେହି ତ ବର୍ବର ହୋଇଯାଏନାହିଁ। ସୁନ୍ଦର ଭାବଯୁକ୍ତ ଭାଷାଟିଏ ଉଚ୍ଚାରଣ କରିପାରେ ନାହିଁ, ସିଏ ହିଁ ହେଉଛି ହିଂସ୍ର ଓ ବର୍ବର। ଆତ୍ମବଡ଼ିମାରେ ସ୍ଫୀତ ମନୁଷ୍ୟ ଯେଉଁ କର୍କଶ ଭାଷା ପ୍ରୟୋଗ କରେ, ତାହା ତା’ର ବିଶୃଙ୍ଖଳିତ, ବିଚାରହୀନ ମାନସିକତାର ବିକୃତ ପ୍ରତିଫଳନ ମାତ୍ର। ଯେଉଁ ବ୍ୟକ୍ତିର ଭାଷାରେ ତୀକ୍ଷ୍‌ଣ ଅସ୍ତ୍ରଧାରଠାରୁ ଅଧିକ ହୃଦୟ ବିଦ୍ଧ କରିବାର ଅପଶକ୍ତି ନିହିତ ସେ କ’ଣ ସଭ୍ୟ ମଣିଷର ସଂକେତ? ଫକିରମୋହନଙ୍କ ଉଚ୍ଚାରିତ ବା ଲିଖିତ ପଦପଂକ୍ତି ମଧ୍ୟସ୍ଥଳକୁ ପ୍ରବେଶ କରି ସେଥିରୁ ମୁକ୍ତା ଆହରଣ କରିବାର କ୍ଷମତା ନିଶ୍ଚୟ ଓଡ଼ିଆ ଜାତିର ରହିଛି। ଭାଷା ଶାସ୍ତ୍ରୀୟମାନ୍ୟତା-ପ୍ରାପ୍ତ ହୋଇଯିବାଦ୍ବାରା କୌଣସି ସମାଜର ସଂସ୍କୃତି ପରିବର୍ତ୍ତିତ ହୋଇଯାଏନାହିଁ। ଆମର ଆଚରଣରେ ଓ ଉଚ୍ଚାରଣରେ ଉଚ୍ଚତମ ଶାସ୍ତ୍ରୀୟତା ବା କ୍ଲାସିକ୍‌ ଗୁଣ ସେତେବେଳେ ପ୍ରକାଶିତ ହୁଏ, ଯେତେବେଳେ ଆମେ ସ୍ଥିତପ୍ରଜ୍ଞ ଚିତ୍ତରେ ଅନ୍ୟର ଉପକାର ନିମିତ୍ତ ନିଜକୁ ଉତ୍ସର୍ଗ କରିଦେଇପାରୁ।

ଓଡ଼ିଆ ସାହିତ୍ୟର ବା ଓଡ଼ିଆ ଭାଷାର ପ୍ରାଚୀନତା ଭିତରେ ସମାହିତ ହୋଇରହିଛି ଯେଉଁ ମହାନ ସଂସ୍କୃତିର ଆଲୋକ, ତାହାରି ଫଳରେ ହିଁ ଏହା ଶାସ୍ତ୍ରୀୟ ଭାଷାର ଗୌରବ ଅର୍ଜନ କରିବାରେ ହୋଇଛି ସମର୍ଥ। ଆମ କାବ୍ୟକବିତା, ଗଳ୍ପଉପନ୍ୟାସ, ନାଟକ, ଜୀବନୀ, ଆତ୍ମଜୀବନୀ, ଭ୍ରମଣସାହିତ୍ୟ ଆଦିରେ ଯେତେ ସୌନ୍ଦର୍ଯ୍ୟ ଭରପୂର ହୋଇରହିଛି, ତାହାକୁ ନିଜ ବାସ୍ତବ ଜୀବନ କ୍ଷେତ୍ରରେ ପ୍ରୟୋଗ କରିବାପାଇଁ ଫକିରମୋହନଙ୍କ ରଚିତ ପଦ ଏକ ଆହ୍ବାନ। କୌଣସି ଜାତିକୁ ବର୍ବର ରୂପରେ ଦେଖିବାକୁ ଫକିରମୋହନ ଅନିଚ୍ଛୁକ ଥିଲେ ବୋଲି ଭାଷାର ନୂତନ ମର୍ମାର୍ଥ ସାଇତି ରଖିଯାଇଛନ୍ତି ତାଙ୍କ ହୀରକ ସମତୁଲ୍ୟ ପଦ୍ୟ-ସୃଜନ ମଧ୍ୟରେ। ଜୀବନକୁ, ଏ ସଂସାରକୁ, ସମଗ୍ର ପୃଥିବୀକୁ ଯଦି କେଉଁ ଉପାଦାନ ମହିମାନ୍ବିତ କରିଦେଇପାରେ, ତାହାହେଲା ଆନ୍ତରିକତାପୂର୍ଣ୍ଣ ଭାଷାଭିବ୍ୟକ୍ତି। ଅନ୍ତର ଥିବ ସ୍ବଚ୍ଛ, ସୁନ୍ଦର, କୋମଳ ଆଉ ଭାଷା ହୋଇଥିବ ଯେବେ ନିର୍ମଳ, ନିବିଡ଼ ଓ ନୈତିକତାପୂର୍ଣ୍ଣ, ସେତେବେଳେ ମଣିଷ ଜାତି ତାହାର ଅନ୍ତର୍ଗତ ସଭ୍ୟ-ଶକ୍ତିର ପରିଚୟ ଦେବାରେ ହେବ ଏକାନ୍ତ ସମର୍ଥ। ଫକିରମୋହନ ଯେଉଁ ବର୍ବରତାକୁ ପରିତ୍ୟାଗ କରିବାପାଇଁ ଓ ବିନମ୍ରତାକୁ ଆହରଣ ତଥା ବିତରଣ କରିବାପାଇଁ ଆଲୋକସ୍ନାତ ପଥନିର୍ଦେଶ କରିଯାଇଛନ୍ତି, ସେହି ପଥର ଅଭିଯାତ୍ରୀ ହେବାରେ ସନ୍ନିହିତ ଆମର ସକଳ ଗୌରବ। ଭାଷାବିହୀନ ଅର୍ଥାତ୍‌ ଆନ୍ତରିକତା ଶୂନ୍ୟ ନ ହୋଇ ମାଧୁର୍ଯ୍ୟଭରା ଭାଷାନୁରକ୍ତିର ପ୍ରମାଣ ଦେବା ପାଇଁ ସାଧୁତା ଓ ଶିଷ୍ଟତା ମଣିଷ ଭିତରେ ବିଦ୍ୟମାନ, ତାହାକୁ ଜାଗ୍ରତ କରିଦେବା ହେଉଛି ମାନବିକତାବୋଧର ସର୍ବଶ୍ରେଷ୍ଠ ନିଦର୍ଶନ।

Comments are closed.