ଜୟପାଟଣା ଅଞ୍ଚଳରେ ଜାଲ ନୋଟ କାରବାର

ମୁଖୀଗୁଡା: ଜୟପାଟଣା ଅଞ୍ଚଳରେ ଜାଲ ନୋଟ କାରବାର ରାକେଟ ସକ୍ରିୟ ଥିବା ଜଣାପଡ଼ିଛି। ଅସଲି ଟଙ୍କା ବଦଳରେ ଜାଲ ନୋଟ ନେଇ ଜଣେ ବ୍ୟକ୍ତି ଠକାମୀର ଶିକାର ହୋଇଛ। ଏ ସଂକ୍ରାନ୍ତରେଜୟପାଟଣା ଥାନାରେ ଅଭିଯୋଗ ହୋଇଛି।
ଜୟପାଟଣା ଥାନା ଅନ୍ତର୍ଗତ ଦୁଲକୀବନ୍ଧ ଗ୍ରାମର ଅଜିତ କୁମାର ପଣ୍ଡା ନିଜ କାମ ସାରି ଜୟପାଟଣାରୁ ନିଜ ଗାଁକୁ ବାଇକ ରେ ଫେରୁଥିଲେ। ବନମାଳୀପୁର ଛକନିକଟରେ ଜୟପାଟଣା ଆଡକୁ ବାଇକରେ ଆସୁଥିବା ଜଣେ ଲୋକ ଶ୍ରୀପଣ୍ଡାଙ୍କୁ ଅଟକାଇ ଥିଲେ। ପୁଅଙ୍କ ଦୋକାନରୁ ଏକ ହଜାର ଟଙ୍କାର ସାମଗ୍ରୀ ବାକିରେ ନେଇଥିବା ବାହାନା କରିଥିଲେ ଏବଂ ଦୁଇ ହଜାର ଟଙ୍କିଆ ନୋଟ ଦେଇଥିଲେ। ଜାଲ ୨ ହଜାର ଟଙ୍କିଆ ନୋଟ ନେଇ ଶ୍ରୀ ପଣ୍ଡା ତାଙ୍କୁ ଏକ ହଜାର ଟଙ୍କା ଫେରାଇ ଦେଇଥିଲେ। ତାଙ୍କ ପର୍ସରେ ଅଧିକ ଟଙ୍କା ଥିବା ଦେଖି ସେ ଚାରି ହଜାର ଟଙ୍କା ଖୁଚୁରା ମାଗିଥିଲେ।

 

ଏହାପରେ ଦୁଇଟି ଜାଲ ୨ ହଜାର ଟଙ୍କା ବଦଳରେ ତାଙ୍କୁ ୮ଟି ପାଞ୍ଚଶହ ଟଙ୍କିଆ ନୋଟ ଦେଇଥିଲେ। ଘରକୁ ଫେରିବା ପରେ ଉକ୍ତ ବ୍ୟକ୍ତି ତାଙ୍କୁ ୩ଟି ଜାଲ ଦୁଇ ହଜାର ଟଙ୍କିଆ ନୋଟ ଦେଇଥିବା ଜାଣିବାକୁ ପାଇଥିଲେ। ସେ ଠକାମୀର ଶିକାର ହୋଇ ଥିବା ନେଇ ଆଜି ଜୟପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଜୟପାଟଣା ଅଞ୍ଚଳରେ ଜାଲ ନୋଟ କାରବାର ର ଏକ ରାକେଟ ସକ୍ରିୟ ଥିବା ଚର୍ଚ୍ଚା ହେଉଛି। ଜାଲ ନୋଟ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

Comments are closed.